Uncategorizedସ୍ମୃତି ରଞ୍ଜନ ଙ୍କ କବିତା ରାଧାଙ୍କ ଅଭିମାନ by Sunil Chandra NayakNovember 23, 2022056 Share0 ।।।। ରାଧାଙ୍କ ଅଭିମାନ ।।।। ଆସ ରାଧାରାଣୀ କୁଞ୍ଜେ ନକରି ଯେ ଡେରି ଝୁରି ଝୁରି କାହ୍ନୁ ପ୍ରାଣ ଗଲାଣି ବାହାରି । ଦୁଇ ଦିନ ହେଲା ତୁମ ଦେଖା ମିଳି ନାହିଁ ତୁମ୍ଭର ବାଟକୁ ପରା ବସିଛନ୍ତି ଚାହିଁ । କୁଞ୍ଜ ଶ୍ରୀମନ୍ତିନୀ ଆଗୋ ବେଗେ ହୁଅ ସଜ ପ୍ରେମ ସୁଧା ଦେଇ ଦାନ ମନ ରଖ ଆଜ। ରାଧାରାଣୀ କହୁଛନ୍ତି ଲଳିତାକୁ ଚାହିଁ କୁହନା ସଖୀଗୋ ମୋତେ କୁଞ୍ଜେ ଯିବା ପାଇଁ । ଭାରି ସେ ଚତୁର ନର ତୁମ୍ଭ ନଟବର ଲମ୍ଫଟ କପଟୀ ସେ ତ ଅଟେ ମାୟାଧର। କହିଦିଅ ଯାଇ ତାଙ୍କୁ ରାଧା କଲା ମନା କୁଞ୍ଜେ ଆଉ ଯିବି ନାହିଁ ନଯିବି ଯମୁନା । କି କହିବି ଆଗୋ ସଖୀ ତାଙ୍କ ଗୁଣ ମାନ ତୁଚ୍ଛାଟାରେ ଯାହା ମୋତେ କଲେ ହୀନିମାନ। ଯମୁନା କୂଳରୁ ଦିନେ ଦ୍ୱିପହର ବେଳେ ନୀର ନେଇ ଫେରୁଥିଲି ସଅଳ ସଅଳେ । ହାତକୁ ଧରିଲେ ମୋର ଆସି ନୀଳମଣି ଶୁଣାଇଲେ ସିଏ ପୁଣି କେତେ ଚାଟୁବାଣୀ । କହିଲେ ରାଇ ଗୋ ତୁମେ ମୋର ପ୍ରାଣଧନ ମନର ମାନସୀ ଆଗୋ ମୋ ଜୀବ ଜୀବନ । ଦିନ ସରେ ନାହିଁ ମୁଖ ନହେଲେ ଦର୍ଶନ ତବ ବାଟ ଚାହିଁ ଥାଏ କମଳ ନୟନ। ଏହି ମତେ କେତେ କହି ପ୍ରେମ ନିବେଦିଲେ କୁଞ୍ଜେ ଆସିବାକୁ କଥା ମୋତେ ସେ ମାଗିଲେ। ମନ କିଣି ନେଲା ମୋର ସେ ବାଙ୍କ ଚାହାଣି ନିମିଷକ ମଧ୍ୟେ ମୁହିଁ ହେଲି ଯେ ବାୟାଣୀ । ଭାବରେ ନିଜକୁ ମୁହିଁ ହଜାଇ ଯେ ଦେଲି କୁଞ୍ଜେ ଯିବା ପାଇଁ କଥା ଦେଇ ମୁଁ ଆସିଲି । କେତେ ମିଛ କହି ଘରୁ ଗୋଡ ମୁଁ କାଢିଲି ସଞ୍ଜ ବେଳେ ଯାଇ ପୁଣି କୁଞ୍ଜେ ପହଞ୍ଚିଲି । ସଜାଇଲି ଦୋଳି ମୁହିଁ ଯତନ ଯେ କରି କର୍ପୂର ମୁଁ ମିଶାଇଲି ଚନ୍ଦନ କୁ ଘୋରି । ସୁଗନ୍ଧିତ ପୁଷ୍ପ ଆଣି ଥାଳ ସଜାଇଲି ପୂଜିବି ପୟର ବୋଲି ଅପେକ୍ଷା ମୁଁ କଲି। କୁଆଁତାରା ଦେଖାଦେଲେ ପୂରୁବ ଆକାଶେ ଅପେକ୍ଷା ମୋ ସାରିଲାଣି କାହ୍ନୁଙ୍କ ସକାଶେ। ଉଚ୍ଛନ୍ନ ହୋଇଲା ପ୍ରାଣ ବିଗିଡ଼ିଲା ମନ ତାଙ୍କ ବାଟ ଚାହିଁ ଚାହିଁ ସରିଲା ଜୀବନ । କୁଞ୍ଜେ ସିନା ମୁହିଁ ତାଙ୍କ ଅପେକ୍ଷାରେ ଥିଲି ଚନ୍ଦ୍ରାବଳୀ କୁଞ୍ଜେ ସିଏ ଥିବାର ଶୁଣିଲି । କି କହିବି ଲଳିତା ଗୋ ମୋ ଦୁଃଖ କାହାଣୀ ଦଗାଦିଆ ଦଗା ଦେଲା ଆଉ ଥରେ ପୁଣି। ତାଙ୍କ ପାଇଁ ସାଜିଲି ଯେ ମୁହିଁ ଦୋଚାରୁଣୀ ଲୋକଲଜ୍ଜ୍ୟା ସହି ସହି ପରାଣ ଗଲାଣି । ତେଣୁ ମନେ ବିଚାରିଛି ଏମନ୍ତ ଯେ ମୁହିଁ ଆଉ ଯେତେ ଡାକୁ ସିଏ କୁଞ୍ଜେ ଯିବି ନାହିଁ। କୁହଗୋ ଲଳିତା ଯାଇ ଶୁଣୁ ସେ କହ୍ନାଇ କାହ୍ନୁ ବିନେ କାଳନ୍ଦୀରେ ଝାସ ଦେଲା ରାଇ। ।।।।।।। ସ୍ମୃତି ରଞ୍ଜନ ।।।।।।।