କଥାଦେଇ ଥିଲ ଫେରିବାକୁ
ସୁରେନ୍ଦ୍ର କୁମାର ବେହେରା
କଥାଦେଇ ଥିଲ ଫେରିବାକୁ କାହ୍ନୁ
ଝୁରେ ବସି ରାଧାରାଣୀ
ଝୁରୁଛି ଯମୁନା ଝୁରୁଛି କଦମ୍ବ
ଯଶୋଦା ଝୁରି ବାୟାଣୀ ।1।
ଗାଈ ଗୋଠେ ଶୁଭେ ହମ୍ବା ହମ୍ବା ରଡି
ଚରିବାକୁ ଯିବେ ବନ
ସୁଦାମା ସୁବଳ ଗୋପ ଦାଣ୍ଡେ ବୁଲି
ଊଣା କରୁଛନ୍ତି ମନ ।2।
ଯମୁନା କୂଳରେ କଦମ୍ବ ମୂଳରେ
ଶୁଭୁନାହିଁ ବଂଶୀ ସ୍ଵନ
ଗୋପେ ଗୋପାଳୁଣୀ ସତେକି ବାୟାଣୀ
ଝୁରି ଝୁରି ରାତି ଦିନ ।3।
ଗୋପପୁର ବାସୀ ଝୁରି ହେଉଛନ୍ତି
ଫେରିଆସ ତୁମେ ଶ୍ୟାମ
ଶ୍ରୀଚରଣେ ତଵ ଶରଣ ପଶୁଛି
ଦିବା ନିଶି କରି ଧ୍ୟାନ ।4।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର ।