ବାହୁଡା଼ ଯାତ୍ରା
ସୁରେଶ ଚନ୍ଦ୍ର ପାଢୀ
ବାହୁଡା଼ ଯାତ ରେ ବାହୁଡ଼ିବ ତୁମେ,
ଗୁଣ୍ଡିଚା ମନ୍ଦିରୁ ଶିରି ମନ୍ଦିରକୁ
ସଂସାର ସାଗରୁ ବାହୁଡ଼ି ଯିବି ମୁଁ,
ଦେହ ଯିବ ମଶାଣୀକୁ
ନଅ ଦିନ ପାଇଁ ଆସିବସି ଥିଲ
ତୁମ ଗୁପ୍ତ ବୃନ୍ଦାବନ
ନବ ଦ୍ୱାର ଦେହରେ ରହିଥିଲି ମୁଁ
ପାଇ ମଣିଷ ଜୀବନ
ଦଶମୀ ତିଥିରେ ଝୁଲି ଝୁଲି ଯିବ
ନନ୍ଦୀଘୋଷ ରଥକୁ
ଦଶ ଇନ୍ଦ୍ରିୟ ମୋ ଅଚଳ ହୋଇବ
ଟେକି ନେବେ କୋକେଇକୁ
ଜନମ ବେଦୀ ରେ ତୁମେ ଲୀଳା କଲ
ଭକତଙ୍କ ସଙ୍ଗେ ରହି
ଜନ୍ମ ହେଲା ଦିନୁ ମାୟା ରେ ପଡିଲି
ବିକାର କୁ ହୃଦେ ବହି
ଭକ୍ତ ମୁଖେ ହରିବୋଲ ଶୁଣିଫେରି ଯିବ
ତୁମ ବଡ଼ ଦେଉଳକୁ
ଶବ ଗଲା ବେଳେ ହରିବୋଲ ଥିବ
ଛାଡି ଯିବି ସଭିଙ୍କୁ