କୋକସରା,୦୫/୧୨ ସିକନ୍ଦରାବାଦରେ ପୁଣି ଜଣେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବିଗତ ଦୁଇମାସ ମଧ୍ୟରେ ଲଗାତାର କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ୮ଜଣ ଦାଦନ ଶ୍ରମିକଙ୍କ ଶବ ଆସିବା ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ଦେଖା ଦେଇଥିବା ବେଳେ ଦାଦନ ରୋକିବାରେ ସରକାରଙ୍କ ବିଭିନ୍ନ ଯୋଜନା ଦିଗହରା ହୋଇଛି, ତାହାକୁ ସ୍ପଷ୍ଟ ପ୍ରମାଣିତ କରୁଛି ପ୍ରତି ସପ୍ତାହ ଅନ୍ତରାଲରେ ଜଣେ ଜଣେ ଦାଦନ ଶ୍ରମିକଙ୍କ ଶବ ଘର ବାହୁଡା ଘଟଣା। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ସିକନ୍ଦରାବାଦରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ସିର୍ଲିଗୁଡ଼ା ଗ୍ରାମର ଗୟାଧର ନାଏକଙ୍କ ପୁଅ ତେଜରାଜ ନାଏକ(୨୭) ଗତ ୭ ମାସ ତଳେ ଗାଁର କିଛି ଯୁବକଙ୍କ ସହ ପେଟପାଟଣା ପାଇଁ ସିକନ୍ଦରାବାଦ ନିକଟରେ ଥିବା କାମପାଳିର ଓମ ସାଇ ଗେଲେକ୍ସ ନାମକ ଏକ ଠିକାସଂସ୍ଥାରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ । ତେବେ ଶନିବାର ଅପରାହ୍ନରେ ପାଣି ପାଇଁ ଥିବା ମୋଟର ର ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ସାଥି ଶ୍ରମିକମାନେ ପରିବାରକୁ ସୁଚନା ଦେଇଥିଲେ।ଖବର ଶୁଣିବା ପରେ ଘରେ କାନ୍ଦ ବୋବାଳି ପଡିଛି । ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ଅନ୍ୟପଟେ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସ୍ଥାନୀୟ କୋକସରା ଥାନାକୁ ସୁଚନା ଦେଇ ମୃତ ଯୁବକଙ୍କ ଶବ ଆଣିବାକୁ ସିକନ୍ଦରାବାଦ ଯାଇ ସେଠାରୁ ଏକ ଆମ୍ବୁଲାନ୍ସରେ ଶବ ନେଇ ଗାଁକୁ ଫେରୁଥିବା ସୁଚନା ମିଲିଛି।