ଭାରତୀୟ ସଂସ୍କୃତିରେ ବାକଦେବୀ
ବିଜୟଲକ୍ଷ୍ମୀ ପଟ୍ଟନାୟକ
ଅଇଲେ ମା ସରସ୍ବତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତାର ହାର
ଦିଅ ମା ସରସ୍ବତୀ ବିଦ୍ୟା ଭଣ୍ଡାର ।
ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ଆବାହନୀ ତଥା ପୂଜାର୍ଚ୍ଚନା କରାଯାଏ । ବସନ୍ତ ଋତୁର ଅୟମାରମ୍ଭରେ
ଧରଣୀରାଣୀ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି , ସକଳ ପରିପୂର୍ଣ୍ଣତାରେ ଅଭିଷିକ୍ତ ହୋଇ, ମଙ୍ଗଳମୟୀ ଆଦ୍ୟାଶକ୍ତି ରୂପିଣୀ ସରସ୍ୱତୀଙ୍କର ପଦ କମଳରେ ପୂଜା ଅର୍ଚ୍ଚନା କରେ ଏହି ଶ୍ରୀପଞ୍ଚମୀ ରେ । ଏହି ଶ୍ରୀପଞ୍ଚମୀ ଦିନ ସମସ୍ତ ଶୁଭ କାର୍ଯ୍ୟ କରାଯିବାର ବିଧି ଅଛି । ଘର ପ୍ରତିଷ୍ଠା ଠାରୁ ଆରମ୍ଭ କରି ବାହାଘର, ବ୍ରତଘର , ଖଡିଛୁଆଁ ଏହିଦିନ ଶୁଭାରମ୍ଭ କରାଯାଏ ।
ବେଦରେ ଦେବୀ ମାନଙ୍କର ବନ୍ଦନାରେ ସରସ୍ଵତୀଙ୍କର ବନ୍ଦନା ପ୍ରଥମ ଓ ପ୍ରଧାନ । ଋକ୍ ବେଦରେ କଥିତ ଅଛି ସରସ୍ବତୀ ମହାଶକ୍ତିର ଉତ୍ସ । ତାଙ୍କୁ ଶ୍ରେଷ୍ଠ ମାତା ଓ ଶ୍ରେଷ୍ଠ ନଦୀ ରୂପରେ ସ୍ତୁତି
କରାଯାଏ । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟ ଧାମକୁ ବାଟ କଢାଇ ଘେନି ଯିବାର ସେ ହେଲେ ଅଧିଷ୍ଠାତ୍ରୀ ଦେବୀ । ବଶିଷ୍ଟ, ଭରଦ୍ବାଜ ଆଦି ଋଷିଗଣ ମା ସରସ୍ବତୀଙ୍କ କୃପାରୁ ଜ୍ଞାନ ରୂପକ ନଦୀର ସ୍ରୋତରେ ବୋହି ଯାଇ ପରମାନନ୍ଦ ଲାଭ କରିଥିଲେ । ଆଧ୍ୟାତ୍ମିକ ଚେତନାରେ ବଶବର୍ତ୍ତୀ ହୋଇ ଋଷିମାନେ ତାଙ୍କୁ ମହାସତ୍ୟା, ମହାପ୍ରବାହ, ବୁଦ୍ଧିଧାରିଣୀ, ଭାରତୀ , ବାକଦେବୀ ରୂପରେ ବର୍ଣ୍ଣନା କରିଛନ୍ତି ।ଶ୍ବେତବର୍ଣ୍ଣା ଦେବୀ ଭାରତୀ ଶ୍ବେତବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ଗଳାରେ ଗଜମୋତି ଓ ମୁକୁତାର ମାଳା ପିନ୍ଧି, ହସ୍ତରେ ବୀଣା ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ବେତପଦ୍ମ ଉପରେ ଅଧିଷ୍ଠିତା ହୋଇଥାନ୍ତି ।
