ବିଜୟଲକ୍ଷ୍ମୀ ପଟ୍ଟନାୟକ
ସେ ଜନ୍ମ ହୋଇଥିଲେ ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ କଳିଙ୍ଗ ବା ଉତ୍କଳର
ଭାଗ୍ୟରବି ଅସ୍ତମିତ ହୋଇ ସାରିଥିଲା । ନିଜର ବୋଲି କହିବା ପାଇଁ ଓଡିଆଙ୍କ ପାଖରେ ନିର୍ଦ୍ଦିଷ୍ଟ କୌଣସି ଭୂଖଣ୍ଡ ନ ଥିଲା । ମାଟିର ପୂର୍ବ ଗୌରବକୁ ଓ ଐତିହକୁ ଅଞ୍ଚଳବାସୀ ପୁରା ଭୁଲି ସାରିଥିଲେ ।ଭବିଷ୍ୟତର ଆଶା ଓ ଆକାଂକ୍ଷା ପାଇଁ ମଧ୍ୟ ସେମାନଙ୍କ ପାଖରେ ଆତ୍ମବିଶ୍ବାସ କିମ୍ବା
ଭରସାଯୋଗ୍ୟ କୌଣସି ଅବଲମ୍ବନ ନ ଥିଲା ।
ଯିଏ ଏହି ଦୁସ୍ଥ ମାନଙ୍କ ପ୍ରାଣରେ ପ୍ରଥମ କରି ଭରସା ସୃଷ୍ଟି କରି ପାରିଥିଲେ ସେ ହେଲେ କୁଳବୃଦ୍ଧ ମଧୁସୂଦନ ।
ବିଶ୍ବ ଦରବାରରେ ଯିଏ ଓଡିଆ ଜାତିର ପରିଚୟ ଓ ପ୍ରତିଷ୍ଠା ନିମନ୍ତେ ତ୍ୟାଗ ଓ ସାଧନାର ଯେଉଁ ଅନନ୍ୟ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ତାକୁ ତନ୍ନ ତନ୍ନ କରି ନିରୀକ୍ଷଣ କଲେ ବିସ୍ମୟ ଓ ଶ୍ରଦ୍ଧାରେ ପୁରି ଉଠେ ନ୍ତରର କୋଣ ଅନୁକୋଣ । ଆଖି ଆଗରେ ଉଭା ହୁଅନ୍ତି ମାତୃଭାଷା ଓ ମାତୃଭୂମି ନିମନ୍ତେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଯୋଜନାବଦ୍ଧ ଭାବରେ ବିନିଯୋଗ କରିଥିବା ଜଣେ ଛଳନାହୀନ କର୍ମଯୋଗୀ ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଉତ୍କଳ ଗୌରବ ମଧୁସୂଦନ ଦାସ ।
ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଥିଲା ଓଡିଆ ଜାତି ପାଇଁ ଏକ ସନ୍ଦିଗ୍ଧ କାଳଖଣ୍ଡ । ସେତେବେଳକୁ ଏକ ବିପର୍ଯ୍ୟସ୍ତଖଣ୍ଡିତ କଙ୍କାଳରେ ପରିଣତ ହୋଇ ସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡିଶା ।ଅତ୍ୟନ୍ତ ନିଷ୍ପ୍ରଭ ଓ ମ୍ଳାନ ହୋଇ ପଡିଥିଲା ଓଡିଆ ଭାଷା । ଉତ୍କଳ ଜନନୀର ଏପରି ଚରମ ଦୁର୍ଦ୍ଦଶା ଦେଖି ରହି ପାରି ନ ଥିଲେଓଡିଆତ୍ବର ଅଗ୍ରଦୂତ ମଧୁବାବୁ । ଓଡିଆ ଭାଷାର ସୁରକ୍ଷା ତଥା ଓଡିଶାକୁ ସାମଗ୍ରୀକ ଭାବରେ ଏକାଠି କରିବା ପାଇଁ ତାଙ୍କ ନେତୃତ୍ବରେ ୧୮୮୫ ମସିହାରେ ଆରମ୍ଭ ହେଲା ‘ ଉତ୍କଳ ସଭା ‘ ସମ୍ବଲପୁର କଚେରୀ ରୁ ଓଡିଆ ଭାଷା ବିଲୋପ ଷଢଯନ୍ତ୍ର ପ୍ରତିବାଦରେ ସଂଗ୍ରାମ । ଦୀର୍ଘ ସାତ ବର୍ଷର ନିରବଚ୍ଛିନ୍ନ ଲଢେଇ ପରେ ବଞ୍ଚେଇ ରଖିଲେ ଓଡିଆ ଭାଷାକୁ ଏବଂ ପ୍ରଥମ ପର୍ଯ୍ୟାୟରେ ମିଶିଲେ ଓଡିଶା ସହିତ ଗଞ୍ଜାମ, ସମ୍ବଲପୁର ଓ ବିଶାଖାପାଟଣା ଏଜେନ୍ସି ଅଞ୍ଚଳ । ଏଥିରେ ଉତ୍ସାହିତ ହୋଇ ୧୯୦୩ ମସିହାରେ ମଧୁବାବୁ ଗଠନ କଲେ ‘ ଉତ୍କଳ ସମ୍ମିଳନୀ ‘ । ସମ୍ମିଳନୀ ର ମହାମନ୍ତ୍ର ଘୋଷଣା କରି ମଧୁବାବୁ ଲେଖିଲେ –
“ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ।”
ସମ୍ମିଳନୀ ମଞ୍ଚରୁ ଗାନ କରାଯାଇଥିବା ଏହି କବିତା ଉତ୍କଳୀୟ ମାନଙ୍କ ପାଇଁ ଥିଲା ଅଗ୍ନିମୟ ଆହ୍ବାନ । ସେ ଆହ୍ବାନ ର ପ୍ରତିଟି ଶବ୍ଦର
ବହ୍ନି ଏଭଳି ପ୍ରଜ୍ଜ୍ବଳିତହେଲା ଯେ ତାରଯାଦୁକରୀ ମାୟାରେ ଚେଇଁ ଉଠିଲା ସମଗ୍ର ଓଡିଆ ଜାତି । ମଧୁବାବୁ କବି ନ ଥିଲେ କିନ୍ତୁ ଓଡିଆ ମାନଙ୍କୁ ଜାଗ୍ରତ କରିବା ପାଇଁ ଲେଖି ଚାଲିଲେ କବିତା । ସତ୍ୟର ଜୟଗାନରେ ଯିଏ ଜୀବନବ୍ରତୀ ଆତ୍ମତ୍ୟାଗର ଦୁର୍ଗମ ପଥରେ ଯାତ୍ରା ପାଇଁ ଯାହାର ପ୍ରାଣ ସଂକଳ୍ପବଦ୍ଧ ସେ ହିଁ କେବଳ କହିପାରେ –
“ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ବାର୍ଥ କୁ ସାରଥୀ କଲେ
ଟାଣେ କିରେ ଗାଡି ଦାନାର ତୋବଡା
ଘୋଡା ମୁହେଁ ବନ୍ଧାଥିଲେ ?”
ତାଙ୍କର ସାଂଗଠନିକ ନେତୃତ୍ବ ଓ ଉଚ୍ଚକୋଟିର ଦାବୀ ଉପସ୍ଥାପନ କରିବା ଶୈଳୀ ଯୋଗୁଁ ଏବଂ ନିଜେ ଜଣେ ବରିଷ୍ଠ ଓକିଲ ହୋଇଥିବା ଯୋଗୁଁ ୧୯୦୫ ମସିହାରେ ମଧ୍ୟ ପ୍ରଦେଶରୁ ସମ୍ବଲପୁର, କଳାହାଣ୍ଡି, ପାଟଣା, ସୋନପୁର, ବାମଣ୍ଡା, ରେଢାଖୋଲ୍ ଏବଂ ବିହାରରୁ ଗାଙ୍ଗପୁର, ବଣେଇ, ଷଢେଇକଳା ଓ ଖରସୁଆଁ ଆଦି ବିଚ୍ଛିନ୍ନାଞ୍ଚଳ ବିଚ୍ଛିନ୍ନ ହୋଇ ଓଡିଶାରେ ମିଶିଲା ରିସଲେ ସର୍କୁଲାର ମାଧ୍ୟମରେ । ୧୯୨୮ ମସିହାରେ ସାଇମନ କମିଶନ ମାଧ୍ୟମରେ ମିଳିଲା ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସପକ୍ଷରେ ସୁପାରିଶ ।
