ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

ଭୁବନେଶ୍ୱର, ୧୮/୦୪/୨୦୨୬: ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରେ ଏବେବି ସତେଜ ଥିଲାବେଳେ ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ସହିତ ସେଠାକାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦୁର୍ବ୍ୟବହାର ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟର ଆଇନ ବ୍ୟବସ୍ଥା ଓ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିଛି । 

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିନ୍ମୟ ଦାସ, ସେକ୍ରେଟାରୀ ଜେନେରାଲ ଶ୍ରୀ ରକି ଦାସ ଘଟଣାଟିକୁ ଗୁରୁତର ସହିତ ନେଇ ଅତ୍ୟାଚାରର ଶିକାର ହୋଇଥିବା ୨ ଅଧିକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।  

ଡ଼ ଲେନିନ ମହାନ୍ତି କହିଥିଲେ, ମହାମହିମ ରାଜ୍ୟପାଳଙ୍କ ଭବନ ପୂର୍ବରୁ ରାଜଭବନ ନାମରେ ପରିଚିତ ଥିଲାବେଳେ କିଛି ମାସ ତଳେ ତାର ନାମ ପରିବର୍ତ୍ତନ କରି ଲୋକ ଭବନ କରାଯାଇଛି । ଲୋକ ଭବନରେ ଲୋକଙ୍କ ପ୍ରତି ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ଏହି ଲୋକ ଭବନ ଭିତରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଦ୍ୱାରା ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ଉପରେ ଅତ୍ୟାଚାର ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ରାଜ୍ୟର ପ୍ରିନ୍ସିପାଲ ଚିଫ୍ ଇନ୍କମ୍ ଟ୍ୟାକ୍ସ କମିସନର ଶ୍ରୀ ଡି ସୁଧାକର ରାଓ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଏପ୍ରିଲ ୧୬ ତାରିଖ ଦିନ ତାଙ୍କର ଓ ତାଙ୍କ ବିଭାଗର କିଛି ଉଚ୍ଚ ଅଧିକାରୀଙ୍କ ସହିତ ମାନ୍ୟବର ରାଜ୍ୟପାଳଙ୍କ ସହିତ ଏକ ସାକ୍ଷାତ ପାଇଁ ନିର୍ଦ୍ଧାରିତ ହୋଇଥିଲା । ସେହି ଅନୁସାରେ, ସେ ଓ ତାଙ୍କର କିଛି ଅଧିକାରୀ ଲୋକ ଭବନରେ ପହଞ୍ଚିଥିଲେ । ସେମାନେ ଗେଟ୍ ନମ୍ୱର ୩ ଦେଇ ଭିତରେ ପ୍ରବେଶ କରିଥିଲେ । ଗେଟ ନମ୍ୱର ୨ ନିକଟରେ ପହଁଞ୍ଚିବା ପରେ, ସେଠାରେ ଥିବା ସୁରକ୍ଷା ଅଧିକାରୀ ମାନେ ଶ୍ରୀ ରାଓଙ୍କ ସମେତ କେବଳ ୫ ଜଣ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ପାରିବେ ବୋଲି କହିବା ପରେ ସେମାନଙ୍କ ସହିତ ଥିବା ୨ ଜଣ ଆଇଆରଏସ ଅଧିକାରୀ ଯଥା ମନୀଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ଅତିଥି ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତୀକ୍ଷାଳୟରେ ଅପେକ୍ଷା କରିବାକୁ କୁହାଯାଇଥିଲା ।

ଶ୍ରୀ ରାଓ ଓ ଅନ୍ୟ ଅଧିକାରୀ ମାନେ ରାଜ୍ୟପାଳଙ୍କ ନିକଟକୁ ଚାଲିଯିବା ପରେ ସୁରକ୍ଷା ଦାୟିତ୍ୱରେ ଥିବା କିଛି ପୋଲିସ ଅଧିକାରୀ ଆସି ପ୍ରତୀକ୍ଷାଳୟରେ ଅପେକ୍ଷାରତ ଥିବା ୨ ଅଧିକାରୀଙ୍କୁ ସେମାନେ ଲୋକ ଭବନ ଭିତରେ ଅନଧିକାର ପ୍ରବେଶ କରିଛନ୍ତି ଅଭିଯୋଗ କରି ସେମାନଙ୍କ ସହିତ କ୍ୟାପିଟାଲ ଥାନାକୁ ଯିବାକୁ ହେବ ବୋଲି କହିଥିଲେ । ସେହି ୨ ଅଧିକାରୀ ରାଜ୍ୟପାଳଙ୍କ ଅଫିସ୍ର ବରିଷ୍ଠ ଅଧିକାରୀଙ୍କ ନିଦେ୍ର୍ଦଶରେ ଆମେ ଏଠାରେ ଅପେକ୍ଷା କରିଛୁ ବୋଲି କହିବା ପରେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ସେମାନଙ୍କୁ ସେଠାର ସୁରକ୍ଷା ଦାୟିତ୍ୱରେ ଥିବା ଏଡିସି କୁଲଦୀପ ମିନାଙ୍କ ନିଦେ୍ର୍ଦଶ ରହିଛି ବୋଲି କହିଥିଲେ । ଏହାପରେ ଦୁହିଁଙ୍କୁ ପୋଲିସ ଗାଡ଼ିରେ ବସାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା । ସେହି କାରଣରୁ, ରାଜ୍ୟପାଳଙ୍କୁ ଭେଟିବାକୁ ଆସିଥିବା କମିସନର ଓ ଅନ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇଥିଲା । ପୋଲିସ ଅଧିକାରୀଙ୍କ ସମ୍ନାରେ ସେମାନେ ସମସ୍ତ ବିଷୟବସ୍ତୁ ବର୍ଣ୍ଣନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା । ପରେ ରାଜ୍ୟପାଳଙ୍କ ଅଫିସ୍ରୁ ସ୍ପଷ୍ଟୀକରଣ ଯିବାପରେ ସେମାନଙ୍କୁ ଛଡା ଯାଇଥିଲା ।  

ଡ଼ ମହାନ୍ତି କହିଥିଲେ, ଏହି ଘଟଣାର ଅଭିଯୋଗ ପାଇବା ପରେ ପୋଲିସ ଡିଜି ଏକ ତଦନ୍ତର ନିଦେ୍ର୍ଦଶ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଆମର ପ୍ରଶ୍ନ, ଏହି ଘଟଣା ଲୋକ ଭବନର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ଥିବାରୁ ଏହା ରାଜ୍ୟପାଳ ମହୋଦୟଙ୍କ ଜ୍ଞାତସାରରେ ଅଛି ନା ନାହିଁ? ଲୋକ ଭବନରେ ଲୋକଙ୍କ ପ୍ରତି ପୁଣି ଜଣେ ଓଡ଼ିଆ ଅଧିକାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ହେବା ସାଙ୍ଘାତିକ କଥା ।  

ଶ୍ରୀ ରକି ଦାସ ଓ ଶ୍ରୀ ଚିନ୍ମୟ ଦାସ ମଧ୍ୟ ନିଜ ବକ୍ତବ୍ୟରେ ଘଟଣାର ନିନ୍ଦା କରିବା ସହିତ ଅତ୍ୟାଚାରର ଶିକାର ହୋଇଥିବା ଅଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।

Related posts

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜୁନାଗଡ଼ ଏନ ଏ ସି ଅଧ୍ୟକ୍ଷ। ଭାବେ ଦାୟୀତ୍ବ ନେଲେ ଓପାଧ୍ୟକ୍ଷା ହିମାଦ୍ରୀ ନାଏକ 

masiha

Leave a Comment

error: Content is protected !!