ନବରଙ୍ଗପୁର : ରାଇଘର ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳ କୁ ବାହ୍ୟ ମଳ ମୂତ୍ର ରୁ ମୁକ୍ତ କରିବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ରାଇଘର ପଞ୍ଚାୟତ ସମିତିରେ ଅଞ୍ଚଳରେ ସମ୍ପୂର୍ଣ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି । ଜିଲ୍ଲା ସଭାପତି ରମେଶ ମାଝୀ ନେତୃତ୍ୱରେ ଆୟୋଜିତ ଏକ ଶୋଭଯାତ୍ରା ସ୍ଥାନୀୟ ଅମଲା ଭବନ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ପ୍ରତ୍ୟେକ ବିପିଏଲ ପରିବାରକୁପାଇଖାନା ତିଆରି କରିବା ପାଇଁ ସରକାର ଯେଉଁ ନୀତି ଏବଂ ନିୟମ ନିର୍ଦ୍ଧାରଣ କରିଛନ୍ତି ତାହାକୁ ସମ୍ପୂର୍ଣ ରୂପେ ଅଣଦେଖା କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ରାଇଘର ବ୍ଲକରେ ମୋଟ ୩୪୫୦୫ ଗୋଟି ପାଇଖାନା ନିର୍ମାଣ କରାଯାଇଥିବା ବାବଦରେ ୪୧ କୋଟି ୬୦ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିରୁ ରାଇଘର , ଗଞ୍ଜାପରା , ପରୁଆ , ଟିମନପୁର , ତୁରୁଢ଼ି , ପରଚିପାରା , ନାକଟିସିମାଡା , ମୁଣ୍ଡିବେଡା ଗ୍ରାମ ଗୁଡିକରେ ପ୍ରାୟ ୧ ହଜାର ପାଇଖାନା ବେନିୟମ ଭାବରେ ତିଆରି କରାଯାଇଛି ବୋଲି ଅଭିଯୋଗ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶାବଳୀ ଓ ଜିଲ୍ଲା ଜଳ ଏବଂ ପରିମଳ ମିଶନ ନିର୍ଦ୍ଦେଶ ନାମାକୁ ବେଖାତାରି କରି ରାଇଘର ପଞ୍ଚାୟତ ର ବିଭିନ୍ନ ଗ୍ରାମର ବିପିଏଲ ହିତାଧିକାରୀ ଙ୍କ ପାଇଖାନା ଗୁଡ଼ିକୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଛାଡ଼ି ଦିଆଯାଇ ୧୨ କୋଟି ଟଙ୍କାର ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି । ରାଇଘର ବ୍ଲକରେ ପାଇଖାନାରେ ନିର୍ମାଣ ରେ ହୋଇଥିବା ଅନିୟମିତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବିଜେଡି ଦାବି କରିଛି । ଏହି ଦାବିପତ୍ର ପ୍ରଦାନ ବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରି , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି , ଜିଲ୍ଲା ମହିଳା ସଭାପତି ମଞ୍ଜୁଳା ମାଝୀ , ପ୍ରଦୀପ ମାଝୀ , ତାପସ ତ୍ରିପାଠୀ ସମେତ ନଗର ସଭାପତି ପ୍ରମୋଦ ରଥ , ପ୍ରମୋଦ ପାଢ଼ୀ , ସୁନିଲ ସାହୁ , ଦିଲୁ ପଣ୍ଡା ଶହ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।(ମଧୁସୂଦନ ସାହୁ ନବରଙ୍ଗପୁର)