ରାଉରକେଲା/ ବିଶିଷ୍ଟ ଶିକ୍ଷାବିତ ପୂର୍ବ ଆରଇସି ଓ ବର୍ତ୍ତମାନର ଏନଆଇଟି ର ପ୍ରାକ୍ତନ ଅଧ୍ୟକ୍ଷ, ଭାରତର ଜଣେ ଜଣାଶୁଣା ଧାତୁବିଜ୍ଞାନ ବିଶାରଦ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଗବେଷଣା ପାଇଁ ପ୍ରସିଦ୍ଧ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତି ଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କର ସରଳ,ଅମାୟିକ ବ୍ୟବହାର ଓ ଉଚ୍ଚମାନର ଶିକ୍ଷା ପ୍ରଦାନର କୌଶଳ ଯୋଗୁଁ ସେ ତାଙ୍କ ଛାତ୍ରମହଲରେ ଖୁବ୍ ପ୍ରିୟପାତ୍ର ଥିଲେ। ୧୯୪୧ ମସିହା ଅକ୍ଟୋବର ୧ତାରିଖ ଦିନ କଟକରେ ଜନ୍ମିତ ସ୍ବର୍ଗତ ମହାନ୍ତି ୧୯୬୧ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଧାତୁ ବିଜ୍ଞାନରେ ଇଂଜିନିୟରିଂ ସ୍ନାତକରେ ପାସ କରି ୧୯୬୩ଯାଏ ସେଇ ବିଶ୍ବବିଦ୍ୟାଳୟ ରେ ଅଧ୍ୟାପନା କରିଥିଲେ। ସେ କମନୱେଲଥ ସ୍କଲାରସିପ୍ ପାଇଁ ଇଂଲଣ୍ଡ ର ସେଫିଲ୍ଡ ବିଶ୍ବବିଦ୍ୟାଳୟରେ ଏମ୍ ଟେକ ଓ ପିଏଚଡି ଲାଭ କରିଥିଲେ। ଜୟପୁରର ମାଲବ୍ୟ ଇଂଜିନିୟରିଂ କଲେଜରେ ଅଳ୍ପ କିଛି ଦିନ ଅଧ୍ୟକ୍ଷ ପଦରେ ରହି ୧୯୬୮ରେ ରାଉରକେଲା ଆରଇସି ରେ ସହଯୋଗୀ ପ୍ରଫେସର ଭାବେ ଯୋଗଦେଇ ଥିଲେ। ୧୯୯୮ରେ ସେ ତତ୍କାଳୀନ ଆରଇସି ରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଧାତୁବିଜ୍ଞାନ ଉପରେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ସ୍ତରରେ ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି। ସ୍ବର୍ଗତ ପ୍ରଫେସର ମହାନ୍ତି ରାଉରକେଲା ଅରବିନ୍ଦ ସ୍କୁଲର ନିର୍ଦ୍ଦେଶକ ପଦରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ। ସେ ଶ୍ରୀମା ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟର,ରାଉରକେଲା ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟ ରହିଥିଲେ। ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ବହୁ ପୁରସ୍କାରରେ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ମୃତ୍ୟୁସମୟରେ ତାଙ୍କ ସହଧର୍ମିଣୀ ଶିକ୍ଷାବିତ୍ ଡଃ ଜୋସ୍ନା ପଟ୍ଟନାୟକ, ପୁତ୍ର ପ୍ରଫେସର ଡଃ ସଂଜୀବ ମହାନ୍ତି, ପୁତ୍ରବଧୁ ଡଃ ସାଗରିକା ମହାନ୍ତି ଓ ନାତି ଉପସ୍ଥିତ ଥିଲେ। ତାଙ୍କ ଝିଅ ସୃଜନୀ ଓ ଜାମାତା ସଂଯୋଗ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପରିବାରବର୍ଗ ତଥା ସଂପୃକ୍ତ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। (ରାଉଲକେଲା ରୁ କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ)
previous post