ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଯୁବତୀ ଶବ ବୋହିନେବା ଘଟଣା  ସାମାଜିକ ବାସନ୍ଦ ବନାମ ସାମାଜିକ ବାସ୍ତବତାକୁ ନେଇ ଚର୍ଚ୍ଚା ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ଜିଲ୍ଲାପାଳ 

ତିନି ଯୁବତୀ ଶବ ବୋହିନେବା ଘଟଣା 

ସାମାଜିକ ବାସନ୍ଦ ବନାମ ସାମାଜିକ ବାସ୍ତବତାକୁ ନେଇ ଚର୍ଚ୍ଚା

ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ଜିଲ୍ଲାପାଳ 

ଲାଞ୍ଜିଗଡ଼,୦୨/୧୧(ମନିସ)-ସାମାଜିକ ବାସନ୍ଦର ଶିକାର ହୋଇଥିବା ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ମୃତକ ମହେନ୍ଦ୍ର ଦଳେଇଙ୍କ ଶବ ସତ୍କାରରେ ସାହିଭାଇ କେହି କାନ୍ଧ ନଦେବାରୁ ଜଣେ ନାବାଳିକା ସମେତ ତିନିଜଣ ଯୁବତୀ ଶବ ବୋହିନେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ। ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ସେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ତନ୍ମୟ କୁମାର ଦରୱାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେହିପରି ଅଞ୍ଚଳରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଏକ ଜନ ସଚେତନତା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ, ଦୀର୍ଘ ତିରିଶ ବର୍ଷରୁ ଅଧିକ ସମୟ ଧରି ସମାଜର ମୁଖ୍ୟଧାରାରେ ସାମିଲ ନଥିବା ମୃତ ମହେନ୍ଦ୍ର ଦଳେଇଙ୍କ ସାମାଜିକ ବାସ୍ତବତା ଓ ପାରିବାରିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିବା ଦେଖିବାକୁ ମିଳିଛି। ଅବିବାହିତ ମହେନ୍ଦ୍ର ଦୀର୍ଘ ବର୍ଷ ହେଲା ପ୍ରଧାନୀପଡ଼ାରେ ଏକ ଭଙ୍ଗା ଦଦରା ଓ ବିପଦସଂକୁଳ ଘରେ ରହି ଆସୁଥିଲେ। ଦୀର୍ଘ ବର୍ଷ ତଳେ ସରକାରୀ ଯୋଜନାରେ ଘର ତିଆରି ପାଇଁ ମାତ୍ର ୩୦ ହଜାର ଟଙ୍କାର ସହାୟତା ପାଇଥିଲେ। ସେଇ ଘର ବି ରହିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟ ନୁହେଁ। ତେବେ ଦୀର୍ଘ ଦିନ ଧରି ପୀଡ଼ିତ ଥିବା ମହେନ୍ଦ୍ରଙ୍କୁ ଭଲ ଭାବରେ କୌଣସି ଚିକିତ୍ସା ବ୍ୟବସ୍ଥା ବି ମିଳିପାରିନଥିବା ଅଭିଯୋଗ ହୋଇଛି। ସେହିପରି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବା ଓ ପ୍ରଶାସନର ନଜର ଆଢୁଆଳରେ ସେ ଓ ତାଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇଙ୍କ ପରିବାର ରହିବା ବି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କିଛି ମାସ ପୂର୍ବରୁ ମହେନ୍ଦ୍ରଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବି ସମାନ ପରିସ୍ଥିତି ଉପୁଜିଥିଲା ବୋଲି କୁହାଯାଉଛି। ତେବେ ସରକାରଙ୍କ ବିଭିନ୍ନ ଯୋଜନାରୁ ମଧ୍ୟ ଏହି ପରିବାର ବଂଚିତ ରହିବା ଆମ ବ୍ୟବସ୍ଥା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ମହେନ୍ଦ୍ରଙ୍କ ମୃତ୍ୟୁ ପରେ ଲାଞ୍ଜିଗଡ଼ ପଞ୍ଚାୟତ କର୍ତ୍ତୃପକ୍ଷ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା ଯୋଗାଇଦେବା ଉଲ୍ଲେଖନୀୟ ବିଷୟ ଅଟେ। ତେବେ ବିଳମ୍ବରେ ହେଉ ପଛକେ ଏହି ପରିବାରକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ ମହେନ୍ଦ୍ରଙ୍କ ବଡ଼ବାପା ଲିଙ୍ଗରାଜ ଦଳେଇଙ୍କ ନାମରେ ଏକ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହେଉଛି। ଏହାସହିତ ଲାଞ୍ଜିଗଡ଼ରେ ସ୍ଥାନୀୟ ଅଧିବାସୀ, ବୁଦ୍ଧିଜୀବୀ ଓ ପ୍ରଶାସନର ଏକ ମିଳିତ ବୈଠକ ସହିତ ଏହି ଘଟଣାର ସ୍ଥାୟୀ ସମାଧାନ ଓ ଲାଞ୍ଜିଗଡ଼ର ଭାଇଚାରା କାୟମ ରଖିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ବିଭିନ୍ନ ମତ ପ୍ରକାଶ ପାଉଥିବାବେଳେ ଏହା ଉପରେ ପୁଲିସ ପ୍ରଶାସନର ମଧ୍ୟ ନଜର ରହିଥିବା କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ବିତ କୁମାର ମାଝୀ ସୂଚନା ଦେଇଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

Sunil Chandra Nayak

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

Sunil Chandra Nayak

Leave a Comment

error: Content is protected !!