ଅଦିନ ମେଘ
ସୁକାନ୍ତ ଖଣ୍ଡା
ଅଦିନ ମେଘର ରାଜୁତି।
କୁଆଡେ଼ ଓ କାହାକୁ
ଶାସନ ଅଛି କି ନାହିଁ
ଆଈଙ୍କ ଘର ଅଗଣାକୁ ଭରପୂର ରାଗ।
କେତେ ଦିନ ହେଲାଣି କାଦୁଅର ଛିଟା
ଚାଲି ହେଉଛି ନା ବସି ହେଉଛି?
ଘର ଭିତରଟା ସମୁଦ୍ରର ଲହଡି଼।
ଆଈଙ୍କର ଲୁହ କି
ଚାଳ ଛପର ହୋଇନି କି
ବଡି଼ ଦୁଇଟା ବି ଶୁଖିନି?
ଭାବିଥିଲା ଲୁଣ ଟିକିଏ କିଣିକି ଆଣିବ
ଏ ଅଦିନ ମେଘରେ
ଯିବ ବା କେମିତି?
ଶୁଖିଲା କାଠ ଅଛି ନା ଚାଉଳ
ଗ୍ରାମ ପଞ୍ଚାୟତଟା ବି ଠିକ୍ ବେଳକୁ ନୀରବ।
ଭୋକରୁ ଆଈଙ୍କ ଆଖିରେ ଲୁହ
ଯିଏ ଘରର ସବୁକୁ ହିଁ ହରେଇବା ପରେ
ଏକୁଟିଆ ବଂଶ ବଢେଇବାକୁ
ଈଶ୍ବର ବୋଧେ ବଞ୍ଚେଇକି ରଖିଛି।
ଆଜି ତ ଅଦିନ ମେଘରେ ଜୁଡୁବୁଡୁ
ଆଈ କୋଠାରେ ବସି ଭାବୁଥିଲେ
ହଠାତ ଚାଳଟା ଭୁଷୁଡି଼ ପଡି଼ଲା
ଅଥଚ ରାହା ଧରି ଡାକି ପାରିଲାନି।
ଦେଖ ତ !
ଅଦିନ ମେଘର ଖଞ୍ଜକୁ
ଯିଏ ଲୁଚିଲୁଚି ଆସି
ସବୁକୁ ହିଁ ଚାଟି ଖାଇଦେଲା।