କସ୍ତୁରୀ
ସୁଷମାମଞ୍ଜରୀ ମିଶ୍ର
କିବା ଲାଭ ଅଛି ସୁନ୍ଦର ଚର୍ମରେ
ଦିନେ କଦାକାର ହେବ,
ହୃଦୟ ସୁନ୍ଦର ଥିଲେ ସିନା ତୁମେ
ଯୁଇରେ ଜିଇଁ ପାରିବ |
ସୃଷ୍ଟିକର୍ତ୍ତାଙ୍କର ଅପୂର୍ବ ସୃଷ୍ଟିରେ
ସ୍ୱତନ୍ତ୍ରତା ଅଛି ଭରି,
ନିଜ ମଧ୍ୟେ ଅଛି କିଛି କିଛି ଶକ୍ତି
ହୃଦୟକୁ ଦିଅ ଘୋରି |
କସ୍ତୁରୀ ସନ୍ଧାନେ ମୃଗ ଘୁରିବୁଲେ
ଚିହ୍ନେ ନାହିଁ ନିଜ ଗୁଣ,
ନିଜ ଅଜ୍ଞାନତା ବିବ୍ରତ କରାଏ
ବାଛେ ଅନ୍ଧକାର ବଣ |
କିଛି ନାହିଁ ବନ୍ଧୁ କ୍ଷଣିକ ଜୀବନ
କଞ୍ଚାରେ ବି ଝଡିପଡ଼େ,
ପାଚିଲା ବେଳକୁ ଆପଣାର ଲୋକ
ବେଳ ଥାଉ ଥାଉ ତଡେ |
ପରଶ୍ରୀକାତର ଅହଂକାର ନିଆଁ
ବ୍ୟାପି ଯାଏ ପାତାଳକୁ,
ନିଜ ଅଜାଣତେ ନିଜେ ପଡ଼ିଯିବ
କାନ୍ଦୁଥିବ ଉଠିବାକୁ |
ଶ୍ରଦ୍ଧା ଆଉ ପ୍ରେମ ବାଣ୍ଟିଦିଅ ବନ୍ଧୁ
ପରସ୍ପର ହାତଧରି,
କଳୁଷିତ ମନ ବଦଳେଇଦିଅ
ହେଉ ସଦା ପୁଷ୍ପବାରି |
ସୁଷମାମଞ୍ଜରୀ ମିଶ୍ର
ଭୁବନେଶ୍ୱର