ନୂଆପଡା: ରାଜ୍ୟର ଗରିବ ଶ୍ରେଣୀର ଲୋକ ନିଜ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟି ନଯିବେ ବୋଲି ସମସ୍ତଙ୍କୁ କାର୍ଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମନରେଗା ଯୋଜନ ପ୍ରସ୍ତୁତ କରି ସରକାର କାର୍ଯ୍ୟ ଯୋଗାଉଛନ୍ତି । ଏହାର ଉଦ୍ଦେଶ୍ୟ ନିଜ ଭିଟାମାଟିରେ ରହି କାର୍ଯ୍ୟକରୀ ଏକ ସପ୍ତାହ ମଧ୍ୟରେ ନିଜ ପାରିଶ୍ରମିକ ପାଇବେ । ହେଲେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ସୁନାରିସୀକୁଆ ଗ୍ରାମର ୨୨ ଜଣ ଶ୍ରମିକ ଗ୍ରାମର ବିଜୁଳି ଡଙ୍ଗର ରାସ୍ତା କାର୍ଯ୍ୟ କରି ଆଜକୁ ଏକ ବର୍ଷ ଛଅ ମାସରୁ ଅଧିକ ଦିନ ବିତିଗଲା ପରେ ମଧ୍ୟ ପାରିଶ୍ରମିକ ନପାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି । ସୂଚନା ଫଳକରୁ ଜଣାଯାଇଛି ଯେ ୨୦୧୯-୨୦ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଭୁଲିଆସିକୁଆ ଗ୍ରାମ ଠାରୁ ବିଜୁଳି ଡଙ୍ଗର ରାସ୍ତା ଉନ୍ନତି କରଣ, ଅମରି ସଫା ଓ ମାଟି କାର୍ଯ୍ୟ, ଅଟକଳ ପରିମାଣ ୫,୦୦,୦୦୦ (ପାଞ୍ଚ ଲକ୍ଷ) ଟଙ୍କା, ଦୌନିକ ମଜୁରୀ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ସୂଚନା ଫଳକରେ ଲେଖା ନାହିଁ । ହେଲେ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ସହକାରୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଓ ଗାଁ ସାଥୀ ସମସ୍ତଙ୍କୁ ମାଟି କାର୍ଯ୍ୟ କରିଥିବା ଟଙ୍କା ପାଇବା ପାଇଁ ଅନେକ ଥର ଗୁହାରି କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ଫଳରେ କାର୍ଯ୍ୟ କରିଥିବା ବ୍ୟକ୍ତି ଦୀର୍ଘ ଏକ ବର୍ଷ ଛଅ ମାସରୁ ଅଧିକ ଦିନ ହେଲା ପାରିଶ୍ରମିକ ନପାଇ ଦୁର୍ଦିନରେ ଦିନ କାଟୁଥିବା ଶ୍ରମିକ ଅଖିଳ ଡୁଙ୍ଗୁରି, ସୁରେଶ ଡୁଙ୍ଗୁରି, ତୁଳସର ସିନ୍ଦୁର, ବିଟୁ ସିନ୍ଦୁର, ସଇତଲା ସିନ୍ଦୁର, ଦୁଖୀ ସିନ୍ଦୁର,କସ୍ତୁରୀ ସିନ୍ଦୁର, ପାର୍ବତୀ ସିନ୍ଦୁର, ସରୋଜିନୀ ସିନ୍ଦୁର ପ୍ରକାଶ କରିଛନ୍ତି । ନିଜ ପାରିଶ୍ରମିକ ଟଙ୍କା ପାଇବା ପାଇଁ ଅନେକ ସମୟରେ ଖଡ଼ିଆଳ ବିଡ଼ିଓଙ୍କୁ ଅବଗତ କରାଇବା ସତ୍ୱେ ମଧ୍ୟ ଟଙ୍କା ପାଇଁ ପାରୁ ନାହାଁନ୍ତି । ଆଗାମୀ ଦିନରେ ଯଦି ଆମ୍ଭେ ମାଟି କାର୍ଯ୍ୟ କରିଥିବା ଟଙ୍କା ନମିଳେ ତାହେଲେ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଯିବୁ ବୋଲି ପ୍ରକାଶ କରିଛନ୍ତି । ଏନେଇ ଜି ଆର ଏସ ଙ୍କୁ ପଚାରିବାରୁ ଶ୍ରମିକ ମାନେ ମିଛ କହୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏନେଇ ଖଡ଼ିଆଳ ବିଡ଼ିଓ ନାରାୟଣ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏ ପି ଓ ସହିତ କଥା ହୋଇ କଣ ସମସ୍ୟା ଅଛି ଶ୍ରମିକ ମାନଙ୍କ ଟଙ୍କା ମିଳିନାହିଁ ତାର ତଦନ୍ତ କରି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ଶ୍ରମିକ ମାନଙ୍କ ଟଙ୍କା ଯୋଗାଇ ଦେବାକୁ ଶ୍ରମିକ ମାନେ ଦାବି କରିଛ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