ଆଦିବାସୀଙ୍କୁ ରୋଜଗାର ଦେଉଛି ବଡ଼ା, ଛତୁ ଓ ବାଉଁଶ କରଡ଼ି
ନବରଙ୍ଗପୁର:(ତା ୧୨/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଆଦିବାସୀମାନେ ବର୍ଷର ବିଭିନ୍ନ ଋତୁରେ ବିଭିନ୍ନ ଜଙ୍ଗଲଜାତ କନ୍ଦମୂଳ ଓ ଫଳଫୁଲ ସଂଗ୍ରହ କରି ତାକୁ ରୋଷେଇ କରି ଖାଇଥାନ୍ତି |ଏହି କନ୍ଦମୂଳ ଓ ଫଳଫୁଲ ଋତୁ ଅନୁସାରେ ବାହାରୁଥିବାର ଅଞ୍ଚଳରେ ତାର ବେଶ ଚାହିଦା ରହିବା ସହିତ ସମସ୍ତଙ୍କର ପ୍ରିୟ ମଧ୍ୟ ହୋଇଥାଏ |ବର୍ଷାଋତୁରେ ମିଳୁଥିବା ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକ ମଧ୍ୟରେ ବଡା, ଛତୁ, କରଡ଼ି ଆଦି ପ୍ରମୁଖ ଜଙ୍ଗଲ ଜାତ ଦ୍ରବ୍ୟ |ଏହି ସବୁ ଦ୍ରବ୍ୟର ବଜାରରେ ବେଶ ଚାହିଦା ରହିଥାଏ |ବଡା କିଲୋ ପ୍ରତି ୧୦୦୦ରୁ ୨୦୦୦ଦରରେ ବିକ୍ରି ହେଉଥିବା ବେଳେ ଛତୁର ବଜାର ଦର ମଧ୍ୟ ଆକାଶ ଛୁଆଁ ରହିଥାଏ |ତଥାପି ଲୋକେ ନୁଆଁ ଦ୍ରବ୍ୟ ଓ ଋତୁ କାଳୀନ ଦ୍ରବ୍ୟ ହୋଇଥିବାରୁ ଉଚ୍ଚ ଦରରେ ମଧ୍ୟ କିଣିକି ଖାଇଥାନ୍ତି |ବଡା ଓ ଛତୁ ଭଳି ଆଉ ଏକ ଋତୁ କାଳୀନ ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି କରଡ଼ି (ବାଉଁଶ ଗଜା ) |ଏହା ମଧ୍ୟ କେବଳ ବର୍ଷା ଋତୁରେ ହିଁ ଦେଖିବାକୁ ମିଳିଥାଏ |ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଜଙ୍ଗଲକୁ ଯାଇ କଣ୍ଟା ବାଉଁଶର ଗଜା ସବୁ ସଂଗ୍ରହ କରି ଆଣି ତାକୁ ଟିକି ଟିକି କରି କାଟି ବିକ୍ରୟ କରିଥାନ୍ତି |ଏହାର ବଜାର ଦର ବହୁତ କମ |ହେଲେ ଅଞ୍ଚଳବାସୀ ବେଶ ସରାଗରେ ଏହାକୁ କ୍ରୟକରି ବିଭିନ୍ନ ପରିବା ଓ ଶାଗରେ ମିଶେଇ ଖାଇଥାନ୍ତି |ଏହା ଖାଇବାକୁ ଅତି ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ବିଭିନ୍ନ ପନିପରିବା ଯଥା ସଜନା , ବଇତାଳୁ, ଆଳୁ, କୋଳଥ, ଭେଣ୍ଡି ଆଦି ସହିତ ମିଶେଇ ରୋଷେଇ କରି ଖାଇଥାନ୍ତି |ବିଶେଷ କରି ଆଦିବାସୀମାନେ ଆମ୍ବିଳା ତିଆରି କଲାବେଳେ ତହିଁରେ କରଡ଼ି ମିଶାଉଥିବା ଦେଖିବାକୁ ମିଳେ |ସଂଗ୍ରହ କାରୀମାନେ ଜଙ୍ଗଲରୁ ଆଣି ଛୋଟଛୋଟ କରି କାଟି କରଡ଼ିକୁ ଶିଆଳି ପତ୍ରରେ ଭାଗ ବସାଇଥାନ୍ତି |ଅଞ୍ଚଳିକ ହାଟ ବଜାର ମାନଙ୍କରେ ମଧ୍ୟ କରଡ଼ି ଅଧିକ ପରିମାଣରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳେ |