ଢେଙ୍କାନାଳରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୯ ତମ ତିରୋଧାନ ଦିବସ -୨୦୨୬ ପାଳିତ
ଢେଙ୍କାନାଳ:ତା.୧୮.୦୯.୨୦୨୬ ରିଖ : ନିକଟରେ ଦିବା ୧୦ ଘଟିକା ସମୟରେ ସାରଙ୍ଗଧର ଆଞ୍ଚଳିକ ସେବା ପରିଷଦ -ହରେକୃଷ୍ଣପୁର ଦ୍ବାରା ଆୟୋଜିତ ଗଡଜାତ ଗାନ୍ଧୀ ଭାବେ ପରିଚିତ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ଲୋକସଭା ସଦସ୍ୟ ୰ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ୬୯ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବଳରାମ ମନ୍ଦିର ପାଖ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ସଭା ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଶ୍ରୀ ବଳରାମ ମନ୍ଦିର ଛକରେ ଅବସ୍ଥାପିତ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିକୃତିରେ “ସାରଙ୍ଗଧର ଆଞ୍ଚଳିକ ସେବା ପରିଷଦ-ହରେକୃଷ୍ଣପୁର” ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ,ଆଡ୍ ଭୋକେଟ୍, ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ “ସାରଙ୍ଗଧର ଆଞ୍ଚଳିକ ସେବା ପରିଷଦ-ହରେକୃଷ୍ଣପୁର”ର ଉପଦେଷ୍ଟା ପ୍ରଦ୍ୟୁମ୍ନ ରଥ ଯୋଗଦାନ କରି ବଳରାମ ମନ୍ଦିର ପାଖ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବଳିଷ୍ଠ ନେତୃତ୍ୱକୁ ମନେପକାଇ ଢେଙ୍କାନାଳର ପ୍ରଥମ ସାଂସଦ ଭାବେ ଭୂୟସୀ ପ୍ରଶଂସା କରିଥିଲେ।ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ପିତା ହରେକୃଷ୍ଣ ଦାସ ଓ ମାତା ମାଣିକ ଦେବୀ ସାରଙ୍ଗଧର ଦାସଙ୍କ କୋଳ ମଣ୍ଡନ କରି ୧୭ ଅକ୍ଟୋବର ୧୮୮୭ ମସିହାରେ ସାରଙ୍ଗଧର ଜନ୍ମ ହୋଇଥିଲେ ଓ ୧୮ ସେପ୍ଟେମ୍ବର ୧୯୫୭ ମସିହାରେ ମାତ୍ର ୬୯ ବର୍ଷ ବୟସରେ ତାଙ୍କର ଦେହାବସାନ ହୋଇଥିଲା।ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ,କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟୟନ କରିଥିଲେ।ତାଙ୍କର ବୈବାହିକ-ସାଥୀ ଥିଲେ ଫ୍ରିଡା ହାଉସରିଥ୍।ଜଣେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଭାବରେ ସେ ଚିରଦିନ ପାଇଁ ଅମର ହୋଇ ରହିବେ।ସେହିପରି ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ, ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ କୁମାର ଶତପଥୀ ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ଵୀୟ ବକ୍ତବ୍ୟରେ କହିଥିଲେ ଯେ ସାରଙ୍ଗଧର ଦାସ ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ ଆମେରିକା ମାଟିରେ ପାଦ ଦେଇଥିଲେ।ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା।ମେଧାବୀ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥିବାରୁ ବିଦେଶରେ ଅନେକ ବର୍ଷ ରହି ଚିନି କାରଖାନା ଉପରେ ଅଧ୍ୟୟନ କରି ଭାରତ ବର୍ଷରେ ତାହାକୁ କାର୍ଯ୍ୟାନ୍ବିତ କରିଥିଲେ।ଏବେ ମଧ୍ୟ ବମ୍ବେରେ ସାରଙ୍ଗଧର ଦାସଙ୍କ ନାମରେ ସୁଗାର ହାଉସ୍ ନାମିତ ଅଛି।ବଜରଙ୍ଗ କ୍ଲବ୍,ବିପ୍ଳବୀ ସାରଙ୍ଗଧର ଦାସ ପାଠାଗାର ଓ ପଠନ କେନ୍ଦ୍ର ପକ୍ଷରୁ ସମାଜସେବୀ ସନ୍ଦୀପ ଷଡ଼ଙ୍ଗୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସାରଙ୍ଗଧରଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ ସ୍ୱୀୟ ବକ୍ତବ୍ୟରେ ସାରଙ୍ଗଧର ଦାସଙ୍କ ସାମଗ୍ରିକ ଜୀବନୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ଭାବରେ ପଥ ପ୍ରଦର୍ଶକ ହେଉ ବୋଲି ଦୃଢ଼ ଆଶାପୋଷଣ କରିଥିଲେ।ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ସାରଙ୍ଗଧର ଦାସଙ୍କ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସାରଙ୍ଗଧର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରି କହିଥିଲେ ଯେ ସାରଙ୍ଗଧର ଦାସ ଓଡ଼ିଶାର ଜଣେ ସମାଜବାଦୀ ନେତା ଥିଲେ।ଅନୁନ୍ନତ ଗଡ଼ଜାତ ଅଞ୍ଚଳର ଉନ୍ନତି ନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ।ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପରେ ପରିଚିତ ଥିଲେ।ସେ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ।ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର ୧୭ ତାରିଖରେ ପିତାମାତାଙ୍କ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ସାରଙ୍ଗଧର।୧୯୦୫ରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କଲେ ଓ ରେଭେନ୍ସାରେ ନାମ ଲେଖାଇଲେ।ସେଠାରେ ତାଙ୍କର ସାଙ୍ଗ ଥିଲେ ନୀଳକଣ୍ଠ ଦାସ। ତାଙ୍କ ଜରିଆରେ ଗୋପବନ୍ଧୁ,ଆଚାର୍ଯ୍ୟ ହରିହରଙ୍କ ସହ ଘନିଷ୍ଠ ହେବାର ତାଙ୍କୁ ସୁଯୋଗ ମିଳିଥିଲା।ସେଇମାନଙ୍କ ପ୍ରେରଣାରେ ସେ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ।ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସାରଙ୍ଗଧର ସ୍ୱପ୍ନ ଦେଖୁଥିଲେ।ତେଣୁ ସେ ଜାପାନ ଯାଇ ସେଠାରେ ପ୍ରଥମେ ଦିଆସିଲି ଶିଳ୍ପ ସଂପର୍କରେ ଶିକ୍ଷା ଲାଭ କରିଥିଲେ।ପରେ ଆମେରିକା ଯାଇ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ନାମ ଲେଖାଇଥିଲେ।ସେଠାରୁ ଫେରିବା ପରେ ଢେଙ୍କାନାଳର ବ୍ରହ୍ମକୁଣ୍ଡଠାରେ ସାରଙ୍ଗଧର ଚିନି କାରଖାନା ବସାଇଲେ। ଏଥିପାଇଁ ସେ ଅନେକ ଋଣ କରିଥିଲେ।ଋଣ ନଶୁଝି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ତାଙ୍କ ବିବେକ ବାଧା ଦେଉଥିଲା। ତେଣୁ,ସେ ଗାନ୍ଧିଜୀଙ୍କ ପରାମର୍ଶରେ ରେଙ୍ଗୁନର ଚିନିକଳରେ ଚାକିରି କଲେ।ମାତ୍ର,ସେଥିରେ ତାଙ୍କର ମନ ଲାଗିଲା ନାହିଁ। ନିଜ ମାଟିକୁ ଫେରିଆସି ସେ ରାଜାମାନଙ୍କ ହୁଙ୍କାପିଟା ଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଲେ।ପରେ ଗଡ଼ଜାତ ପ୍ରଜାମଣ୍ଡଳର ସାଧାରଣ ସମ୍ପାଦକ ପଦରେ ଅଧିଷ୍ଠିତ ହେଲେ।କଟକରୁ ପ୍ରକାଶିତ ‘କୃଷକ’ ପତ୍ରିକାରେ ‘ଲଣ୍ଡା ଦେହୁରି’ ଛଦ୍ମନାମରେ ସେ ଢେଙ୍କାନାଳ ରାଜାଙ୍କ ଅମାନୁଷିକ ବିବରଣୀ ଲେଖିଲେ।ସାରଙ୍ଗଧରଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଏକ ଲଢ଼ୁଆ ବାହିନୀରେ ପରିଣତ ହେଲା।୧୯୩୮ ମସିହାରେ ସେ କଂଗ୍ରେସରେ ଯୋଗଦେଲେ।ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ୍ ହେଲେ।୧୯୪୬ ମସିହା ରେ ନେହରୁଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।୧୯୪୬ ମସିହା ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ପରମ୍ପରା ବିରୁଦ୍ଧରେ ଯାଇ ଓଡ଼ିଆ ଭାଷାରେ ଭାଷଣ ଦେଲେ। ୧୯୫୧ରେ ସମାଜବାଦୀ ଦଳର ପ୍ରାର୍ଥୀ ଭାବେ ଢେଙ୍କାନାଳ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।ତାଙ୍କର ସମସ୍ତ ସମ୍ପତ୍ତି ସେ ବିଭିନ୍ନ ଟ୍ରଷ୍ଟକୁ ଅର୍ପଣ କରିଦେଇଥିଲେ।୧୯୫୬ ସେପ୍ଟେମ୍ବର ୧୮ରେ ତାଙ୍କର ଦେହାନ୍ତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସାରଙ୍ଗଧର ସେବା ପରିଷଦର ସଭାପତି ଚିତ୍ତରଞ୍ଜନ ପୂହାଣ,ସଂପାଦକ ସୁଜିତ୍ ରାଜ୍ ,ସୁବ୍ରତ ପୃଷ୍ଟି, ଚନ୍ଦନ ଗୋଚ୍ଛାୟତ,ଜ୍ଞାନରଞ୍ଜନ ନାୟକ,ଜ୍ୟୋତିରଂଜନ ରାଉତ,କାଳନ୍ଦୀ ପ୍ରଧାନ,ସନୁ ପୃଷ୍ଟି,ମଧୁସୂଦନ ପୃଷ୍ଟି,ଜିତୁ ଖୁଣ୍ଟିଆ,ବିକ୍ରମ ବିଶ୍ଵାଳ,ବବୁଲ ଦାସ,କୈଳାଶ ବିଶ୍ବାଳ, ଗଣେଶ୍ୱର ପରିଡ଼ା ଓ ବିଶ୍ୱଜିତ୍ ନାୟକଙ୍କ ସହିତ ସମସ୍ତ ଯୁବ ସଦସ୍ୟବୃନ୍ଦ ସାରଙ୍ଗଧରଙ୍କର ନିଜ ଗ୍ରାମ ହରେକୃଷ୍ଣପୁରରୁ ଢେଙ୍କାନାଳ ସହରକୁ ଆସି ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଉପସ୍ଥିତ ସମସ୍ତଙ୍କ ଦ୍ଵାରା “ସାରଙ୍ଗଧର ଦାସ-ଅମର୍ ରହେ” ଧ୍ୱନୀରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।ପରିଶେଷରେ ସାରଙ୍ଗଧର ଆଞ୍ଚଳିକ ସେବା ପରିଷଦ -ହରେକୃଷ୍ଣପୁରର ଆବାହକ ବିଶ୍ୱଜିତ୍ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ଓ ସମସ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସଭାରେ ଯୋଗଦାନ କରିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।
ଡ୍ ଦେବୀ ପ୍ରାସାଦ ମିଶ୍ର ଙ୍କ ରିପୋର୍ଟ୍

