‘
ସାହିତ୍ୟ ଅଗଣା’ ରେ ପ୍ରେମ…..
ମସୀହା ର ‘ସାହିତ୍ୟ ଅଗଣା’ ହ୍ୱାଟ୍ସ୍ଅପ୍ ଗ୍ରୁପ୍ ।ସାହିତ୍ୟର ବିଭିନ୍ନ ବିଭାଗ ବିଶେଷ କରି କବିତାର ପ୍ରଚାର,ପ୍ରସାର ପାଇଁ ବଳିଷ୍ଠ ମଂଚ ।
‘ସାହିତ୍ୟ ଅଗଣା ‘ ପକ୍ଷରୁ ଅଗଷ୍ଟ ମାସ_୨୦୨୪ ରେ କହିତା ଆହ୍ୱାନ କରାଯାଇଥିଲା ।ଆସନ୍ତୁ ଭେଟିବା…
~~~ ପ୍ରେମ… ମହୁରେ ଭିଜୁଥିବା ଶିର୍ ଶିର୍..ପ୍ରେମ..ତୁଳସୀବଣର ମହକ..ଚନ୍ଦନର ମହମହ….
ପ୍ରେମ…ପାହାଡ଼ୀ ଝରଣାର କୁଳୁକୁଳୁରେ ବତୁରୁ ଥିବା ଆବେଗ…ସ୍ମୃତି ଆଉ ସ୍ୱପ୍ନର….ଭିଜାଭିଜା ଏତେ ଜହ୍ନରାତି….ଜହ୍ନରାତିର କଅଁଳ କଅଁଳ ଛୁଆଁ ପ୍ରେମ….
ପ୍ରେମ…ଶେଷ ହେଉ ନଥିବା ଶୋଷ….ସରୁନଥିବା କବିତା…ନିର୍ଧୁମ୍ ବର୍ଷା ହେଉ କି ଧୁଧୁ ଖରା କି ଥୁରୁଥୁରୁ ଶୀତ ….ସବୁଠି ପ୍ରେମ….ପ୍ରେମ ହିଁ ପ୍ରେମ…. ~~~~~
କବିତାର ଯାତ୍ରା ଲମ୍ବା ହେଉ…..
॥ ପ୍ରେମ ॥
ସୁଶାନ୍ତ କୁମାର ନାୟକ
ଫଗୂୁଣରେ ଫଗୁ ଖେଳ
ବରଷକେ ଥରେ
ଖେଳ ବାହାନାରେ
ଅଳସ ଭାଂଗଇ ମନ
ବଗିଚାରେ ଫୁଟେ ଫୁଲ
ଭଲ ପାଇବାର
ପ୍ରତି ପାଖୁଡ଼ାରେ
ଆକାଶରେ ହସେ ଜହ୍ନ ।
ପଛ କଥା ପଛ ମନ
ଅଳସ ଭାଂଗେ
କଦମ୍ବ ଡାଳରେ
ବସା ବାନ୍ଧିବସେ
ଭଲପାଇବାର ଦିନ ।
ପ୍ରୀତିର ଫଗୁ ଖେଳରେ
ପୁରିଲା ପୁରିଲା
ଦେହଟା ତମର
ଧୋଉଥାଏ ଫଗୁ ରଂଗ ।
ରଂଗ ନୁହେଁ ସେତ
ପ୍ରୀତିର ସନ୍ତକ
ଯେତେ ଧୋଇଲେବି
ଦେହରୁ ଲିଭେନି ଦାଗ ।
ଭୁଲାମନ ଭୁଲି ଯାଏ
ଫୁଲ ଫଗୁଣର
ଋତୁ ସମ୍ଭାରରେ
ସମୟର ସୁର ହଜେ ।
~~~~~~~~~~~
ପଂଚବଟୀନଗର_୨ୟ ଲେନ୍
ରାୟଗଡ଼_୭୬୫୦୦୧
ମୋ._୯୪୩୭୧୧୮୮୨୨
॥ପ୍ରେମ ॥
ବିମଳଚାନ୍ଦ ପଟ୍ଟନାୟକ
ହୁଏତ ମୁଁ ଦୀପାବଳିର ମାଟିଦୀପଟିଏ
ତୁମେ ତାକୁ ସଜାଇଥିବା ସଳିତା,
ମୋ ଭିତରେ ଯୋଉ ତେଲ ଟିକକ ଅଛି
ସିଏ ତ ନିଶ୍ଚିତ ଜଳୁଛି
ହେଲେ, କୁହାଯାଏ କିଆଁ
ଜଳିଜଳି ସରିଗଲା ସଳିତା ?
ମୁଁ ବୋଧେ ଚିରାଚରିତ ପ୍ରେମିକଟିଏ
ଆଉ ତୁମେ ମୋର ସୁନ୍ଦର ପ୍ରତାରଣା,
ମୁଁ ଜାଣିଛି ମୋ ପ୍ରେମର ଗଭୀରତା
ହେଲେ ତୁଣ୍ଡ ତୁଣ୍ଡରେ ଏବେ ଗୋଟେ କଥା-
ମୁଁ କୁଆଡେ ପାଦ ଖସାଇ
ହୋଇଯାଇଛି ବାଟବଣା !!
ତୁମକୁ ଦେଇସାରିଥିବା ହୃଦୟ
ଏବେ ପୁଣି ମୋ ହାତ ପାପୁଲିରେ,
ତୁମକୁ ଦେଇଥିବା ଚୁମା ସବୁ
ସିକ୍ତ ଏବେ ଖାରିଆ ପାଣିରେ,
କୃଷ୍ଣଚୂଡା ହେବାର ନିଶାରେ ମସଗୁଲ ମନ
କେଜାଣି କହିଁକି
ଶେଫାଳିର ଶେଜରେ ଶୋଇଥିଲାପରି ଲାଗେ !!
ସ୍ମୃତିପଟଳର ପଟାଳିରେ ଥିବା ସବୁ ପାରିଜାତ
ମନର ପ୍ରମୋଦ ଉଦ୍ୟାନରେ ଏଣେତେଣେ ବିଛୁରିତ।
ଲାଗୁଛି ସତେକି
ନିଜ ସମାଧିରେ ପାଳୁଛି ମୁଁ ନିଜର ଜନ୍ମଦିନ ,
ତଥାପି ପ୍ରିତି ବ୍ରାଣ୍ଡ୍ ର ଗରଳର ସାନ୍ଧ୍ରତା
ଜମାରୁ ହେଉନି ପ୍ରଶମନ।
ଜଳିଜଳି ପାଉଁଶ ହେଲାଣି ଯାବତୀୟ ମନସ୍କାମନା,
ମଶାଣି ମନ୍ଦିରରେ ଥିବା ମହାଦେବ ନିକଟରେ
କେମିତି ପହଞ୍ଚିବ ମୋ ପ୍ରାର୍ଥନା ॥
__________
ଦୁର୍ଗୀ,ରାୟଗଡ଼
॥ ପ୍ରେମ ॥
ଡ଼କ୍ଟର ସୀମାଞ୍ଚଳ ପ୍ରଧାନ
ପ୍ରେମକରୁଥିଲି ତୋତେଲୋକିଶୋରୀ
ଭୁଲିକି ଗଲୁଣି ମୋତେ
କାହାର ସାଥିରେ ଚାଲିଗଲୁ ଗୋରୀ
ପର କରିଦେଇ ସତେ।
ସଙ୍ଗରେ ତୋହର ଚାଲି ଯାଉଥିଲେ
ପୁଅ,ଝିଅ ଦୁଇ ଜଣ
ଅନୁମାନ କରି ଜାଣି ପାରିଲି ମୁଁ
ପତି ଦେବତା କି କ’ଣ?
