କିଛି ବ୍ୟଥା କିଛି କଥା
ଯେଦିନୁ ଯନ୍ତ୍ରଣା
ଛୁଇଁଛି ହୃଦୟ
ଲେଖନୀ ଧରିଛି ହାତେ
ଲେଖୁଛି କବିତା
ହୃଦୟର ବ୍ୟଥା
ଝରିପଡ଼େ ଶବ୍ଦ କେତେ l
ଜୀବନ ସଂଗୀତ
ବ୍ୟଥା ପ୍ରସ୍ପୁଟିତ
ଲେଖନୀରୁ ପଡେ ଝରି
ଭାବର ସାଗରେ
ବେଦନା ତରଙ୍ଗେ
ସାଜି ଉପଶମ ତରୀ l
କେବେ ପ୍ରୀତି ହସେ
ମହ ମହ ବାସେ
ଫୁଟେ ଅନୁରାଗ ଫୁଲ
କେବେ ପ୍ରତାରଣା
ମିଥ୍ୟା ପ୍ରବଞ୍ଚନା
ଉଡାଏ ଯନ୍ତ୍ରଣା ଝୁଲ l
ଲୁହର ସାମ୍ରାଜ୍ୟେ
ପରିଚୟ ଖୋଜେ
. ଅଭିମାନେ ଯାଏ ହଜି
ପାରେନାହିଁ ଧୋଇ
ଅନ୍ତରର କ୍ଷତ
ଲହୁରେ ଯାଏ ଯେ ଭିଜି l
ଓଠ ହସୁଥାଏ
ଅମୃତ ବର୍ଷାଏ
ସମ୍ପର୍କର ସେତୁ ପରେ
ଅଦୃଶ୍ୟ ସେ କୋହ
ତଥାପି ଅସହ୍ୟ
ଝରି ଆସେ ଅଗୋଚରେ l
ଲୁହର ଭାଷା କୁ
ପଢିକି ପାରଇ
ଓଠ ଛୁଇଁ ଯାଏ ଶୁଖି
ହୃଦୟର ଭାଷା
କଲମ ଜାଣଇ
ଶବ୍ଦର ଛନ୍ଦରେ ଯୋଖି l
ସୁଜାତା ଦାସ
ବାଲେଶ୍ୱର