ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟର ଚାଳକ ଏବଂ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋଟର କର୍ମଚାରୀ କଲ୍ୟାଣ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏଥି ପାଇଁ ଓଡ଼ିଶା ମୋଟର ଟ୍ରାନସପୋର୍ଟ୍ କର୍ମଚାରୀ ନିୟମ ପରିପ୍ରେକ୍ଷୀରେ ଏକ ସବିଶେଷ ଚିଠା-କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମୋଟର କର୍ମଚାରୀମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ହେଲେ ପ୍ରଚଳିତ ପୁରୁଣା ନିୟାମକରେ ଆବଶ୍ୟକୀୟ ସଂଶୋଧନ ଆଣିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ।
ଆଇନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ବୟରେ ପ୍ରସ୍ତାବ ସହ ସଂପୃକ୍ତ ଆଇନଗତ, ପ୍ରଶାସନିକ ଏବଂ ଆର୍ଥିକ ଦିଗକୁ ଅନୁଧ୍ୟାନ କରି ଆସନ୍ତା ଏକ ସପ୍ତାହ ମଧ୍ୟରେ ଚିଠା-ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଘରୋଇ ଓ ଅଣ-ସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଖ୍ୟା ଆକଳନ କରିବା ପାର୍ଇ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….