ତୋହର ପିଠିକୁ ଥାପୁଡେଇ କରି
କହୁଥିଲେ ହସ କଥା ନଇଁ ଯାଉଥିଲା ମୋତେ ଦେଖି ଦେଖି
ତୋହର ଲାଜୁଆ ମଥା।
କେବେହେଲେତୋତେଭୁଲି ପାରିବିକି
ସଜଉଥିଲୁ ତୁ ମୋତେ
ସେହି କଥା ଏବେଜଳ ଜଳଜଳ କରି
ଦିଶୁଛି ମୋର ଅଗ୍ରତେ।
ଭଞ୍ଜ ବିହାରର ଝାଉଁ ଗଛ ତଳେ
କ’ଣ ଭାବିଲୁ କେଜାଣି
ହାତ ଠାରି ମୋତେ ସେ ଗଛ ତଳକୁ
ଡାକିଥିଲୁ ନିଶାମଣି।
କି ସୁନ୍ଦର ତୋତେ ନାଆଁ ଦେଇଥିଲେ
ମାଆ,ବାପା ତୋର ସତେ
ନିଶାମଣି ବୋଲି ସମସ୍ତଙ୍କ ଆଗେ
ଡାକିବି ମୁହିଁ କେମନ୍ତେ।
ସେ ଦିନର ପ୍ରେମ ଭାଙ୍ଗି ଦେଇ କରି
କା’ ସଙ୍ଗରେ ଚାଲିଗଲୁ
ପୁଅ, ଝିଅ, ପତି ଦେବତାଙ୍କ ସହ
ଖରାଟାରେ ଚାଲୁଥିଲୁ।
ମୋତେ ସେହିଦିନ ଦୁଃଖ ବି ଲାଗିଲା
ପତି ସଙ୍ଗେ ଦେଖିକରି ମନଟା ମୋହର ବିରସ ହୋଇଲା
ଗତ କଥାକୁ ସୁମରି।
***
ଆନନ୍ଦ ବିହାର, ବ୍ରହ୍ମପୁର -୧୦
ଗଞ୍ଜାମ (ଓଡ଼ିଶା)
॥ ପ୍ରେମ ॥
ପ୍ରହରାଜ ଜୟନାରାୟଣ ନନ୍ଦ
ତୁମବିନା ଜୀବନ ଅକଳ୍ପନୀୟ
ସବୁ ବନ୍ଧନ ସମ୍ପର୍କର ସୂତ୍ର
ଆତ୍ମା ଆତ୍ମାର ଅପୂର୍ବ ମିଳନ,
ଦେହାତୀତ… ଶାଶ୍ୱତ,ଅକ୍ଷୟ
ତୁମ ବିନା କିଛି ଥାଏନା
ପ୍ରେମିକା, ଜାୟା, ପ୍ରିୟତମା
ବାପା, ମା… ଜେଜେ ମାମା
ରେଶମୀ ଡୋରର ବନ୍ଧନ
ଅମୁଲ୍ୟ, ଚିରନ୍ତନ,ଅନୁପମ ।
______________
ଭୁବନେଶ୍ୱର(୯୪୩୭୧୪୮୪୩୪)
॥ ପ୍ରେମ ॥
ବୃନ୍ଦାବନ ପଣ୍ତା
ମୋ ପ୍ରିୟାର ପ୍ରେମ ଗୋଲାପ କଳିକା
ଫୁଟିବା ଆଗରୁ ନିଏ ସାଇତି
କଣ୍ଟକିତ ହେଉ ଗୋଲାପ ଫୁଲରେ
ନଥାଉ ସୁଗନ୍ଧ ସେ ଫୁଲ କତି
ଗୋଲାପ ଫୁଲର ସରି କିଏ ହେବ
ପ୍ରେମ ପ୍ରଣୟର ସନ୍ତକ ସେହି
ଗୋଲାପ ଫୁଲର ସଜ ପାଖୁଡ଼ାକୁ
ସଜାଏ ମୋ ପ୍ରିୟା ଗଭାରେ ନେଇ
ଗୋଲାପ ବାସ୍ନାରେ ମହକୁଛି ପଥ
ବାଟୋଇ ମନରେ ହୁଅଇ ଭ୍ରମ
ଭ୍ରମୁଛି ଭ୍ରମର ଭ୍ରମରରେ ଯାଇ
ଗଭାରେ ବସଇ ହୋଇ ବିଭ୍ରମ
ସୁନ୍ଦରେ ତୃପ୍ତିର ଅବସାଦ ନାହିଁ
ପଲକ ପଡୁନି ଦୁଇ ନୟନେ
