ନର୍ଲା (ମ.ପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆସନ୍ତା ୨୫ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ସହ ସେଦିନ ସଂଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନର୍ଲା ବ୍ଳକ ତିନି ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ପ୍ରମୁଖ ଲଢେଇରେ ଅଂଶ ଗ୍ରହଣ କରୁବାକୁ ଆଗେଇ ଆସିଛନ୍ତି। ନର୍ଲା ବ୍ଳକର ୨୬ ଗୋଟି ଗ୍ରାମପଞ୍ଚାୟତର ୩ ଗୋଟି ଜୋନ ମଧ୍ୟରୁ ଜୋନ ୧ରେ ଆଠ ଗୋଟି ପଞ୍ଚାୟତ ଯଥା ଭୀମକେଲା,ଭାନପୁର,ଘୋଡାବନ୍ଧ,ଗିଗିନା,ରୁପ୍ରା,ମୁସ୍କୁଟି,ପଲମ, ଟକର୍ଲା ପଞ୍ଚାୟତର ମୋଟ ୨୭,୬୫୭ ଜଣ ଭୋଟର ମତଦାନ ପ୍ରଦାନ କରିବେ। ଏହି ଜୋନରେ ବିଜେଡ଼ିରୁ ନମ୍ରତା ସାହୁ, ବିଜେପିର ସଞ୍ଜୁ ସାହୁ ଓ କଂଗ୍ରେସରୁ ଜ୍ୟୋତି ବେହେରା ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନର୍ଲା ଜୋନ ୨ରେ ୧୦ ଗୋଟି ଗ୍ରାମପଞ୍ଚାୟତ ଯଥା ବଡଧାରପୁର, ଗାଡେବନ୍ଧ,ଘଣ୍ଟମାଳ,ରାକ୍ସି,ନିଶାଣପୁର,ରୁପ୍ରାରୋଡ,କର୍ମେଗାଁ,ଶାନ୍ତପୁର, ସରିଆଁ,ଉଲିକୁପାରୁ ମୋଟ ୩୨,୧୨୮ଜଣ ମତଦାତା ଭୋଟଦାନ କରିବେ। ଏଥିରେ ବିଜେଡ଼ିର ହରିଶଙ୍କର ମାଝୀ, ବିଜେପିର ରୀନା ମାଝୀ ଓ କଂଗ୍ରେସର ରୋଶନ ମାଝୀ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ନର୍ଲା ଜୋନ ୩ରେ ବାଗପୁର,ବାଲସିଙ୍ଗା,କୁରମେଲ, ନର୍ଲା, ସର୍ଗିଗୁଡା,ମାଣ୍ଡେଲ,ସେରଗଡ,ତୁଲାପଡା ଆଦି ୮ଟି ପଞ୍ଚାୟତର ୩୦,୫୭୩ଜଣ ଭୋଟର ମତଦାନ ପ୍ରଦାନ କରିବେ। ଏଠାରେ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ବିଜେଡିର ଲିଲି ଦୀପ, ବିଜେପିର ପ୍ରଣତି ମହାନନ୍ଦ ଓ କଂଗ୍ରେସରୁ ସୁନିତା ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ତିନି ଗୋଟି ଦଳରୁ ହିଁ ଜିଲ୍ଲା ପରିଷଦ ସଦସ୍ୟ ସକାଶେ ପ୍ରମୁଖ ଲଢେଇ ହେବ ବୋଲି ଭୋଟରମାନେ ମତପ୍ରକାଶ କରିଛନ୍ତି। ଗତ ୨୦୧୭ ନିର୍ବାଚନରେ ତିନି ଗୋଟି ଜିଲ୍ଲା ପରିଷଦ ଆସନ ବିଜେପି ହାତକୁ ଯାଇଥିବା ବେଳେ ଏଥର କିନ୍ତୁ ପରିବର୍ତ୍ତନ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦିଅନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।