ନୀଳଚକ୍ର
ନୀଳାଚଳ ଧାମେ ନୀଳାଦ୍ରି ବିହାରୀ
ବିଜେ ବଡ଼ ଦେଉଳରେ
ପତିତପାବନ ବାନା ଫର ଫର
ଉଡଇ ନୀଳ ଚକ୍ରରେ ।1।
ଅଠର ନଳାରୁ ପତିତପାବନ
ଅଳପ ଅଳପ ଦିଶେ
ପତିତପାବନ ଦର୍ଶନ ମାତ୍ରକେ
ପାପତାପ ସବୁ ନାଶେ ।2।
ସୁଦର୍ଶନ ପୁଣି ନୀଳଚକ୍ର ଶୋଭା
ଦ୍ବିଗୁଣିତ କରିଦିଏ
ରୋଗ ଶୋକ ପାପ ତାପ ହରିବାକୁ
ହାତଠାରି ଡାକୁଥାଏ ।3।
ନୀଳ ସାଗରର ଲୁଣି ପବନରେ
କ୍ଷତି ନଘଟିବା ପାଇଁ
ଅଷ୍ଟ ଧାତୁ ମିଶି ତିଆରି ହୋଇଛି
ନୀଳଚକ୍ର ଶୋଭା ବହି ।4।
ନୀଳଚକ୍ର ପରେ ପତିତପାବନ
ନିତି ନୂଆ ବନ୍ଧାଯାଏ
ବଡ଼ ଦାଣ୍ଡେ ଥାଇ ହାତ ଟେକିଦେଲେ
ଦୁଃଖ ଆପେ ହରିଯାଏ ।5।
କାଳିଆର ଡୋରି ଲାଗିଲେ ଭକତେ
ଯାଇଥାଏ ପୁରୀଧାମ
ଚତୁର୍ଦ୍ଧାମୂରତୀ ଦର୍ଶନ କରିଲେ
ପୂର୍ଣ୍ଣହୁଏ ମନସ୍କାମ ।6।
ନୀଳଚକ୍ର ପରେ ପତିତପାବନ
ଫର ଫର ଉଡୁଥାଉ
ଶରଣା ଗତକୁ ଶରଣ ଦେବହେ
ନୀଳାଚଳେ ମହାବାହୁ ।7।
ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର ,ହରିପୁର ହାଟ ,ଯାଜପୁର ।