ମୋ ପ୍ରିୟା ତେରେଛି ଚାହାଣି ଆନକୁ
ପଥ ଓଗାଳିବ ଯେ ପ୍ରତିକ୍ଷଣେ
ଦୁହେଁ ଦୁହିଁଙ୍କର ନିରୁତା ପ୍ରେମକୁ
ବଞ୍ଚାଇ ରଖନ୍ତୁ ଜଗତ ସାଇଁ
ବିରହ ବିଚ୍ଛେଦ ନଆସୁ ଜୀବନେ
(ଯେହ୍ନେ) ଭ୍ରମରକୁ ପଦ୍ମ ଚାନ୍ଦକୁ କଇଁ
(ପ୍ରକୃତିବନ୍ଧୁ ଭୀଷ୍ମଗିରି,
ମୋବାଇଲ-୯୪୩୮୨୫୧୧୨୬)
॥ପ୍ରେମ ॥
ରାଖାଲ ଚନ୍ଦ୍ର ସ୍ୱାଇଁ
ମନରେ ତୁମେ ମୋ ସପନେ ତୁମେ,
ତ କଳ ନିନାଦିନୀ ପିଆସୀ ନଈ।
କାଚ କେନ୍ଦୁ ଦେହେ ଖିଲି ଖିଲି ହସି,
ପିରତି ଜୁଆରେ ନିଅ ଭସେଇ।୧।
ରାତି ଯାଏ ସରି,ସପନେ ତୁମରି,
ଦିନ ସରେ କରି ତୁମ ଭାବନା।
ମୋ ମନ ମରୁରେ ଖେଳେ ସବୁଜିମା,
ଛୁଇଁ ତୁମ ସୁଧା ପ୍ରୀତି ଝରଣା।୨।
ପହିଲି ଦେଖାରୁ ପ୍ରଲେପିଲ ମନ,
ପ୍ରେମ ପ୍ରଣୟର ଅଲିଭା ରଙ୍ଗେ।
ପିଆସୀ ଓଠ କୁ ମତୁଆଲା କରି,
ଚୁମି ଗଲ ମୋର ପ୍ରଣୟୀ ଅଙ୍ଗେ।୩।
ବସା ବାନ୍ଧେ ମନେ ଅସୁମାରୀ ସ୍ବପ୍ନ,
ଭାସି ବୁଲେ ମନ ପରୀ ରାଇଜେ।
ପ୍ରୀତି କୁ ନିରେଖି ଫଗୁ ବୋଳା ଚାନ୍ଦ,
ମେଘ ଦେହେ ମୁହଁ ଲୁଚାଏ ଲାଜେ।୪।
ବାହୁ ବନ୍ଧନରେ ଥାଅ ଯେବେ ତୁମେ,
ଲାଗେ ସାରା ସୁଖ ଅଛି ମୋ କୋଳେ।
ଚିବୁକରେ ମାପି ପାନ ପତ୍ର ତାତି,
ଭାସେ ଶତ ସିନ୍ଧୁ ଆନନ୍ଦ ଜଳେ।୫।
ଛୁଇଁଲାଣି ରବି ବାରୁଣୀ ଗଗନ,
ଅସ୍ତରାଗେ ନଇଁ ଗଲାଣି ସଞ୍ଜ।
ତଥାପି ଲିଭିନି ମନ ଅଗଣାରୁ,
ତୁମ ହାତେ ଅଙ୍କା ନାଲି ମୁରୁଜ।୬।
ଫିକା ପଡିନି ସେ ବୟସର ଚକ୍ରେ,
ଫଗୁ ବୋଳା ଚାନ୍ଦ ଲାବଣ୍ୟ ତ୍ବଚା।
ପ୍ରଗଳ୍ଭ ମନେ ମୋ ଭରେ ମାଦକତା,
ପଲ୍ଲବେ ଆମ୍ବର ବଉଳ ପେନ୍ଥା।୭।
ଆମ୍ବ ବଉଳରେ ଥୁଣ୍ଟା ମାରି ଗାଏ,
କୋଇଲି ପ୍ରୀତି ର ମଧୁର ଗୀତ।
ବେପଥୁ ଜାଗୁଛି ଶିରା ପ୍ରସିରାରେ,
ଆଙ୍କୁଛି ଅନୂଢା ସ୍ମୃତି ର ଚିତ୍ର।୮।
କଥା ଦିଅ ପ୍ରିୟା,ଭାଙ୍ଗିବନି ମୋର,
ସପନେ ଗଢା ଉତ୍ତୁଙ୍ଗ ଅଟ୍ଟାଳି।
ଜନମ ଜନମ,ସାତ ଜନ୍ମ ଯାଏ,
ରହିଥାଉ ପ୍ରେମ ସମ୍ପର୍କ ଯୋଡି।୯।
