ଥୁଆମୂଳ ରାମପୁର :- (ବଳଭଦ୍ର ବାଗଙ୍କ ରିପୋର୍ଟ )ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରି କୋଟିକୋଟି ଟଙ୍କା ବ୍ଯୟ କରୁଛନ୍ତି। ହେଲେ ସେଅନୁପାତରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳର ଇଛାଶକ୍ତିର ଘୋର ଅଭାବ ରହିଥିବା ଭଳି ମନେହୁଏ। କଳାହାଣ୍ଡି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଅଛି ହେଲେ ସେଗୁଡିକ ବର୍ତ୍ତମାନ ଶ୍ରୀ ହୀନ ଅବସ୍ଥାରେ ପଡିରହିଛି ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଥୁଆମୂଳ ରାମପୁର ବ୍ଳକରେ ଥିବା ପର୍ଯ୍ୟଟନ ସ୍ଥଳୀ ଅନ୍ଯତମ ଏଠିକାର ପରିବେଶରେ ରହିଥିବା ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ପରିବେଶ ଜନମାନସକୁ ହରଣ କରିପାରୁଛି। ଶାନ୍ତ ପରିବେଶ ମଧ୍ୟରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଅଛି। ସେଗୁଡିକର ବିକାଶ ଦିଗରେ ସ୍ଥାନୀୟ ରାଜନୈତିକ ଦଳ କିମ୍ବା ବିଭାଗୀୟ ଅଧିକାରୀ ଇଛା ପ୍ରକାଶ କରୁନଥିବା ମନେ ହୁଏ। ସିନ୍ଧେର ଝରଣାକୁ ବର୍ଷତମାମ୍ ଦୂରଦୂରାନ୍ତରୁ ଅନେକ ପର୍ଯ୍ଯଟକ ବଣଭୋଜି କରିବା ପାଇଁ ଆସିଥାନ୍ତି। ହେଲେ ଏଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଯାହାଫଳରେ ପର୍ଯ୍ଯଟକଙ୍କ ଉତ୍ସାହ ଧିରେଧିରେ କମିବାକୁ ଲାଗୁଛି। ସିନ୍ଧେର ଝରଣାର ପାରିପାର୍ଶ୍ବିକ ବିକାଶ କରାଯାଏ ତେବେ ନିଶ୍ଚୟ ଭାବରେ ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିପାରିବ। ଏହାର ବିକାଶ ପାଇଁ ପଚିଶ୍ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବା ବିଷୟ ଜଣାପଡିଛି। ଏହି ଅର୍ଥ ବ୍ଯୟରେ କାମ ଚାଲିଥିଲା କିନ୍ତୁ ଏବେ ସେହି କାର୍ଯ୍ଯ ଠଫ୍ ହୋଇଯାଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ କାର୍ଯ୍ଯ କାହିଁକି ବିଳମ୍ବ ହେଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ସେ ଯାହା ହେଉନା କାହିଁକି ଭଲ ରାସ୍ତା ଖଣ୍ଡେ ଏଯାବତ୍ ହୋଇପାରିନାହିଁ। ତେଣୁ ଅଞ୍ଚଳର ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ତୂରନ୍ତ ବିଭାଗ ପକ୍ଷରୁ ଯାହାସବୁ କାର୍ଯ୍ଯ କରାଯାଉଛି, ତାହା ସମ୍ପୂର୍ଣ୍ଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
next post