ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ମେ ୪ ତାରିଖ :  ସାହସ,ସେବା ଓ ସଂକଳ୍ପର ଦିବସ 

ଆଜିର ଦିବସର ଅନୁଚିନ୍ତା: ମେ ୪ ତାରିଖ :  ସାହସ,ସେବା ଓ ସଂକଳ୍ପର ଦିବସ 

 ଡ଼ା. ଦେବୀ ପ୍ରସାଦ ମିଶ୍ର,

ସମୟର ଅବିରତ ପ୍ରବାହରେ ପ୍ରତିଟି ଦିନ ଏକ ନୂତନ ପରିଚୟ ନେଇ ଆସେ ଏବଂ ମେ ୪ ତାରିଖ ସେହି ପରିଚୟଗୁଡ଼ିକୁ ସାହସ ଓ ସେବାର ଅର୍ଥରେ ଉଜ୍ଜ୍ୱଳ କରିଥାଏ।

ଆନ୍ତର୍ଜାତୀୟ ଅଗ୍ନିଶମ ସେବା ଦିବସ ଆମକୁ ସେହି ନିରବ ବୀରମାନଙ୍କ ସ୍ମୃତି ଦେଇଥାଏ,ଯେଉଁମାନେ ନିଜର ଜୀବନକୁ ପଣ କରି ଅନ୍ୟମାନଙ୍କ ଜୀବନ ଓ ସମ୍ପତ୍ତିକୁ ରକ୍ଷା କରନ୍ତି।ସେମାନଙ୍କର କର୍ମ କେବଳ ଦାୟିତ୍ୱ ନୁହେଁ,ଏକ ଉଚ୍ଚତମ ମାନବୀୟ ଧର୍ମ।ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ୟର ଧନଜୀବନ ରକ୍ଷା କରୁଥିବା ସେହି ସାହସୀ ଅଗ୍ନିଶମ ବାହିନୀର ବୀରତ୍ୱକୁ ସମ୍ମାନ ଜଣାଇବାର ଏହା ଏକ ବିଶେଷ ଦିନ।ଏଥିସହିତ,ଆଜି ‘କୋଇଲା ଖଣି ଶ୍ରମିକ ଦିବସ’ ଭାବେ ମଧ୍ୟ ପାଳିତ ହୁଏ,ଯାହା ଭୂଗର୍ଭର ଅନ୍ଧକାର ମଧ୍ୟରେ ଦେଶର ଶକ୍ତି ସମ୍ପଦ ପାଇଁ ଝାଳ ବୁହାଉଥିବା ଶ୍ରମିକମାନଙ୍କ ପ୍ରତି ସମର୍ପିତ।କୋଇଲା ଖଣି ଶ୍ରମିକମାନଙ୍କ ଅଦୃଶ୍ୟ ସଂଘର୍ଷ ଆମକୁ ସ୍ମରଣ କରାଏ ଯେ,ଉନ୍ନତିର ଆଲୋକ ପଛରେ ଅନେକ ଅନ୍ଧକାର ତ୍ୟାଗ ଲୁଚିଥାଏ।

ଭାରତୀୟ ଇତିହାସରେ ୧୭୯୯ ମସିହା ମେ ୪ ତାରିଖ ଏକ କଳା ଦିନ।ଆଜିର ଦିନରେ ଶ୍ରୀରଙ୍ଗପଟ୍ଟନମ୍ ଯୁଦ୍ଧରେ ବ୍ରିଟିଶ ବାହିନୀ ବିରୁଦ୍ଧରେ ଲଢ଼ି ମହିଶୂରର ବାଘ ‘ଟିପୁ ସୁଲତାନ’ ଶହୀଦ ହୋଇଥିଲେ।ଇତିହାସ ଆଜିର ଦିନକୁ ଆହୁରି ଗମ୍ଭୀର କରିଦିଏ।ଟିପୁ ସୁଲତାନଙ୍କର ବଳିଦାନ ମାତ୍ର ଏକ ଯୁଦ୍ଧର ଶେଷ ନୁହେଁ,ବରଂ ଦେଶପ୍ରେମ ଓ ଜୀବନ ସମର୍ପଣର ଏକ ଅମର ପ୍ରତୀକ।ସେହି ବୀରତ୍ୱ ଆଜିବି ଆମକୁ ପ୍ରେରଣା ଦେଇଥାଏ ଯେ ଅନ୍ୟାୟର ବିରୁଦ୍ଧରେ ଦୃଢ଼ ହୋଇ ଦୌଡିବାକୁ।ଆଜିର ଦିନରେ ପ୍ରଥମ ‘ଗ୍ରାମି ଆୱାର୍ଡ’ ପ୍ରଦାନ କରାଯାଇଥିଲା,ଯାହା ସଙ୍ଗୀତ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ।ଏହା ସହିତ,ସଂସ୍କୃତି ଓ ସୃଜନଶୀଳତାର ମଞ୍ଚରେ ଗ୍ରାମି ପୁରସ୍କାରର ଆରମ୍ଭ ମାନବୀୟ ସୃଜନଶୀଳତାର ଏକ ନୂତନ ଦିଗକୁ ଚିହ୍ନିତ କରିଥିଲା।ଆଜି ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କନ୍ନଡ଼ ସାହିତ୍ୟିକ ଏମ୍. ଶିବରାମ କାରନ୍ଥଙ୍କ ଜନ୍ମଦିନ।ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ନୂତନ ଗବେଷଣା ପାଇଁ ଆଜିର ଦିନଟି ଯୁବପିଢ଼ିଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଏ।

