ରାଉରକେଲା/ ମ୍ୟୁଜିକ ସର୍କଲ ରାଉରକେଲା ତରଫରୁ ଆୟୋଜିତ ୪୬ ତମ ବସନ୍ତ ସମାରୋହ ୨୦୨୩ ଆସନ୍ତା ମାର୍ଚ୍ଚ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏନେଇ ମ୍ୟୁଜିକ ସର୍କଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ଅଧ୍ୟକ୍ଷ ଅଭୟ କୁମାର ଦାସ ଓ ବରିଷ୍ଠ ସଦସ୍ୟ ଲକ୍ଷ୍ମଣନାଥ ଦାସ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୧୮ ତାରିଖ ଦିନ ସଂଧ୍ୟା ସାଢେ ୬ ଟାରେ ଅନୁଷ୍ଠାନର ମ୍ୟୁଜିକ ଏବଂ ନୃତ୍ୟ ମହାବିଦ୍ୟାଳୟ ର ୪୫ତମ ବାର୍ଷିକୋତ୍ସବ ଏବଂ ସ୍ପ୍ରିଙ୍ଗ ଭେଲି ନର୍ସରୀ ସ୍କୁଲର ୨୪ ତମ ବାର୍ଷିକୋତ୍ସବ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଅଭୟ କୁମାର ଦାସ ସଭାପତିତ୍ବ କରିବାକୁ ଥିବାବେଳେ ସୁନ୍ଦରଗଡ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେବେ। ସେହିପରି ୧୯ ତାରିଖରେ ଡା ପ୍ରଭାତ କୁମାର ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆରଏସପିର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟଅତିଥି ଓ ଉଦଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେବେ। ଏହି ଅବସରରେ ସଂଗୀତଜ୍ଞ ବି ବୁଦ୍ଧପ୍ରସାଦ ରାଓଙ୍କୁ ବସନ୍ତ ସମ୍ମାନ, ପ୍ରଫେସର ଡଃ ସମର ମୁଦାଲିଙ୍କୁ ମୁକ୍ତିକାନ୍ତ ନାଟ୍ଯ ସମ୍ମାନ ଓ ଅଙ୍ଗୁରବାଳା ପରିଡାଙ୍କୁ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ବସନ୍ତ ଉତ୍ତରୀୟ ପ୍ରଦାନ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ସମାଜସେବୀ ଗଣେଶ ପ୍ରସାଦ ବାଗାଡିଆ, ପ୍ରମୋଦ କୁମାର ପାତ୍ର ଓ କମଳାକାନ୍ତ ନନ୍ଦ ପ୍ରମୁଖ ଯୋଗଦେଉଥିବା ବେଳେ ବି ବୁଦ୍ଧପ୍ରସାଦ ରାଓ ସଂଗୀତ ପରିବେଷଣ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯିବ। ୨୦ ତାରିଖ ଦିନ ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ବେତାର ଶିଳ୍ପୀ ତପନ କୁମାର ନାୟକ, ଡା ସୁଶାନ୍ତ ପାଣି,କଲିକତା କଳାକାରଙ୍କ ଦ୍ବାରା ଗଉଡିଆ ନୃତ୍ୟ ଓ ନୃତ୍ୟ ମଧୁରମ ତରଫରୁ ଓଡିଶୀ ନୃତ୍ୟ ପରିବେଷଣ, ୨୧ ତାରିଖ ଦିନ ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ବରେ ଆରଏମସି ର ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିରେ ପିକେ ରାୟ ହିନ୍ଦୁସ୍ଥାନୀ, କଲିକତାର ଲୋକଗୀତ ଓ ବାଉଲ ଗୀତ, ଫକ ନୃତ୍ୟ ତଥା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ । ଶେଷଦିନ ଅର୍ଥାତ ୨୨ତାରିଖ ଦିନ ଭବେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ବାସନ୍ତିକା ସାହିତ୍ୟ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ତଥା ମୁଖ୍ୟବକ୍ତା ଭାବେ ଯୋଗଦେଇ କବିତାର ଅହମିକା ସଂପର୍କରେ ଆଲୋଚନା କରିବେ। ଏହି ଅବସରରେ ବହୁ ଭାଷାଭାଷୀ କବି ସମ୍ମେଳନ ସହ ବାର୍ଷିକ ପତ୍ରିକା ବାସନ୍ତିକା ଉନ୍ମୋଚନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରତାପ କୁମାର ରାୟ, ସାଂସ୍କୃତିକ ସଂପାଦିକା ସ୍ବର୍ଣ୍ଣଲତା ନାୟକ ସହସଂପାଦକ ବିବେକାନନ୍ଦ ପଣ୍ଡା, ସନ୍ତୋଷ ମଲ୍ଲିକ ଓ ଉପଦେଷ୍ଟା କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।