ଫୁଲଠୁଁ କୋମଳ ମନଟିଏ ମୋର
ସପନ ଆକାଶ ଛୁଆଁ,
ଆସନ୍ତା କାଲିର ଭବିଷ୍ୟତ ମୁହିଁ
ଅପେକ୍ଷା ରଖେ ଦୁନିଆଁ।।
ସୁନୀଳ ଆକାଶେ ଜହ୍ନଟିଏ ହେବି
ଝଲସି ଉଠିବି ଦିନେ,
ସ୍ନେହ ଶ୍ରଦ୍ଧା ଶିକ୍ଷା ମୋ’ପାଇଁକି ଲୋଡ଼ା
କେତେ କଥା ଭାବେ ମନେ।।
ଚକଟା ମାଟିରେ ଗଢା ପୁତ୍ତଳିକା
ଯେମିତି ଗଢ଼ିବ ମୋତେ,
ପଢ଼ିବି ବଢ଼ିବି ଆଗକୁ ମୁଁ ଯିବି
ଦୀପ ଟିଏ ହେବି ସତେ।।
ନାହିଁ ମୋ ଅନ୍ତରେ କଳୁଷ କଳଙ୍କ
ଗଙ୍ଗା ଠୁଁ ନିର୍ମଳ ମନ,
ଲୋଭ ମିଛ ମାୟା ଜାଣେନା ମୁଁ କିଛି
ଖେଳନାରେ ମୋର ଧ୍ୟାନ।।
ଶିଶୁଟିଏ ମୁହିଁ କୁସୁମ କଳିକା
ସୌରଭ ବାଣ୍ଟିବି ଦିନେ,
ଜ୍ଞାନ କୌଶଳରେ ପ୍ରତିଭା ଦେଖାଇ
ଲାଗିବି ଜନ କଲ୍ୟାଣେ।।