ଓଡ଼ିଶା ପ୍ରସଙ୍ଗରେ କହିଲେ,ଆଜି ଅନେକ ବିଜ୍ଞ ତଥା ସମାଜସେବୀଙ୍କ ପୂଣ୍ୟ ସ୍ମୃତି ଆମକୁ ପ୍ରେରଣା ଦିଏ। 

ଏହି ସମସ୍ତ ପରିପ୍ରେକ୍ଷୀରେ ଆଜିର ଦିନ ଆମକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଥାଏ ଯେ ଜୀବନ କେବଳ ବ୍ୟକ୍ତିଗତ ସଫଳତାର ଯାତ୍ରା ନୁହେଁ,ଏହା ସମାଜ ପାଇଁ କିଛି କରିବାର ଏକ ସଂକଳ୍ପ।ସମୟ ବଡ଼ ବଳବାନ ଓ ବହୁତ ମୂଲ୍ୟବାନ।ଇତିହାସର ଏହି ପୃଷ୍ଠାଗୁଡ଼ିକ କେବଳ ତଥ୍ୟ ନୁହେଁ,ବରଂ ଜୀବନ ଜିଇଁବାର ଏକ ଶିକ୍ଷା।ଟିପୁ ସୁଲତାନଙ୍କ ବୀରତ୍ୱ ହେଉ ବା ଅଗ୍ନିଶମ ସେବକଙ୍କ ତ୍ୟାଗ,ସବୁଠି ସେବା ଓ ସାହସର ମନ୍ତ୍ର ରହିଛି।ସେବା,ସାହସ ଓ ସଂଘର୍ଷ ହିଁ ମାନବତାର ମୂଳ ସ୍ୱର।ତେବେ ଆସନ୍ତୁ,ଆମେ ସମସ୍ତେ ଏହି ଦିନରୁ ସେହି ସ୍ୱରକୁ ଆପଣାର କରି,ନିଜ କର୍ମକୁ ଏକ ଉଦ୍ଦେଶ୍ୟମୟ ମାର୍ଗରେ ଆଗକୁ ନେଇଯିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଏଵଂ ଆଜିର ଦିନକୁ କର୍ମମୟ କରିବା ସହ ଦେଶ ଓ ଜାତିର ପ୍ରଗତିରେ ନିଜକୁ ସାମିଲ କରିବା।

 ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଅପ୍ରେଲ ୧୦ ତାରିଖ: ଏକ ଆହ୍ୱାନ,ଏକ ଚେତନା,ଏକ ଦିଗ

Sunil Chandra Nayak

ଅକ୍ଷୟ ତୃତୀୟାର ମାହାତ୍ମ୍ୟ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: (ଗୁରୁବାର)ଏପ୍ରିଲ୍ ୨ ତାରିଖ :  ଜ୍ଞାନ ଆହରଣ ଓ ସାମାଜିକ ସେବାର ସଂକଳ୍ପ-ଏକ ଐତିହାସିକ,ସାଂସ୍କୃତିକ ସମନ୍ୱୟ,

Sunil Chandra Nayak

Leave a Comment

error: Content is protected !!