- ନବରଙ୍ଗପୁର, : ପୁଣି ଜିଲ୍ଲାରେ ଭିଜିଲାନ୍ସ ହାତରେ ଧରାପଡିଲେ ଜଣେ ସରକାରୀ କାର୍ଯ୍ୟରତ ମହିଳା । ନବରଙ୍ଗପୁର ଜିଲ୍ଲା ଝରିଗାଁ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ ଆସିଥିବା ପୋଷାକ ଓ ସ୍ବିଟର୍ ବାବଦ ବିଲ୍ ପାସ୍ କରିବା ପାଇଁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଝରିଗାଁ ସିଡିପିଓ ସୁଷମା ପ୍ରସାଦ। ପୂର୍ବର ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ରାସାୟନ ବୋଳା ନୋଟ୍ ମଧ୍ୟ ତାଙ୍କ ନିକଟରୁ ଜବତ କରିଛି। ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ୍ କଟ୍ରିଛାପର ସେକ୍ଟରରେ ଥିବା ୧୪ଟି ଅଙ୍ଗନବାଡି କେନ୍ଦ୍ରର ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ ପୋଷାକ ଓ ସ୍ବିଟର୍ କିଣାବା ନିମନ୍ତେ ୨ ଲକ୍ଷ ୧୧ ହଜାର ଟଙ୍କା ବିଲ୍ ହୋଇଥିଲା। ଏହାକୁ ଅନୁମୋଦନ ନିମନ୍ତେ ସିଡିପିଓ ସୁଷମା ପ୍ରସାଦ ୨୭ ହଜାର ଲାଞ୍ଚ ଟଙ୍କା ମାଗିଥିଲେ। ଏ ନେଇ ଅଙ୍ଗନବାଡି କର୍ମୀମାନେ ନବରଙ୍ଗପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନା ଅନୁଯାୟୀ ରସାୟନ ବୋଳା ନୋଟ୍ ତୋହରାକାରିଗୁଡ଼ା ଅଙ୍ଗନବାଡି କର୍ମୀଙ୍କୁ ଦେଇଥିଲେ। ଏହି ନୋଟ୍ ନେଇ କର୍ମୀମାନେ ଆଜି ସଂଧ୍ୟା ସାଢ଼େ ୬ଟାରେ ଝରିଗାଁରେ ରହୁଥିବା ସିଡିପିଓଙ୍କ ବାସଭବନରେ ପହଞ୍ଚିଥିଲେ। ସିଡିପିଓ ନୋଟ୍ ଧରିବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଥିଲା। ରସାୟନ ବୋଳା ନୋଟ୍ ଜବତ କରିବା ସହ ସିଡିପିଓ ସୁଷମା ପ୍ରସାଦଙ୍କୁ କାବୁ କରିଥିଲା। ଏହାପରେ ଭିଜିଲାନ୍ସର ୩ଟି ଟିମ୍ ସିଡିପିଓଙ୍କ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜଳସେଚନ କଲୋନିରେ ଥିବା ଘର, ଝରିଗାଁ ସିଡିପିଓ କାର୍ଯ୍ୟାଳୟ ଓ ଭଡ଼ା ଘରେ ଏକକାଳୀନ ଚଢ଼ଉ କରିଥିଲା। ତେବେ ସିଡିପିଓଙ୍କ କାର୍ଯ୍ୟାଳୟରେ ସେପରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିନଥିବା କହିଛନ୍ତି ଭିଜିଲାନ୍ସ ଭାରପ୍ରାପ୍ତ ଡିଏସ୍ପି କଳାବତି ବାଘ।ମଧୁସୂଦନ ସାହୁ ନବରଙ୍ଗପୁର