ଏହା ପଛରେ ଏକ ସାତ୍ତ୍ବିକ ଚିନ୍ତା ଧାରା ନିହିତ ଅଛି । ଶ୍ବେତବର୍ଣ୍ଣ ହିଁ ସାତ୍ତ୍ବିକତାର ନିଦର୍ଶନ ।
ପୁଣି ବେଦ ବ୍ୟାଖ୍ୟାକାର ୟାସ୍କ କହନ୍ତି ସରସ୍ବତୀ ଅର୍ଥ ନଦୀ ଓ ଦେବତା । ସର ଅର୍ଥ ନୀର – ନୀର ପରି ରସ ଅଛି ଯାହାର ସେ ସରସ୍ବତୀ । ସରସ୍ୱତୀ ହେଲେ ଜଳମୟୀ ଓ ତେଜୋମୟୀ ।
ଋକ୍ ବେଦରେ ଯେଉଁ ତ୍ରିମହାଶକ୍ତିଙ୍କର ପ୍ରାଧାନ୍ୟ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି ସେହି ଦେବୀ ତ୍ରୟୀ ହେଉଛନ୍ତି ଉଷା, ଅଦିତୀ ଓ ସରସ୍ବତୀ ।
ଉଷା କର୍ମର ଅଧିଶ୍ବରୀ, ଅଦିତୀ ଉପାସନାର ଅଧିଶ୍ବରୀ ଏବଂ ସରସ୍ୱତୀ ଜ୍ଞାନ ର ଅଧିଶ୍ବରୀ ରୂପେ ପ୍ରାକ୍ ବୈଦିକ କାଳରେ ଖ୍ୟାତି ଲାଭ କରିଥିଲେ । ବୈଦିକ ଋଷିବୃନ୍ଦ ଇଡା, ଭାରତୀ ଓ ସରସ୍ବତୀଙ୍କୁ ସୂର୍ଯ୍ୟାଗ୍ନି ସମ୍ଭୁତା ଜ୍ୟୋତିର୍ମୟୀ ଦେବୀ ରୂପେ ସ୍ତୁତି କରୁଥିଲେ । ବୈଦିକ ଯଜ୍ଞରେ ମଧ୍ୟ ସରସ୍ବତୀଙ୍କର ବିଶେଷ ଅର୍ଚ୍ଚନାର ବିଧି ବ୍ୟବସ୍ଥା ରହିଥିଲା । ସାମ ବେଦରେ ସେ ବାକ୍ୟ ଓ ସ୍ବରର ଅଧିଷ୍ଠାତ୍ରୀ ରୂପେ ଛନ୍ଦ ଭାବରେ ପ୍ରତିଭାତ ହୋଇଥିଲେ । ଯଦୁର୍ବେଦରେ ସରସ୍ୱତୀଙ୍କର ଏକ ଭିନ୍ନ ରୂପ ପରିଦୃଷ୍ଟ ହେଲେ ମଧ୍ୟ ଯଜ୍ଞୀୟ ବିଚାରବୋଧରେ ସେ ମହା ଶକ୍ତିଶାଳୀ ଶକ୍ତି । ବ୍ରାହ୍ମଣ ଓ ଉପନିଷଦ ରଚନା କାଳରେ ସରସ୍ବତୀଙ୍କର ଆଧ୍ୟାତ୍ମିକ ମହତ୍ବ ଅଧିକ ବୃଦ୍ଧି ପାଇଥିଲା । ମହାନ ଆର୍ଯ୍ୟ ଋଷିଗଣ ତାଙ୍କ ଯଶୋଗାନରେ ଆତ୍ମବିଭୋର ହୋଇ ତାଙ୍କୁ ବେଦାନ୍ତ ପ୍ରତିପାଦିତ ପରମତତ୍ବ ସ୍ବରୂପରେ ମାନ୍ୟତା ପ୍ରଦାନ କରିଥିଲେ । ବେଦକାର ମାନଙ୍କ ମତରେ ସେ ହେଉଛନ୍ତି ବ୍ରହ୍ମଜ୍ଞାନ ପ୍ରାପ୍ତିର ସାଧନାର କେନ୍ଦ୍ରବିନ୍ଦୁ ।
ପୁରାଣ ଯୁଗରେ ସରସ୍ବତୀ ଜ୍ଞାନମୟୀ ତଥା ବାକ୍ୟର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରସିଦ୍ଧି ଲାଭ କରିଥିଲେ । ଏହିଯୁଗରେ ସରସ୍ବତୀ ଙ୍କର ବିଭିନ୍ନ ସ୍ତୁତି, ସ୍ତବ, ପ୍ରାର୍ଥନା ଧ୍ୟାନ, କବଚ ପ୍ରଭୃତି ରଛନା ହୋଇଥିଲା ।
