ମନ୍ତ୍ରୀ, ବିଧାୟକ ଓ ରାଜ୍ୟସଭା ସାଂସଦଙ୍କ ପାଇଁ ସମ୍ମାନର ପ୍ରଶ୍ନ ?
ନର୍ଲା (ମ.ପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୩ ଗୋଟି ଜୋନରେ ତ୍ରିମୁଖ ଲଢେଇ ଜୋରଦାର ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି। ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମନ୍ତ୍ରୀ ନବ କିଶୋର ଦାସ ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡ଼ିର ନେତୃତ୍ୱ ନେଉଥିବା ବେଳେ ଜିଲ୍ଲା ପରିଷଦ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ଏବେ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି। ନର୍ଲା ଜୋନ ୧ ରୁ ବିଜେଡ଼ିରୁ ନମ୍ରତା ସାହୁ, ବିଜେପିରୁ ସଞ୍ଜୁ ସାହୁ, କଂଗ୍ରେସରୁ ଜ୍ୟୋତି ବେହେରା ଓ ଆମ ଆଦମୀ ପାର୍ଟିର ଯାଜ୍ଞସେନୀ ସାହୁ ନିର୍ବାଚନ କୁ ଓହ୍ଲେଇଥିବା ବେଳେ ଜୋନ ୨ ରେ ବିଜେଡ଼ିରୁ ହରିଶଙ୍କର ମାଝୀ, ବିଜେପିରୁ ଗତ ଥରର ଜିଲ୍ଲା ପରିଷଦ ସଭ୍ୟା ରୀନା ଭୋଇ କଂଗ୍ରେସର ରୋଶନ ମାଝୀ ଓ ଜୋନ୍ ନଂ ୩ରୁ ବିଜେଡ଼ିର ଲିଲି ଦୀପ, ବିଜେପିର ପ୍ରଣତି ମହାନନ୍ଦ, କଂଗ୍ରେସର ସୁନୀତା ନାଏକ ପ୍ରାର୍ଥୀନୀ ରହିଛନ୍ତି। ବିଜେପି ଗତ ୨୦୧୭ ନିର୍ବାଚନରେ ମୂଳପୋଛ କରି ବିଜୟୀ ହୋଇ ଥିବା ବେଳେ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପାଇଁ ଗତ ନିର୍ବାଚନରେ ଛତିଶଗଡ଼ରୁ କର୍ମୀ ମାନେ ଆସି ନିର୍ବାଚନ ପ୍ରଚାର କରି ଛତିଶଗଡ଼ ସେ ଆୟା ହୁଁ ୩୬ ଲେକେ ଯାଏଁ ଗେ ପ୍ରଚାର କରିଥିଲେ। ଏଥର ମନ୍ତ୍ରୀ ନବ କିଶୋର ଦାସ ବିଜେପିକୁ ମାତ ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲାରୁ ନର୍ଲା ବ୍ଳକକୁ ପ୍ରଚାର ସକାଶେ ପ୍ରାୟ ୪୦ ଜଣ ଲୋକ ଆଣିବାର ଚର୍ଚ୍ଚା ହେଉଛି। ବିଜେପି କଳାହାଣ୍ଡି ସାଂସଦଙ୍କ ଉପସ୍ଥିତରେ ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଭରସାରେ ନିର୍ବାଚନକୁ ଆସିଛି। ତେବେ ତିନି ଗୋଟି ଜୋନରେ ତିନି ପ୍ରମୁଖ ଦଳର ନଜର ରହିଥିବା ବେଳେ ମନ୍ତ୍ରୀ , ବିଧାୟକ ଓ ରାଜ୍ୟସଭା ସାଂସଦଙ୍କ ପାଇଁ ନର୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି ବୋଲି ଆଲୋଚନା ହେଉଛି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।