ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଉତ୍ସାହର ସହ ପାଳିତ ହେଲା ବିଶ୍ୱ ପରିବେଶ ଦିବସ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’: ପ୍ରକୃତି ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ାରେ ଉତ୍ସାହର ସହ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ଗଛ ବଞ୍ଚିଲେ ଆମେ ବଞ୍ଚିବା’: ପ୍ରକୃତି ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା, ୦୫/୦୬:(ସୁଜିତ କୁମାର ପ୍ରଧାନ )ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଆନୁକୂଳ୍ୟରେ ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ସହଯୋଗରେ ବିଶ୍ୱ ପରିବେଶ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। 

ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ଥିଲା “ପ୍ରକୃତି ପାଇଁ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ”।ଏହି ଅବସରରେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ପରିସରରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ସଚେତନତାମୂଳକ ସାଇକ୍ଲୋଥନ୍‌ ଆୟୋଜିତ ହୋଇଥିଲା। ପରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ‘ଏକ ପେଡ଼ ମା’ କେ ନାମ’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରାଯାଇଥିଲା l

କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆପଡ଼ା ବିଧାୟକ ଜୟ ଢୋଲକିଆ କହିଥିଲେ ଯେ ବିକାଶ ଓ ପରିବେଶ ସୁରକ୍ଷା ପରସ୍ପର ପରିପୂରକ। ଉନ୍ନୟନମୂଳକ କାର୍ଯ୍ୟ ସମୟରେ ଯଥାସମ୍ଭବ ଗଛ କାଟିବା ପରିବର୍ତ୍ତେ ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରି ସଂରକ୍ଷଣ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ କରିଥିଲେ।

ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, “ଗଛ ବଞ୍ଚିଲେ ଆମେ ବଞ୍ଚିବା। ପ୍ରକୃତିକୁ ସୁରକ୍ଷା ଦେବା ଅର୍ଥ ଆମ ଭବିଷ୍ୟତକୁ ସୁରକ୍ଷା ଦେବା। ଜଳବାୟୁ ପରିବର୍ତ୍ତନ, ଅତ୍ୟଧିକ ଉତ୍ତାପ, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବୃକ୍ଷରୋପଣ ଓ ପ୍ରକୃତି ସଂରକ୍ଷଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ। ଆସନ୍ତୁ, ସମସ୍ତେ ମିଶି ଗଛ ଲଗାଇବା, ଗଛ ବଞ୍ଚାଇବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢ଼ି ତୋଳିବା।”

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଏମ୍‌. ଅଜିଜ୍ ଖାନ୍‌, ସୁନାବେଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଆରପିଏଫ୍‌ର ଦ୍ୱିତୀୟ କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଜୋସେ, ୧୯ ବାଟାଲିୟନ କମାଣ୍ଡାଣ୍ଟ ଦୀପକ ମଣି ତ୍ରିପାଠୀ, ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାୟତ୍ରୀ ପଣ୍ଡା, ଘନଶ୍ୟାମ କରୁଆଁ, ନରେଶ ମେହେର ଓ କ୍ଷୀରୋଦ ବନ୍ଧିଛୋରଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନ, ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଲିଜା ଆଚାର୍ଯ୍ୟଙ୍କୁ ‘ପ୍ରକୃତି ମିତ୍ର’ ସମ୍ମାନ ଏବଂ ଖୋଲିଭିତର ଗ୍ରାମକୁ ‘ପ୍ରକୃତି ଗ୍ରାମ’ ସମ୍ମାନ ପ୍ରଦାନ କରାଯାଇଥିଲା।

ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବିରୋଧୀ ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏବଂ ସହଭାଗିତା ଯୋଗୁଁ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’ ଅଭିଯାନ ଗତ ଏକ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଜନଆନ୍ଦୋଳନକୁ ଆହୁରି ସୁଦୃଢ଼ କରି ନୂଆପଡ଼ାକୁ ଦେଶ ଓ ବିଶ୍ୱ ସ୍ତରରେ ଏକ ଆଦର୍ଶ ପରିବେଶବନ୍ଧବ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ପରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ନଂ–୧ ଶାଖାତୋରାସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ବୃକ୍ଷରୋପଣ କରାଯାଇଥିଲା। ବିଭିନ୍ନ ପ୍ରଜାତିର ଚାରାରୋପଣ ମାଧ୍ୟମରେ ସବୁଜ, ସ୍ୱଚ୍ଛ ଓ ପରିବେଶବନ୍ଧବ ନୂଆପଡ଼ା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରାଯାଇଥିଲା।

Related posts

ସୁନ୍ଦରଗଡ଼ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ ପ୍ରଦର୍ଶିତ

masiha

ମୋଟରସାଇକେଲ ଦୁର୍ଘଟଣା ୧ ମୃତ 

masiha

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

Leave a Comment

error: Content is protected !!