ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

୩୬ହଜାର ନୂଆ ନିଯୁକ୍ତି ସୃଷ୍ଟି , ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ,
ନୂଆ ସରକାର ଆରମ୍ଭ କଲେ ନିଯୁକ୍ତିର ନୂଆ ଲହର
ଉତ୍କର୍ଷ ଓଡିଶା- ମେକ ଇନ୍ ଓଡିଶାର ୧୧୩ ଦିନ ମଧ୍ୟରେ ଶିଳ୍ପ ଗୁଡିକର ହେଲା ଶିଳାନ୍ୟାସ, ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି
ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି
ଉଦ୍‍ଘାଟନ ନୁହେଁ କି ଶିଳାନ୍ୟାସ ନୁହେଁ, ଏହି ପ୍ରକଳ୍ପ ଗୁଡିକ ହେଉଛି ସମୃଦ୍ଧ ଓଡିଶା ନିର୍ମାଣର ଶୁଭାରମ୍ଭ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର– ୨୨ ମଇ ୨୦୨୫ —  ଓଡିଶାର ସମୃଦ୍ଧ ଶିଳ୍ପ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ ହୋଇଛି।

 ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍‌ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଏକ ସଂଖ୍ୟା ନୁହେଁ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କଳିଙ୍ଗ ନଗର ଠାରେ ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା । ଏହା ସମ୍ଭବ ହୋଇଛି, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ । କାରଣ, ଯଦି ଇଚ୍ଛାଶକ୍ତି ନାହିଁ ତେବେ ପାଦେ ଆଗେଇବାକୁ ମଧ୍ୟ ମଣିଷ ସକ୍ଷମ ହୋଇପାରେ ନାହିଁ । ଆଜି ଆମ ସରକାର ନିଜର ଦୃଢ ଇଚ୍ଛା ଶକ୍ତିର ନିଦର୍ଶନ ଦେଖାଇଛନ୍ତି । ସେ କହିଥିଲେ ଯେ, ମାତ୍ର ୧୧୩ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଆମ ସରକାର ପୂରଣ କରିଛନ୍ତି । ଆଜି ଏହି ଯେଉଁ ସବୁ ପ୍ରକଳ୍ପ ଆପଣମାନଙ୍କ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା, ଏହି ସମସ୍ତ ପ୍ରକଳ୍ପର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ପ୍ରକଳ୍ପ ସବୁ ମାଧ୍ୟମରେ ଲକ୍ଷାଧିକ ଓଡ଼ିଆ ଯୁବକ ଓ ଯୁବତୀ ନିଜ ରାଜ୍ୟର ମାଟିରେ ନିଜ ସ୍ଵପ୍ନ ପୂରଣ କରିପାରିବେ। ଏହା କେବଳ ଚାକିରି ନୁହେଁ, ଯୁବବର୍ଗଙ୍କ ପାଇଁ ଏହା ସ୍ୱାଭିମାନ, ଏହା ନୂଆ ଓଡ଼ିଶାର ନୂଆ ପରିଚୟ। ଏହା ସମୃଦ୍ଧ ଓଡିଶାର ଅୟମାରମ୍ଭ।

ସେ ପୁଣି କହିଥିଲେ, ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଂଚଳ ଏକ ଦୃଷ୍ଟାନ୍ତ ପାଲଟିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଆମେ ପାଇଥିଲୁ। ଆଉ ଆଜି, ବାସ୍ତବତା ଭୂମିରେ ଦୃଶ୍ୟମାନ ହେଉଛି ଯେ ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି।

ଏହି ଅବସରରେ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସାଥି କରି ଆମ ସରକାର କାର୍ଯ୍ୟ କରୁଛି ଏବଂ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପର ବିକାଶ ଆମ ପ୍ରଥମ ଉଦ୍ଦେଶ୍ୟ ଥିଲା ଆଉ ସେହି ଉଦ୍ଦେଶ୍ୟ କୁ ଆମ ସରକାର ସଫଳ କରୁଛନ୍ତି ବୋଲି ସେ କହିଥିଲେ।

ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ରାଜ୍ୟର ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି ଏବଂ ଯୁବଶକ୍ତିର ବିକାଶ ପାଇଁ ରୋଜଗାର ଆବଶ୍ୟକ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଆମ ସରକାରଙ୍କ ଉଦ୍ୟମ ସଫଳ ହେଉଛି। ଶିଳ୍ପର ବିକାଶ ହେଉଛି ଏବଂ ଏହା ଦ୍ୱାରା ଆମ ରାଜ୍ୟର ବିକାଶ ହେଉଛି।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶଦାସ ନାୟକ, ବଡଚଣା ବିଧାୟକ ଶ୍ରୀ ଅମର ନାୟକ ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପପତି ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଧନ୍ୟବାଦ ଦେଇଥିଲେ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆସନ୍ତା ୩୧ ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ବହିନ୍ଦୁ ପରିଷଦର ବୈଠକ

masiha

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

Sunil Chandra Nayak

ରାଜ୍ୟ ସଭାରେ ବେଟି ବାଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ପାଣ୍ଠି ବିନିଯୋଗ ସମ୍ପର୍କରେ ଅଣ ତାରକା ପ୍ରଶ୍ନ

masiha

Leave a Comment

error: Content is protected !!