ନର୍ଲା ( ମପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ପିପଲପଦର ଗ୍ରାମ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିବାରୁ ଅଳ୍ପକେ ଟ୍ରକ ଡ଼୍ରାଇଭର ରକ୍ଷା ପାଇଛନ୍ତି। ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ମ.ରାମପୁର ଓ ନର୍ଲା ମୁଖ୍ୟ ରାସ୍ତାର ପିପଲପଦର ବୁଲାଣିରେ ଏକ କୋଇଲା ବୋଝେଇ ଟ୍ରକ (ଓଡି ୧୭ଏସ୪୯୬୧)ଟି ଭାରସାମ୍ୟ ହରାଇ ଧାନ ବିଲକୁ ପଶି ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରର ଗୋଡ ଟ୍ରକ କବାଟରେ ଚାପି ହୋଇ ରହିଯାଇ ଥିଲା। ଖବର ପାଇ ନର୍ଲା ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିବା ସତ୍ତ୍ବେ ନର୍ଲା ଦମକଳ କେନ୍ଦ୍ରରେ କଟର ମେସିନ ନଥିବାରୁ ଭବାନୀପାଟଣା ଦମକଳ କେନ୍ଦ୍ରରୁ କଟର ଉପକରଣ ଆସିବା ପରେ ଦୀର୍ଘ ୨ ଘଣ୍ଟା ପରେ କବାଟ କଟାଯାଇ ଡ଼୍ରାଇଭର ଜଣଙ୍କୁ ଉଦ୍ଧାର କରାଯାଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିଶାଖାପାଟଣାରୁ ବରଗଡ଼କୁ କୋଇଲା ପରିବହନ ଟ୍ରକଟି ଯାଉଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଏହି ବୁଲାଣିରେ ଅନେକ ଥର ଦୁର୍ଘଟଣା ମାନ ଘଟି ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ବ୍ଲାକ ସ୍ପଟ୍ ଭାବେ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି।ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।
next post