ଲାଞ୍ଜିଗଡ ବ୍ଲକ ଦୁର୍ଗମ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଫୁଲଡୁମେର ଗାଁର ଜଣେ ଆସନ୍ନ ପ୍ରସବା କୁଟିଆ କନ୍ଧ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇଦେବା ତଥା ସୁରକ୍ଷିତ ପ୍ରସବ କରାଇବା ଭଳି ପଦକ୍ଷେପ ନେଇ ପ୍ରଶଂସାର ପାତ୍ର ପାଲଟିଛନ୍ତି ଲାଞ୍ଜିଗଡସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ । ଟେଲି ଯୋଗାଯୋଗରୁ ବଞ୍ଚିତ ଫୁଲଡୁମେର ଗାଁର ମମତା ମାଝୀ ନାମ୍ନୀ ଜଣେ ମହିଳା ଆଜି ସନ୍ଧ୍ୟାରୁ ଗର୍ଭକଷ୍ଟ ପାଉଥିବା ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ ଶ୍ରୀ ପ୍ରଧାନ ରାତି ଆଠଟାରେ ନିଜସ୍ୱ ଗାଡିରେ ଫୁଲଡୁମେର ଯାଇ ମହିଳା ଜଣଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ନେଇ ଆସିଥିଲେ । ପରିବାର ଲୋକଙ୍କୁ ସୁରକ୍ଷିତ ପ୍ରସବ ସଂପର୍କରେ ବୁଝାସୁଝା କରି ଡାକ୍ତରଖାନା ନେଇଆସିବା ପରେ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମମତା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ପ୍ରସୂତି ଓ ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ଥିବାବେଳେ ଫୁଲଡୁମେର ଗାଁର ପ୍ରଥମ ନବଜାତ ଭାବେ ତାକୁ ଟୀକାକରଣ କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ରାସ୍ତାଘାଟର ସମସ୍ୟା ସହିତ ଟେଲି ଯୋଗାଯୋଗର କୌଣସି ସୁବିଧା ନଥିବାରୁ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଅଞ୍ଚଳବାସୀ ଅନେକ ଦୁର୍ଦ୍ଦିନରେ କାଳ କାଟୁଥିବାବେଳେ ଲାଞ୍ଜିଗଡ ବ୍ଲକ ପ୍ରଶାସନର ଲଗାତାର ଉଦ୍ୟମ ପରେ ଏହି ଜନଜାତି ଶ୍ରେଣୀର ଲୋକେ ସରକାରୀ ସେବା ଓ ସୁବିଧା ସଂପର୍କରେ ବୁଝିବା ଆରମ୍ଭ କରିଛନ୍ତି । ଯାହାଫଳରେ ମମତାଙ୍କ ଆନୁଷ୍ଠାନିକ ପ୍ରସବ ସମ୍ଭବ ହୋଇପାରିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏପରିକି ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ପ୍ରଧାନ, ଗର୍ଭବତୀ ମହିଳାଙ୍କ ଉଦ୍ଧାର ଓ ଉପଯୁକ୍ତ ଚିକିତ୍ସା ସେବା ପାଇଁ ସହାୟତା କରିଥିବା ଦାପ୍ତା ସଂସ୍ଥାର ଦୀପନ କୁମାର ଶର୍ମା, ସ୍ବାସ୍ଥ୍ୟସାଥୀ ରତନୀ ମାଝୀଙ୍କ ସମେତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏହି ସାଧୁ ଉଦ୍ୟମ ପାଇଁ ସାଧାରଣରେ ପ୍ରଶଂସା କରାଯାଉଥିବାବେଳେ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ପ୍ରଶାସନ, ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ଲାଞ୍ଜିଗଡ଼ ରୁ ସୁଶୀଲ ବାଗ ଙ୍କ ରିପୋର୍ଟ ।