ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

ବସନ୍ତ ଯାଇଛି ଫେରି 

  ବେଣୁଧର ସୂତର 

 

ବନାନୀ ଗୋ ତୁମ ଅଳସ ତନୁରେ

ମାଦକତା ଥିଲା ଭରି

ସାଜି ପ୍ରଣୟିନୀ ବସନ୍ତକୁ କଲ

ନିକୁଞ୍ଜ କାନନ ଚାରୀ

ମୁଖେ ଥିଲା ତୁମ ମଧୁଝରା ହସ

ପ୍ରୀତିର ଫଗୁଣ ସପନ ବିଳାସ

ଅଙ୍ଗେ ଭରୁଥିଲା ଅନଙ୍ଗ ଶୃଙ୍ଗାର

ଯଉବନ ଫୁଲ ଫୁଟି ଥିଲା ଯାର

ଦୀପ୍ତ ମାଧୁରୀ ଧରି

           ବନାନୀ ଗୋ ତୁମ……….

ନିଦାଘ ଆସିଲା ସବୁ ଲୁଟିନେଲା

ତୁଟିଗଲା ତନୁଶିରୀ

ବିରହ ଯନ୍ତ୍ରଣା ନିରବେ ସହିଲ

ସାଜି ପ୍ରୀତି ଅଭିସାରୀ

ନୀରବ ନିଥର ଆଜି ବନଲତା

କୋଇଲିର କଣ୍ଠେ ନାହିଁ ମଧୁରତା

ବେଦନା ବିଧୁର ତନୁରେ ତୁମର

ଯନ୍ତ୍ରଣା ଯେ ଅସୁମାରୀ

ସହି ତ ପାରୁନ କହି ବି ପାରୁନ

ଆଶା ଆଜି ଆଶାବରୀ

          ବନାନୀ ଗୋ ତୁମ……….

ବସନ୍ତ ଖୋଜୁଛି ବାସନ୍ତୀ ଯାମିନୀ

ମଳୟ ବହୁନି ସୁରଭି କୁ ଘେନି

ବାଜି ଉଠୁନିତ ପ୍ରୀତି ମଧୁ ବୀଣା

ବହୁନାହିଁ ପ୍ରେମେ ପ୍ରଣୟ ଝରଣା

ବସନ୍ତ ହୋଇଛି ଆଜି ବାଟବଣା

ସପନ ବତୁରା ମନ କୁଂଜବନେ

ବେଦନାର ଅନ୍ତାକ୍ଷରୀ 

          ବନାନୀ ଗୋ ତୁମ……….

କେମିତି ସହୁଛ ବିରହର ତାତି

ଦେଇଛି କଷଣ ନିଷ୍ଠୁର ନିୟତି

ଶୂନ୍ୟ ପଡିଅଛି ପ୍ରୀତି ମଧୁଶାଳା

ନୀରବ ନିଃଶବ୍ଦ କଟିର ମେଖଳା

ମଉଳିଛି ପ୍ରୀତି କୁସୁମର ମାଳା

ବିଦଗ୍ଧ ମାନସେ ବିଷମୟ ଜ୍ବାଳା

ବସନ୍ତକୁ ଝୁରି ଝୁରି

         ବନାନୀ ଗୋ ତୁମ……….. 

ନିଃସଙ୍ଗ ପ୍ରାଣର ଭରା ଅବସୋସ

ଏ ଦେହ ଦହନ ହେବ କିବା ଶେଷ

ତନୁ ତୀର୍ଥେ ଫୁଟି ପ୍ରୀତି ପାରିଜାତ

ମନ ଉପବନ ହେବ ସୁରଭିତ

ଝରା ବଉଳର ମହକେ ମହକେ

ଫୁଲ ଫଗୁଣର ସପନ କୁହୁକେ

ବସନ୍ତ ଆସିବ ଫେରି

          ବନନୀ ଗୋ ତମ ……….

 

କେଶଦୁରାପାଳ କେନ୍ଦୁଝର

 

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

Sunil Chandra Nayak

ଭିଜିଲାନ୍ସ ସଚେତନତା ଶୋଭାଯାତ୍ରା ଓ ସଭା

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

Leave a Comment

error: Content is protected !!