କୋକସରା,୧୨/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାୱାର ନିକଟରେ ବୁଧବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ବୁର୍ଲା ମେଡିକାଲ ସ୍ଥାନାନ୍ତର ସମୟରେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିବା ସୁଚନା ମିଲିଛି। ମୃତକ ହେଉଛନ୍ତି କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ସତ୍ୟନନ୍ଦ ବାଗ (୭୦) । ବୁଧବାର ସକାଳେ ଚିଲିଗୁଡାରୁ ସାଇକେଲରେ କୋକସରାକୁ ଆସୁଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କୋକସରା ପୁଲିସ ଓ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । କୋକସରା ପୁଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତିଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ କେସିଙ୍ଗା ନିକଟରେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କୋକସରା ପୁଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା କରି ଫେରାର ଥିବା ଗାଡିକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଳି କୋକସରା ପୁଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।
previous post