ସେ ଧୀଶ୍ବରୀ ଓ ବୋଧରୂପା । ଗୁପ୍ତ ଯୁଗରେ ଭାରତର ଅନେକ ସ୍ଥାନରେ ବାକଦେବୀ ପୀଠ ଓ ମନ୍ଦିରମାନ ନିର୍ମ୍ମିତ ହୋଇଥିଲା । ଭାରତର ବିଭିନ୍ନ ପ୍ରାନ୍ତରେ ପ୍ରତିଷ୍ଠିତ ଗୁରୁକୁଳ ଆଶ୍ରମ ମାନଙ୍କରେ ବାକଦେବୀଙ୍କର ପୂଜାର୍ଚ୍ଚନା ପାରମ୍ପାରିକ ରୂପ ଧାରଣ କରିଥିଲା । ଏହି ଯୁଗରେ ପବିତ୍ର ଭାରତବର୍ଷରେ କେନ୍ଦ୍ର ସ୍ଥଳରେ ଅବସ୍ଥିତ ବାରାଣାସୀ ନଗରୀ ବାଣୀ ଆରାଧନାର ଶ୍ରେଷ୍ଠ ପୀଠର ମାନ୍ୟତା ଲାଭ କରି ବିଦ୍ୟାନଗରୀ ରୂପେ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିଲା । ଅନେକ ଶାସ୍ତ୍ର ପୁରାଣ ବାକଦେବୀଙ୍କ କୃପାରୁ ରଚନା କରାଗଲା ।
ପୁରାଣକାର ମାନେ ପ୍ରଥମେ ସରସ୍ବତୀଙ୍କୁ ମାନସକନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ଭାବରେ ପରିକଳ୍ପନା କରିଛନ୍ତି । ପୁଣି ସେହି କନ୍ୟା ମାଧ୍ୟମରେ ସ୍ବୟଂ ବ୍ରହ୍ମା ବିଶ୍ବବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବର ଜଙ୍ଗମ ସମସ୍ତ ସର୍ଜନା କରାଇଲେ ।
ସେ କେତେବେଳେ ବ୍ରହ୍ମାଙ୍କର ଅର୍ଦ୍ଧାଙ୍ଗିନୀ । ଶ୍ରୀକୃଷ୍ଣ ହିଁ ପ୍ରଥମେ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରିଥିଲେ ବୋଲି କଥିତ ଅଛି । ବୀଣା ଦ୍ବାରା ସେ ସୂଚାଇ ଦିଅନ୍ତି ଯେ ବୀଣାର ସାତସୁରରେ ବନ୍ଧା ଏ ଜୀବନ । ଏହା କେତେବେଳେ ମଧୁର ତ କେତେବେଳେ କରୁଣ । ପୁଣି କେତେବେଳେ କଠୋର ତ କେତେବେଳେ ନିଷ୍ଠୁର ।ହେଲେ ବୀଣା ସର୍ବଦା ମିଠା ସ୍ବର ପ୍ରଦାନ କରିଥାଏ । ଗୋଟେ ହାତରେ ଜ୍ଞାନ ର ପ୍ରତୀକ ପୁସ୍ତକ ଏବଂ ଅନ୍ୟ ହସ୍ତରେ ସ୍ଫଟିକର ଜପାମାଳା । ପଦ୍ମ ପଙ୍କରୁ ଜାତ ହେଲେ ମଧ୍ୟ ଶୋଭା ଓ ଆଭା ଆକର୍ଷଣୀୟ
ଏବଂ ନିର୍ଲିପ୍ତ । ବାହନ ହଂସ ଯିଏ ବିବେକୀ ପରି କ୍ଷୀରରୁ ନୀରକୁ ଅଲଗା କରିପାରେ । ସେ ଜ୍ଞାନର ନିରବିଚ୍ଛିନ୍ନ ଧାରା ପ୍ରବାହିତ କରି ଆମର ବିଚାର, ଜ୍ଞାନ ଓ କର୍ମକୁ ପ୍ରକାଶିତ କରନ୍ତୁ ଏହାହିଁ ଆଜିର ପ୍ରାର୍ଥନା ହେଉ ।
~~~~~~~~~~~~~~~~~~~~
ବିଜୟଲକ୍ଷ୍ମୀ ପଟ୍ଟନାୟକ , ଭୁବନେଶ୍ୱର
~~~~~~~~~~~~~~~~~~~~