________________
ନୋଟାରୀ,ଭଦ୍ରକ
୯୩୩୭୬୨୩୬୮୫
॥ ପ୍ରେମ ॥
ଗୁଣନିଧି ମହଲା
ରଖିଲି ପାଦ ମୁଁ ପ୍ରେମର ଦେଶରେ ,
ପାଇଲି କେବଳ ପ୍ରେମକୁ ପାଖରେ ।
କହିଲି ତ ଆଜି ମୁଁ ପ୍ରେମର ଭାଷା,
ପ୍ରେମ ଯେ ଅଟଇ ଦୁଇ ମନର ବସା ।।୧।।
ରଖିଲି ପାଦ ମୁଁ ପ୍ରେମର ଦେଶରେ ,
ଘୁରୁଥିଲି ଏକା ପ୍ରେମ ନଗରରେ ।
ଘର ଥିଲା ଏଠି କେବଳ ଗଛର ମୂଳ ,
ପ୍ରେମିକ ପ୍ରେମିକା ହୋଇଥାନ୍ତି ଠୋଲ ।।୨।।
ହେଲା କି ପ୍ରେମ ମୋତେ ତା’ ମୁହଁକୁ ଚାହିଁ ,
ଆକର୍ଷିତ ନୟନେ ଦିଏ ସେ ଭୁଲେଇ ।
ଚାହାଣୀରେ ତା’ର ଅସରା ପୀରତି ,
ଫଶୀ ଗଲି ମୁଁ ଯେ ତାକୁ ନିରେଖି ।।୩।।
କହିଲି ତାକୁ ମୋ ମନର ପୀରତି ,
ଶୁଣିଲା ମନ କର୍ଣ୍ଣ ସ୍ଥିରରେ ରଖି ।
ଦେଲି ତାକୁ ମୁଁ ଯେ ମୋ ମନର ମୋତି ,
ଆପଣେଇ ନେଲା ସେ ଛାତିରେ ଲଗେଇ ।।୪।।
ସଜାଇଲି ତାକୁ ମୋ ମନ ଗହଣରେ,
ନିତି ଦେଖିବା ପାଇଁ ବାସ୍ତବ ଜୀବନେ ।
ସମୟ ହେଲା ଏବେ ଫେରିବାର ବେଳ ,
ପାସୋରି ଦେଲି ମୁଁ ମୋ ପୀରତିର କୋଳ ।।୫।।
ବାସ୍ତବ ନଗର ରୁ ନେଲି ବିଦାୟ ,
ପ୍ରେମ ନଗର କୁ ଘେନି ଆଶ୍ରୟ ।
ପାସୋରି ଦେଲି ମୁଁ ଜୀବନର ଲକ୍ଷ୍ୟ ,
ଆପଣେଇ ମୋ ନାୟିକା ର କୋଳ ।।୬।।
_________
ବନ୍ଧପାଲି,ସୁବର୍ଣ୍ଣପୁର
॥ ପ୍ରେମ ॥
ଶ୍ୟାମସୁନ୍ଦର ହେର୍ଣ୍ଣା
ତୁମେ କାଗଜ ମୁଁ ଡ଼ଙ୍ଗା
ଜୀବନେ ମୋହର ଅଧା ଅଧୁରା ଗୋ
ତୁମ ପାଇଁ ମୁଁ ମହଙ୍ଗା
ତୁମେ କାଗଜ ମୁଁ ଡ଼ଙ୍ଗା ll
ତୁମେ ଚନ୍ଦ୍ର ମା ମୁଁ କଇଁ
ଜୀବନେ ମୋହର ଅଧା ଅଧୁରା ଗୋ
ତୁମେ ନ ଆସିଲେ ଉଇଁ
ତୁମେ ଚନ୍ଦ୍ରମା ମୁଁ କଇଁ ll
ତୁମେ ଶ୍ରାବଣ ମୁଁ ନଈ
ଜୀବନେ ମୋହର ଅଧା ଅଧୁରା ଗୋ
ତୁମ ପାଇଁ ଯାଏ ବହି
ତୁମେ ଶ୍ରାବଣ ମୁଁ ନଈll
ତୁମେ ରଜନୀ ମୁଁ ଜହ୍ନ
ଜୀବନେ ମୋହର ଅଧା ଅଧୁରା ଗୋ
ଉଷା କରେ ଅଭିମାନ
ତୁମେ ରଜନୀ ମୁଁ ଜହ୍ନ ।
___________________
ଝୋଳପଥର,ଖଡ଼ିଆଳ
ନୂଆପଡ଼ା