ତମେ ମତେ କହିଥିଲ
ସୁରେନ୍ଦ୍ର କୁମାର ବେହେରା
ଯେଉଁ ଠିକଣାରେ ଘର ତୋଳିବାକୁ
ତମେ ମତେ କହିଥିଲ
ଏବେବି ରହିଛି ସେଠିକଣା ମୋର
ଜାଣି ପୁଣି ଭୁଲ କଲ ।1।
ଆଖିରେ ଆଖିଏ ସ୍ବପ୍ନ ଭରିଦେଇ
ତୋଳିଲ ମିଳନ ତାଜ
ଋତୁବସନ୍ତରେ ଆଉକା ସାଥୀରେ
ପ୍ରୀତିରେ କରୁଛ ରାଜ ।2।
ନୀଳ ଆକାଶର କୁଆଁରୀ ଜହ୍ନଟା
ସ୍ମୁତିର ଚାଦର ତଳେ
ଆମ ମିଳନର ଗୀତି ମଲ୍ଳାରକୁ
ଶୁଣାଉଛି ମାଟି କୋଳେ ।3।
ବୁଝି ପାରିଲିନି ତୁମ ପ୍ରେମ ଦିନେ
ମୋପାଇଁ ଗରଳ ହେବ
ଛଳନାରେ ମତେ ବଶୀଭୂତ କରି
ଯାଯାବର ସଜାଇବ ।4।
ସକାଳ ମୋପାଇଁ ଅଲୋଡା ପ୍ରେୟସୀ
ଗୋଧୂଳି ଧୂସର ଧୂଆଁ
ବିଦଗ୍ଧ ହୃଦୟ ଏମନରେ ଭୟ
ବିରହ ଯନ୍ତ୍ରଣା ନିଆଁ ।5।
ଯେଉଁ ଓଠେଦିନେ ଅନୁରାଗେ ହସି
ଆଖିରେ ଇସରା ଦେଲ
ଏମନକୁ ନିଜ ଆୟତରେ ରଖି
ପ୍ରେମ ଭାଷା ଶିଖାଇଲ ।6।
କେଇଟା ଦିନରେ ଆଉକା ସିନ୍ଦୂର
ମଥାରେ ପିନ୍ଧିଲ ହସି
ବିରହ ଯନ୍ତ୍ରଣା ମୋପ୍ରୀତି ପାଉଣା
ଆଖିଲୁହ ପିଏ ବସି ।7।
ତୁମରି ପ୍ରେମକୁ ହୃଦୟେ ସାଇତି
ଯନ୍ତ୍ରଣାକୁ ସହି ଯିବି
ଗାଆଁ ମଶାଣୀକୁ ମୋ କୋକେଇ ଯିବ
ଲୁହ ଗଡେଇବୁ ଭାବି ।8।
ମନର ମିଳନ ପ୍ରେମର ବନ୍ଧନ
ଜନମ ଜନମ ପାଇଁ
ଆର ଜନମକୁ ଆମ ଏସମ୍ପର୍କ
ରହୁ ପ୍ରିୟା ସ୍ମୃତି ହୋଇ ।9।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର