Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା ।।। ଧର୍ମ ।।। by Sunil Chandra NayakDecember 19, 2022062 Share0 ।।।।।।। ଧର୍ମ ।।।।।।। ଏହି ସଂସାରକୁ ଧରମ ଧରିଛି ଶୁଣିଥିଲି ବାଖ୍ୟା ବହୁ ବାତ୍ସଲ୍ୟ କୈଶୋର ଯୌବନ ସାଥିରେ ପରଖିଲି ମୁହିଁ ତହୁଁ ତଥାପି ପାରୁନି ବୁଝି ଅନ୍ଧ ଲୋଲୁପତା ସ୍ୱାର୍ଥର ଜାଲରେ ଧର୍ମ କି ଯାଇଛି ହଜି । ଜିଜ୍ଞାସୁ ମନ ମୋ ହତାଶ ନହୋଇ କରୁଥିଲା ଅନ୍ୱେଷଣ ଦେଖିଲା ପ୍ରକୃତି ପାଳୁଛି ତା ଧର୍ମ ଅନ୍ୟକୁ ଦେଇ ଜୀବନ । ଦେଖ ଯୁଗେ ଯୁଗେ ଗଛ ପାଳେ ଧର୍ମ ଛାୟା ଫଳ ମୂଳ ଦେଇ ସଦା ଗତିଶୀଳ ବାୟୁ ପାଳେ ଧର୍ମ ଶୀତଳତା ହୃଦେ ବହି ଜଳ ହୁଏ ନିମ୍ନଗାମୀ ଅଗ୍ନି ବି ପାଳୁଛି ନିଜ ଧର୍ମ ଦେଖ ହୋଇ ସଦା ଉର୍ଦ୍ଧ୍ଵଗାମୀ । ସୂର୍ଯ୍ୟ ଚନ୍ଦ୍ର ତାରା ଧରି ସେ ଆକାଶ ନିଜ ଧର୍ମ ସଦା ପାଳେ ଧର୍ମ ପାଳିବାକୁ ଯାଇ ଏ ଧରଣୀ ଧରିଛି ଜୀବଙ୍କୁ କୋଳେ । କଢିରୁ ଫୁଲଟେ ଫୁଟିଲା ବେଳକୁ ଜାଣେନା ସେ ତାର ଭାଗ୍ୟ ସୁରଭି ବାଣ୍ଟିବା ଧର୍ମ ବୋଲି ତାର କରି ଚାଲିଥାଏ କାର୍ଯ୍ୟ ପ୍ରକୃତି ନିୟମ ମାନି ଷଡଋତୁ ଦେଖ ପାଳୁଛନ୍ତି ଧର୍ମ ନିଜ ନିଜ କର୍ମ ଜାଣି । କେବଳ ମଣିଷ ଭୁଲିଛି ଧର୍ମକୁ ହୋଇ ଷଡରିପୁ ବଶ ଯୁଝିବା ବଦଳେ ମିତ ସେ ବସିଛି ହୋଇଣ ସ୍ୱାର୍ଥ ସର୍ବସ୍ଵ । ବହୁ ପୁରାତନ ଧର୍ମ ସନାତନ ଶିଖାଇଛି କଥା ଏହି ଯାହା କରଣୀୟ ତାହା ଅଟେ କର୍ମ ଦ୍ୱନ୍ଦ ବା ଏଥିରେ କାହିଁ ବୁଝି ମୁଁ ପାରୁନି କିଛି କର୍ତ୍ତବ୍ଯ ପାଳନ ମନୁଷ୍ଯର ଧର୍ମ ଛାଡିବା କି ଲାଭ ଅଛି । ମୋହର ପରଦା ହଟାଇ ମାନବ ଦେଖ ଥରେ ଏ ଜୀବନ ଧର୍ମ ପାଳିବାକୁ ଜନମ ତୋହର ଏକଥା ନୁହଁଇ ଆନ । ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର