ରୁପ୍ରା, ୨୧/୧୨ (ମନିସ) : କରୋନା ମହାମାରୀ ପ୍ରଭାବ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇପାରି ନଥିବାରୁ ଚଳିତ ବର୍ଷ ୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା କିପରି ମହା ସମାରୋହରେ ଏହି ଉତ୍ସବ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ପାଳନ କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଚିଠି କରିଛନ୍ତି। ଏହି ଅବସରରେ ଆଜି ଅପରାହ୍ନରେ ନର୍ଲାବ୍ଲକ୍ ସମ୍ମିଳନୀ କକ୍ଷରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ ବିଡିଓ ବାସନ୍ତୀ ସେଠୀଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ୍ ଅଧିନ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବୁଦ୍ଧିଜୀବୀ ମାନଙ୍କୁ ଡକାଯାଇ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇ ନଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ବୈଠକରେ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡିଓ ବାସନ୍ତୀ ସେଠୀ, ଏବିଡିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ସରପଞ୍ଚ ସଂଘର ସଭାପତି ଓ କଣ୍ଠଶିଳ୍ପୀ ସର୍ବେଶ୍ବର ଭୋଇ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ବ୍ଲକ୍ ଅଧିନ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ।
ସୂଚନା ମୁତାବକ ଗ୍ରାମ ପଞ୍ଚାୟତ ସ୍ତରରେ ଚଳିତ ମାସ ୨୩ ତାରିଖରୁ ନବବର୍ଷ ୨୦୨୩ ଜାନୁଆରୀ ୫ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯିବ, ସେହିପରି ବ୍ଲକ୍ ସ୍ତରରେ ଜାନୁଆରୀ ୬ତାରିଖରୁ ୧୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବାସହ ଉତ୍ସବ ପରିଚାଳନା ପାଇଁ ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି।