ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ

ରାଉରକେଲା:ସାମ୍ପ୍ରତିକ ସମୟରେ ଆମ ଦେଶ ଭାରତ ଦ୍ରୁତ ଗତିରେ ବିଭିନ୍ନ କ୍ଷେତ୍ରରେ ଆଗେଇବାରେ ଲାଗିଛି। ଏଥିରୁ ଅନ୍ୟୟନ ଓ ଅଧ୍ୟାପନା ବାଦ ପଡ଼ିନାହିଁ। ସାରା ବିଶ୍ୱରେ ଭାରତର ଇଂରାଜୀ କହୁଥିବା ଏବଂ ଉନ୍ନତ ଜ୍ଞାନକୌଶଳରେ ବଳୀୟାନ ମାନବ ସମ୍ବଳର ଚାହିଦା ସର୍ବାଧିକ। ଏହି ମାନବ ସମ୍ବଳର ବିକାଶ ଦିଗରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଧାରା ଜାରି ରହିଛି। ଏହି ପରିବର୍ତ୍ତନ ପାଇଁ ଉଭୟେ ସରକାରୀ ଓ ଘରୋଇ କ୍ଷେତ୍ରରେ ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟନ କରି କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର। ଚାଇନା, ବ୍ରିଟେନ, ଜାପାନ ଏବଂ ୟୁରୋପ ବନାମ ଭାରତର ଶିକ୍ଷା ବ୍ୟବସ୍ଥା ସହିତ ଶିଳ୍ପୋଦ୍ୟୋଗ ବିକାଶର ଏକ ତୁଳନାତ୍ମକ ପରିସଂଖ୍ୟାନ ଦେଇ ପ୍ରଫେସର ମିଶ୍ର ବିଭିନ୍ନ ଉପାଦେୟ ତଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ‘ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା’ ଶୀର୍ଷକ ଏହି ଆଲୋଚନା ଚକ୍ରର ଉଦ୍‌ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଅଧ୍ୟକ୍ଷତା କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ମାୟାଧର ବାରିକ ଅତିଥି ପରିଚୟ ପ୍ରଦାନ ସହିତ ଆଲୋଚନାଚକ୍ର ସମ୍ପର୍କରେ ସୂଚନା ଦେଇଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଡ. ଭବାନୀ ଶଙ୍କର ରାଉତ ଆଲୋଚନାଚକ୍ର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଆଲୋଚ୍ୟ ବିଷୟ ସମ୍ପର୍କରେ ଭିତ୍ତି ନିବନ୍ଧ ଉପସ୍ଥାପନ କରିଥିଲେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ବାଣିଜ୍ୟ ଓ ପରିଚାଳନା ବିଭାଗର ମୁଖ୍ୟ ଓ ଡିନ୍‌ ପ୍ରଫେସର କିଶୋର କୁମାର ଦାସ। ପ୍ରଫେସର ଦାସ ତାଙ୍କ ଆଲୋଚନାରେ ପରିବର୍ତ୍ତନ ଓ ପ୍ରଗତି ପରସ୍ପର ନିର୍ଭରଶୀଳ ବୋଲି କହିବା ସହିତ ନୋକିଆ ଏବଂ ଆମ୍ବାସାଡର ଭଳି ଗୋଟିଏ ସମୟର ପରିଚିତ ଓ ଲୋକପ୍ରିୟ ବ୍ରାଣ୍ଡ୍‌ କିପରି ସମୟ ସହିତ ତାଳ ଦେଇ ପରିବର୍ତ୍ତନ ନହେବାରୁ ବଜାରରୁ ଉଭାନ ହୋଇଯିବା ସମ୍ପର୍କରେ କହିଥିଲେ। ୧୮୬୦ ମସିହାରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିଚାଳନା ବିଷୟରେ ହୋଇଥିବା ବିଭିନ୍ନ ପ୍ରଗତି ଓ ନୂତନ କାର୍ଯ୍ୟ ସମ୍ପର୍କରେ ପିପିଟି ମାଧ୍ୟମରେ ପ୍ରଫେସର ଦାସ ଆଲୋଚନା କରିଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉଦ୍‌ଘାଟନୀ ଶେଷରେ ବିଭାଗୀୟ ଅଧ୍ୟାପକ ଧିରେନ କୁମାର ମହନ୍ତ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। 

ପ୍ରଥମ ଦିନରେ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଦୁଇଟି ବୈଷୟିକ ସମ୍ପାନ ମାଧ୍ୟମରେ ଓଡ଼ିଶା, ଭାରତ ଏବଂ ଭାରତ ବାହାରୁ ଅନେକ ଅଧ୍ୟାପକ, ଅଧ୍ୟାପିକା ଏବଂ ପ୍ରାଧ୍ୟାପକମାନେ ନିଜ ନିଜର ସ୍ୱରଚିତ ସନ୍ଦର୍ଭ ଉପସ୍ଥାପନ କରି ଆଲୋଚନା କରିଥିଲେ। ଶୁକ୍ରବାର ଏହି ଆଲୋଚନା ଚକ୍ରର ଉଦ୍‌ଯାପିତ ହେବ ବୋଲି ସୂଚନା ଦିଆଯାଇଛି। ଏଥିରେ ବିଶେଷ ଅତିଥି ଓ ପ୍ରସଙ୍ଗଭିତ୍ତିକ ସନ୍ଦର୍ଭ ଉପାସ୍ଥାପକଙ୍କ ମଧ୍ୟରେ ନେପାଳର ତ୍ରୁଭୁବନ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାତ ସିଂହ ଥାପ୍ପା ଆଭାଷୀ ମାଧ୍ୟମରେ ଯୋଗଦେଇଥିଲେ। ଏହା ସହିତ ମଣିପାଳ ସ୍ଥିତ ମଣିପାଳ ଏକାଡେମୀ ଅଫ୍‌ ହାୟର ଏଜୁକେସନ ସଂସ୍ଥାରୁ ପ୍ରଫେସର ଶେଖର ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ସାବତ କୁମାର ଦିଗଲ ପ୍ରମୁଖଙ୍କ ଉପସ୍ଥିତି ଓ ସନ୍ଦର୍ଭ ଉପସ୍ଥାପନା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା। ପ୍ରଥମ ଦିନର ଅଧିବେଶନକୁ ପରିଚାଳନା କରିବାରେ ବିଭାଗୀୟ ଅଧ୍ୟାପିକା ଉଶାରାଣୀ ସେଠୀ, ରାଜଲକ୍ଷ୍ମୀ ବାରିକ ପ୍ରମୁଖ ସହାୟତା କରିଥିଲାବେଳେ ବିଭାଗୀୟ ସ୍ନାତକୋତ୍ତର ଛାତ୍ରୀ ସୃଷ୍ଟି ମହାନ୍ତି ସଭାକାର୍ଯ୍ୟର ସଞ୍ଚାଳନ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏହିଭଳି ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜିତ ହେଉଛି ଯେଉଁଥିରେ ନେପାଳ ଓ ବାହାରିନ ଆଦି ଦେଶରୁ ଅଧ୍ୟାପକ ଓ ପ୍ରାଧ୍ୟାପକମାନେ ଯୋଗଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

masiha

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!