ସେମାନଙ୍କୁ ବୁଝାଇଦିଅ
କୈଳାସ ଚ଼ନ୍ଦ୍ର ପାଢ଼ୀ
ଆଜି—-
ମାଟିରୁ ମରିଯାଉଛି ସ୍ବପ୍ନ
ଭରି ଯାଉଛି ଦୁଃସ୍ବପ୍ନ
ଆଖିରେ ଆଖିରେ ।
ପକ୍ଷୀମାନେ ଇତଃସ୍ତତ
ନିଜ ନିଜର
ଅସୁରକ୍ଷିତ ନୀଡ଼ରେ
ଚେଁ ଚ଼ାଁ କୋଳାହଳରେ
ବିଦୀର୍ଣ୍ଣ ହୋଇଯାଉଛି ପୃଥିବୀ
ସ୍ବର୍ଗ ପାଲଟି ଯାଉଛି ଶ୍ମଶାନ
ଦେଖ ଦେଖ ମୃତ୍ୟୁର ଆହ୍ବାନ
ଉଦ୍ଧତ-ଅହଙ୍କାରର
ପଞ୍ଝାତଳେ କରୁଣ ଜୀବନ ।।
କାହାର ଏ ଦୋଷ ?
କାହାପାଇଁ ପ୍ରତିହତ
ମାଟିର ଏ ମଧୁର-ଆଶ୍ଳେଷ ??
ସେମାନେ ବୋଧେ
ଶୁଣି ନାହାଁନ୍ତି
ଜୀବନର ମଧୁର-ରାଗିଣୀ,
ହତାଶା ଓ ନିରାଶାର
ନିସ୍ପୃହ-ନିଦାଘ କୋଳେ
ସେମାନେ ଅଛନ୍ତି ଦେଖି
ଡହ ଡହ ନିଆଁ ର ଡାହାଣୀ ।।
ହେ ତତ୍ତ୍ବଦର୍ଶୀ !
ସେମାନଙ୍କୁ ବୁଝାଇଦିଅ
ସେମାନେ ଫେରିଆସନ୍ତୁ
ବିଷାଦ ଋତୁର
ସେ ଇଲାକାରୁ
ଏଠି ବସନ୍ତ ଅଛି
ଜୀବନ ଅଛି
ଫୁଲ ଅଛି
ଫଳ ଅଛି
ସ୍ବପ୍ନ ଅଛି
ଏବଂ ସର୍ବୋପରି
ସ୍ବର୍ଗର ସମସ୍ତ
ବିଭବ ବି ଅଛି ।।