ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ତ୍ରି ସ୍ତରୀୟ ନିର୍ବାଚନ ରେ ଗଭୀର ପ୍ରଭାବ ପକାଇବା ଜଣାପଡ଼ିଛି। ମାଓ ଆତଙ୍କ ଯୋଗୁଁ ପ୍ରାର୍ଥୀ ମାନେ ମାଓ ପ୍ରବଣ ଅଂଚଳରେ ନିଜ ପ୍ରଚାର ପାଇଁ ପଛ ଘୁଞ୍ଚା ଦେଉଥିବା ବେଳେ ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଓ ଅବସ୍ଥିତି ଜାହିର ହୋଇଛି। ଜିଲ୍ଲାର ୧୩ ବ୍ଳକ ମଧ୍ୟରୁ ୧୧ ବ୍ଲକ ରେ ମାଓବାଦୀ ମାନେ ନିଜ ଅସ୍ତିତ୍ଵ ଜାହିର କରିଥିବା ବେଳେ ସେମାନଙ୍କ ହିଂସାକାଣ୍ଡ ରେ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି।
ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଡମକର୍ଲାଖୁଣ୍ଟା ଦୁଲେନ ପୋଲ ନିକଟରେ ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ସାମ୍ବାଦିକ ରୋହିତ ବିଶ୍ଵାଳ ଙ୍କ ମୃତ୍ୟୁ ପରେ ଏହାର ସିଧାସଳଖ ପ୍ରଭାବ ତ୍ରି ସ୍ତରୀୟ ନିର୍ବାଚନ ଉପରେ ପଡିଛି। ମାଓ ପ୍ରବଣ ଅଂଚଳରେ ପ୍ରତିଦ୍ୱନ୍ଦିତା କରୁଥିବା ଅନେକ ପ୍ରାର୍ଥୀ ଲାଲ ବାହିନୀ ର ତାଣ୍ଡବ ପରେ ପ୍ରଚାର ପାଇଁ ପଛଘୁଞ୍ଚା ଦେଉଛନ୍ତି। ଏହି ଘଟଣା ପରେ ଜିଲ୍ଲାରେ ମାଓବାଦୀ ଙ୍କ ସକ୍ରିୟତା ସ୍ପଷ୍ଟ ହୋଇଛି। ବିଶେଷକରି ଜିଲ୍ଲାର କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଳକ କୁ ଛାଡି ଜୟପାଟଣା, ଥୁଆମୂଳ ରାମପୁର, ନର୍ଲା, ମଦନପୁର ରାମପୁର, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼, କୋକସରା, କଲମପୁର, ଭବାନୀପାଟଣା ସଦର ମହକୁମା ଆଦି ୧୧ ଟି ବ୍ଳକ ରେ ଲାଲ ବାହୀନୀ ନିଜର ପତିଆରା ବୃଦ୍ଧି କରିଛି। ଏ ପରିପ୍ରେକ୍ଷୀରେ ପ୍ରାର୍ଥୀ ମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀ ଯିବାପାଇଁ ଭୟ କରୁଛନ୍ତି। ଜୈନିକ ପ୍ରାର୍ଥୀ ଉପଯୁକ୍ତ ସୁରକ୍ଷା ବିନା ନିର୍ବାଚନ ଲଢିବା ମୃତ୍ୟୁ ସହ ଲଢ଼ିବା ସମାନ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ମାଓବାଦୀଙ୍କ ନିୟନ୍ତ୍ରଣ ରେ ଯିବା ପୂର୍ବରୁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