ରାଜନୀତି ଅର୍ଥ ସେ ବୁଝିଥିଲେ ଦେଶପ୍ରେମ ଓ ଦେଶସେବା । ତେଣୁ ୧୯୨୧ ମସିହାରେ ବିହାର ଓଡିଶାର ମନ୍ତ୍ରୀ ହେବା ପରେ ସେ ଉପସ୍ଥାପନ କରିଥିଲେ ମନ୍ତ୍ରୀ ପଦକୁ ଅବୈତନିକ କରିବାର ଦାବୀ । ଏ ଦାବୀ ଅଗ୍ରାହ୍ୟ ହୋଇ ଯିବାରୁ ୧୯୨୩ ମାର୍ଚ୍ଚ ୧୮ ତାରିଖରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆରମ୍ଭ କଲେ ଭାରତୀୟ ରାଜନୀତିରେ ଏକ ନୂଆ ଇତିହାସ । ନେତୃତ୍ବ ଯେଉଁଠି ଆଦର୍ଶ ହୋଇ ଦିଗଦର୍ଶନ ଦିଏ ସେଠି ଉତ୍ତରପୀଢି ପାଇଁ ଆଲୋକବର୍ତ୍ତିକା ହୋଇ ଛିଡା ହୁଅନ୍ତି ସେହି ଆଦର୍ଶବାଦୀ ବ୍ୟକ୍ତିତ୍ବ ।
ସେ ବାରିଷ୍ଟର ହେଲା ପରେ ବି ବଦଳିଯାଇ ନ ଥିଲା ତାଙ୍କ ଚଳଣୀ କି ସରଳତା । ଖାଣ୍ଟି ଓଡିଆ ଘରର ରୁଚି ନେଇ ସେ ଖାଉଥିଲେ ବଗଡା ଚାଉଳର ଭାତ ଓ ମଦରଙ୍ଗା ଶାଗଭଜା । ଉଚ୍ଚ ଚିନ୍ତା, ପ୍ରକୃତି ପ୍ରେମ, ଜୀବେଦୟା ଓ ନିରାଡମ୍ବର ଜୀବନଚର୍ଯ୍ୟା ସାଙ୍ଗକୁ ଓଡିଆ ଜାତିର ଭାଷାର ସର୍ବୋତମୁଖୀ କଲ୍ୟାଣ ସାଧନ ଥିଲା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ଜାତିକୁ ଉପରକୁ ଉଠାଇବା ପାଇଁ ସେ ଭାଷା, ସାହିତ୍ୟ, ସଂସ୍କୃତି, କୃଷି, ଶିଳ୍ପ ଆଦି କ୍ଷେତ୍ରରେ ଆଣିଛନ୍ତି ବୈପ୍ଳବିକ ପରିବର୍ତ୍ତନ ।ଜାତୀୟ ଜୀବନକୁ ସମୃଦ୍ଧ କରିବା ପାଇଁ ତାଙ୍କ ସାଧନାର ବହୁମୁଖୀ ଦିଗନ୍ତ ଯେପରି ଅଦ୍ଭୂତ ଭାବରେ ପ୍ରସାରିତ ତାହା କଳ୍ପନା କରିବା ଜଣେ ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ ।
ଦରିଦ୍ର ଓଡିଆ ମାନଙ୍କୁ ସମୃଦ୍ଧ କରିବା ପାଇଁ ମଧୁବାବୁ ହିଁ ପ୍ରଥମେ ଆରମ୍ଭ କରିଥିଲେ ଗ୍ରାମ୍ୟ ଶିଳ୍ପ ଆନ୍ଦୋଳନ । ଭାରତ ବାହାରେ ଓଡିଆର ଶିଳ୍ପ ଗୌରବ ପ୍ରଚାର ପାଇଁ ୧୮୯୭ ରେ ଲଣ୍ଡନ ସହରରେ ଆୟୋଜନ କରିଥିଲେ ସ୍ବଦଜଶୁ ଶିଳ୍ପ ପ୍ରଦର୍ଶନୀ । ୧୯୦୫ ରେ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରୀ । ବିପୁଳ ନିଜସ୍ବ ଅର୍ଥ ବ୍ୟୟରେ ଶ୍ରମ ଓ ଶ୍ରମିକ ମାନଙ୍କ ପାଇଁ ସେ ପ୍ରତିଷ୍ଠା କରିଥିଲେ ଭାରତ ବିଖ୍ୟାତ ତାରକସି ଶିଳ୍ପ । ୧୮୯୭ ରେ ସେ ପ୍ରତିଷ୍ଠା କରିଥିଲେ ଓଡିଶା ଶିଳ୍ପାଗାର । ୧୯୦୩ ରେ ଆରମ୍ଭ କରିଥିଲେ ପ୍ରଥମ ଛାତ୍ର ସମ୍ମିଳନୀ । ୧୯୦୯ ରେ କୃଷକମାନଙ୍କ ପାଇଁ ଆରମ୍ଭ କରିଥିଲେ ପ୍ରଜା ପରିଷଦ । ବ୍ରିଟେନର ପ୍ରଧାନମନ୍ତ୍ରୀ ତାଙ୍କୁ ଓଡିଶାର ମୁକୁଟ ବିହୀନ ସମ୍ରାଟ ଆଖ୍ୟା ଦେଇଥିଲେ ।
କେବଳ କଥାରେ ନୁହେଁ ମଧୁବାବୁ ଥିଲେ ମନରେ, ପିଣ୍ଡରେ ଓ ପ୍ରାଣରେ ଓଡିଆ । ଜୀବନରେ ବିପୁଳ ଅର୍ଥ ଉପାର୍ଜନ କରିଥିଲେ ମଧ୍ୟ ଜାତି ପାଇଁ ସେ ସବୁ ଉତ୍ସର୍ଗ କରି ଶେଷରେ ନିଜେ କାଙ୍ଗାଳ ହୋଇଯାଇଥିଲେ । ସେ କହନ୍ତି –
“ଟଙ୍କା ଥଳି ଧରି ଜନ୍ମ ହୋଇ ନ ଥିଲି । ଯାହା ଅର୍ଜନ କରିଛି ତାକୁ ମୋ ଜନନୀ ପାଇଁ, ମୋ ଭାଇ ଭ ଉଣୀଙ୍କ ପାଇଁ ଖର୍ଚ୍ଚ କରି ଫେରିଯିବି ଶୂନ୍ୟ ହସ୍ତରେ ।”
ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଶ୍ରଦ୍ଧାରୁ ସେ ଲେଖିଥିଲେ –
କୋଟିଏ ଓଡିଆ ଗୋଟିଏ ସ୍ବରରେ
ଡାକ ତ୍ରାହି ଜଗନ୍ନାଥ
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତି ପଥ ।
୧୮୪୮ ଏପ୍ରିଲ ୨୮ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡିଶାର ଏହି ମହାନାୟକଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା ୧୯୩୪ ଫେବୃଆରୀ ମାସ ୪ ତାରିଖରେ ଗୋଟାଏ କୋଡିଏ ମିନିଟରେ । ସବୁରି ମୁହଁରେ ଥିଲା ଗୋଟିଏ କଥା – ଦୀପ ଲିଭିଗଲା । ଆଞ୍ଜୁଳା ଆଞ୍ଜୁଳା ମାଟି ଧରି ଅଶ୍ରୁପୂର୍ଣ୍ଣ ନୟନରେ ସ୍ନେହମୟୀ ଜନନୀର ସର୍ବଶ୍ରେଷ୍ଠ ସନ୍ତାନକୁ ଶ୍ରଦ୍ଧାଞ୍ଜଳି ଦେଲେ ଶୋକାକୁଳ ଜନତା । ତାଙ୍କରି ଏକନିଷ୍ଠ ସାଧନାର ମୂଳଦୁଆ ଉପରେ ଛିଡା ହୋଇଛି ଆଜିର ଏ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ।
ଆଭୂମ ପ୍ରଣାମ ପ୍ରଣମ୍ୟଙ୍କୁ ।
******************************
ବିଜୟଲକ୍ଷ୍ମୀ ପଟ୍ଟନାୟକ, ଭୁବନେଶ୍ୱର
******************************