ଦେଶର ଅର୍ଥନୈତିକ ପରିସ୍ଥିତି ଦିନ କୁ ଦିନ ଧ୍ବଂସାଭିମୁଖୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାରତୀୟ ଅର୍ଥନୀତିର ପ୍ରମୂଖ ସଂସ୍ଥା ମଧ୍ୟରେ ଅନ୍ୟତମ ବ୍ୟାଙ୍କ ସମୁହ ଏବେ ନିଜ ଅସ୍ତିତ୍ଵକୁ ନେଇ ଚିନ୍ତିତ ଓ ଉଦବେଗ ପ୍ରକାଶ କରିଛନ୍ତି। ଭାରତ ସରକାର ପୂର୍ବରୁ ଏକାଧିକ ବ୍ୟାଙ୍କକୁ ଏକତ୍ରୀକରଣ କରିବା ପରେ ଏବେ ପୁଣିଥରେ ବ୍ୟାଙ୍କ ଗୁଡ଼ିକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେବାକୁ ଅଣ୍ଟା ଭିଡିଛନ୍ତି। ଯାହାକୁ ନେଇ ଦେଶରେ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀ ସରକାରଙ୍କ ଏଇ ଘରୋଇକରଣ ନିଷ୍ପତ୍ତିକୁ ଦୃଢ଼ ପ୍ରତିବାଦ କରିଛନ୍ତି। ଗତ ଡିସେମ୍ବର ୧୭ ଓ ୧୮ ତାରିଖ ଦୁଇ ଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। ଫଳରେ ଗ୍ରାହକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହୋଇ ଦୈନନ୍ଦିନ ଖର୍ଚ୍ଚ ପାଇଁ ଗୋଟିଏ ଏଟିଏମ୍ ରୁ ଆଉ ଗୋଟିଏ ଏଟିଏମ୍ କୁ ଦଉଡୁଥିବା ଦେଖିବାକୁ ମିଳିଥିଲା। ଯେଉଁ ବ୍ୟାଙ୍କ କର୍ମଚାରୀ ମାନେ ନୋଟବନ୍ଦୀ ବେଳେ ଦିନ-ରାତି ବ୍ୟାଙ୍କରେ ଖଟି ସରକାରଙ୍କ ରାଜକୋଷକୁ ୯୯% ପୁରୁଣା ନୋଟ ସଂଗ୍ରହ କରି ପ୍ରଶଂସା ସାଉଁଟି ଥିଲେ, ଆଜି ସେହି କର୍ମଚାରୀଙ୍କ ଜୀବନ ଜୀବିକା ଉପରେ ସରକାର ଦାଉ ସାଜିଛନ୍ତି।
ହେଲେ ଆଶ୍ଚର୍ଯ୍ୟର ବିଷୟ , ଯେଉଁ ବ୍ୟାଙ୍କ କର୍ମଚାରୀ ମାନେ ଦିନେ ଗରୀବ ଖଟିଖିଆ ବ୍ୟାଙ୍କର ଦୁଆର ମାଡିଲେ ନାକ ଟେକୁଥିଲେ, ଆଜି ସେହି ସଂସ୍ଥାର କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ର ଘରୋଇକରଣ ଯୋଗୁଁ କି ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ। ଅତୀତରେ ୧୯୬୯ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଗରୀବ ଶ୍ରେଣୀର ଲୋକଙ୍କ ଉତ୍ଥାନ ପାଇଁ ବ୍ୟାଙ୍କ୍ ଗୁଡ଼ିକୁ ରାଷ୍ଟ୍ରୀୟ କରଣ କରିଥିଲେ। ଏହା ଏକ ଐତିହାସିକ ପଦକ୍ଷେପ ଥିଲା ଓ ଏହା ଦ୍ଵାରା ଗରୀବ ଲୋକଙ୍କ ଆର୍ଥିକ ପ୍ରଗତି ସମ୍ପୂର୍ଣ୍ଣ ହୋଇ ନ ଥିଲେ ହେଁ କିଛିମାତ୍ରାରେ ସଫଳ ପ୍ରୟାସ ଥିଲା ବୋଲି କୁହାଯିବ। ପରବର୍ତ୍ତୀ ସମୟରେ ଏହି ସଂସ୍ଥା ଗୁଡ଼ିକ ପୁଞ୍ଜିପତିଙ୍କ ଆଡ଼କୁ ଢଳିବା ଯୋଗୁଁ ବ୍ୟାଙ୍କ ରାଷ୍ଟ୍ରୀୟକରଣର ଅସଲ ଉଦ୍ଦେଶ୍ୟରୁ ଲକ୍ଷ୍ୟ ବିଚ୍ୟୁତ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ବର୍ତ୍ତମାନ ଗତ ୨୦୧୪ ମସିହାରୁ ଦେଶର ଆର୍ଥିକ ମାନଚିତ୍ରକୁ ଯଦି ସମୀକ୍ଷା କରାଯାଏ ତେବେ ପୂର୍ବ ସରକାରଙ୍କ ଅପେକ୍ଷା ଏବେ ଆହୁରି ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବବର୍ତ୍ତୀ ସରକାରଙ୍କ ଅର୍ଥନୀତିକୁ ଦୃଢ଼ ସମାଲୋଚନା କରି କ୍ଷମତାକୁ ଆସିବାରେ ସଫଳ ହୋଇଥିଲେ ହେଁ ତାଙ୍କ ସରକାର ଦେଶର ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦେଶବାସୀ ଅନୁଭବ କରୁଛନ୍ତି। ଏହାର ପ୍ରମାଣ ରିଜର୍ଭ ବ୍ୟାଙ୍କ ର ଅନେକ ଗଭର୍ଣ୍ଣର ତାଙ୍କ ପଲିସିକୁ ନାପସନ୍ଦ କରି ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପୂର୍ବରୁ ଇସ୍ତଫା ଦେଇ ଚାଲିଯିବା। ସେମାନଙ୍କ ମଧ୍ୟରୁ ବିଶ୍ଵପ୍ରସିଦ୍ଧ ଅର୍ଥନୀତିଜ୍ଞ ରଘୁରାମ ରାଜନ୍ ଙ୍କ ନାମ ସର୍ବାଗ୍ରେ ଓ ପରେ ମୋଦିଙ୍କ ପ୍ରିୟ ଉର୍ଜିତ ପଟେଲ। ଶେଷରେ ଏତେବଡ଼ ରାଷ୍ଟ୍ରରେ ଅର୍ଥନୈତିକ ବିଶାରଦଙ୍କ ଅଭାବକୁ ପୂରଣ କରିବା ପାଇଁ ଇତିହାସ ବିଶାରଦ ଶଶୀ କାନ୍ତ ଦାସଙ୍କୁ ଏହାର ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଦେଶର ବିଭିନ୍ନ ବ୍ୟାଙ୍କ ଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ପୁଞ୍ଜିପତି ମାନେ ଦେଶରୁ ପଳାୟନ କରିବା ସହିତ ବଡ଼ବଡ଼ କମ୍ପାନୀ ଗୁଡ଼ିକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣଛାଡ଼ କରି ସରକାର ପୁଞ୍ଜିପତିଙ୍କ ପ୍ରିୟପାତ୍ର ହୋଇଥିବା ବେଳେ ଦେଶବାସୀ ଦରଦାମ୍ ବୃଦ୍ଧି, ବେରୋଜଗାର ଭଳି ସମସ୍ୟାର ସାମନା କରି ତଳିତଳାନ୍ତ ହୋଇ ଗଲେଣି। ଗତ ୪୫ ବର୍ଷରେ ସର୍ବାଧିକ ବେରୋଜଗାରୀ, ୧୨ ବର୍ଷରେ ସବୁଠାରୁ ଅଧିକ ମହଙ୍ଗା ଦର ୧୪.୧୨% ବୃଦ୍ଧି ପାଇଛି, ସେହିପରି ରିଜର୍ଭ ବ୍ୟାଙ୍କର ଲାଭାଂଶ କୁ ଦୁଇ ଥର ଶହଶହ କୋଟି ଟଙ୍କା ସରକାର ନିଜ ସଉକ ପୁରଣ ପାଇଁ ରାଜକୋଷକୁ ଖାଲି କରି ଦେବା ଏହାର ପ୍ରମୁଖ କାରଣ। ଖାଲି ସେତିକି ନୁହେଁ କୋରୋନା ମହାମାରୀ ର ଆର୍ ଦେଖାଇ ଲୋକଙ୍କୁ ମାଗଣା ଟୀକା ନାଁ ରେ ପେଟ୍ରୋଲ ଡିଜେଲ ଗ୍ୟାସ୍ ସିଲିଣ୍ଡର୍ ଉପରେ ମୂଲ୍ୟବୃଦ୍ଧି କରି ଶୋଷଣ କରି ଚାଲିଛନ୍ତି। ସେହିପରି ଅନେକ ଜାତୀୟ ଉଦ୍ୟୋଗ ଗୁଡ଼ିକର ବିକ୍ରୟ କରି ଚାଲିଥିବା ସତ୍ବେ ସରକାରଙ୍କୁ ଘରୋଇକରଣ ନିଶା ଏପରି ଘାରିଛି ଯେ କୌଣସି ଗୋଟିଏ ହେଲେ ସଂସ୍ଥା ଏଥିରୁ ନିସ୍ତାର ପାଇବା ଆଶା କ୍ଷୀଣ ଦେଖାଯାଏ।
ବ୍ୟାଙ୍କ ଗୁଡିକ ଗ୍ରାହକଙ୍କ ଠାରୁ ଜମା- ଉଠାଣ, ଏଟିଏମ୍ ସେବା, ସର୍ବନିମ୍ନ ଜମା, ନେଟ୍ ବ୍ୟାଙ୍କିଙ୍ଗ ସେବାରୁ ହଜାର ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି, ସେହିପରି ଏନପିଏ ଓ ଅନ୍ୟାନ୍ୟ ସ୍ରୋତରୁ ଅର୍ଥ ଆଦାୟ କରୁଥିବା ବେଳେ ବ୍ୟାଙ୍କ ଗୁଡିକ କିପରି କ୍ଷତିରେ ଚାଲୁଥିବା ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ? ଠିକ୍ ସେହିପରି କ୍ଷତିରେ ଚାଲୁଥିବା ବ୍ୟାଙ୍କ୍ ଗୁଡ଼ିକୁ ଘରୋଇ କମ୍ପାନୀସବୁ କିଣିବାକୁ ଆଗ୍ରହୀ କାହିଁକି? ସରକାର ଯେଉଁ ଘରୋଇ କମ୍ପାନୀ ଗୁଡ଼ିକ କ୍ଷତିଗ୍ରସ୍ତ ସେହି କମ୍ପାନୀ ଗୁଡ଼ିକୁ ଆର୍ଥିକ ପ୍ୟାକେଜ (ରିହାତି) ଦେବାକୁ କିପରି ଆଗ୍ରହୀ ଓ ସେହି କମ୍ପାନୀ ସରକାରୀ ବ୍ୟାଙ୍କ କିଣିବା ପଛରେ କି ରହସ୍ୟ ରହିଛି ଏହା ଦେଶବାସୀ ଜାଣିବା ଉଚିତ।
ନିଶ୍ଚିତ ଭାବରେ ସରକାର ଗୋଟିଏ ପଟେ ଦେଶର ବିକାଶ କଥା ବଖାଣି ବୁଲୁଥିବା ବେଳେ ଅନ୍ୟ ପଟେ ଦେଶବାସୀଙ୍କ ହାତରେ ଭିକ୍ଷା ଥାଳ ଧରାଇବା ପାଇଁ ଘରୋଇକରଣକୁ ପ୍ରମୁଖ ଅସ୍ତ୍ରଭାବେ ବ୍ୟବହାର କରିଛନ୍ତି ! ଘରୋଇକରଣ ନିର୍ଦିଷ୍ଟ ସଂସ୍ଥା ର ସମସ୍ୟା ନୁହେଁ ବରଂ ଏହା ଦେଶବାସୀଙ୍କ ପାଇଁ ବଡ଼ ସମସ୍ୟା ବୋଲି ଆମେ ସମସ୍ତେ ହୃଦୟଙ୍ଗମ କରି ଘରୋଇକରଣ ର ତୀବ୍ର ବିରୋଧ କରିବା ଏକାନ୍ତ ଅପରିହାର୍ଯ୍ୟ।
ରଜନୀକାନ୍ତ ସମର୍ଲିଆ