ଆଜିର ଦିବସର ଅନୁଚିନ୍ତା : ମଇ ୩ ତାରିଖ: ସ୍ୱାଧୀନତାର ସ୍ୱର ଓ ସତ୍ୟର ସଂକଳ୍ପ ଦିବସ
ଡ଼ା. ଦେବୀ ପ୍ରସାଦ ମିଶ୍ର,
ଆଜି ମଇ ମାସ ୩ ତାରିଖ।କାଳର କପାଳରେ ଏହି ଦିନଟି ଅନେକ ଘଟଣା ଓ ଦୁର୍ଘଟଣାର ମୂକସାକ୍ଷୀ।ସମୟର ଗଭୀରତାରେ ଏକ ସଚେତନ ସ୍ୱର,ଯାହା ଆମକୁ ସ୍ମରଣ କରାଏ ସତ୍ୟର ମୂଲ୍ୟ ଓ ସ୍ୱାଧୀନତାର ଗୌରବ।ଏହିପରି,ମଇ ୩ କେବଳ ଏକ ତାରିଖ ନୁହେଁ;ଏହା ସତ୍ୟକୁ କହିବା,ନ୍ୟାୟକୁ ରକ୍ଷା କରିବା ଓ ମାନବତାକୁ ଉଚ୍ଚସ୍ଥାନରେ ରଖିବାର ଏକ ସଂକଳ୍ପର ଦିବସ।
ବିଶ୍ୱ ଇତିହାସରେ ଆଜିର ଦିନଟି ବିଶେଷ ଭାବେ “ବିଶ୍ୱ ସମ୍ବାଦପତ୍ର ସ୍ୱାଧୀନତା ଦିବସ” ଭାବେ ପରିଚିତ।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସମ୍ବାଦପତ୍ରର ସ୍ୱାଧୀନତା ଓ ନିର୍ଭୀକ ସମ୍ବାଦିକତା ପାଇଁ ଏହି ଦିନଟି ଆମକୁ ପ୍ରେରଣା ଦିଏ।ଏହିଦିନ ସମ୍ବାଦମାଧ୍ୟମର ନିର୍ଭୀକତା ଓ ନିରପେକ୍ଷତା ପ୍ରତି ଆମେ ଶ୍ରଦ୍ଧା ଜଣାଉ।ଗଣତନ୍ତ୍ରର ମୂଳ ସ୍ୱରୂପ ହେଉଛି ସତ୍ୟର ଉଚ୍ଚାରଣ, ଏବଂ ସେହି ସତ୍ୟକୁ ସାର୍ବଜନୀନ କରିବାର ଦାୟିତ୍ୱ ନେଇଥାଏ ସ୍ୱାଧୀନ ସାମ୍ବାଦିକତା।ବିଜ୍ଞାନ କ୍ଷେତ୍ରରେ ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ଷ୍ଟିଭେନ୍ ୱାଇନବର୍ଗଙ୍କ ଜନ୍ମ ମଧ୍ୟ ଆଜିର ତିଥିରେ ହୋଇଥିଲା।
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଦେଖିଲେ,୧୯୩୯ ମସିହା ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ‘ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ’ ଗଠନ କରି ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ଏକ ନୂଆ ମୋଡ଼ ଦେଇଥିଲେ।କେବଳ ସେତିକି ନୁହେଁ, ୧୯୧୩ ମସିହା ଆଜିର ଦିନରେ ଭାରତୀୟ ସିନେମାର ପ୍ରଥମ ପଦଚିହ୍ନ,ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ମୁକ୍ତିଲାଭ କରି ଭାରତୀୟ ସିନେମା ଜଗତରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲା ଏବଂ ଏକ ସୃଜନଶୀଳ ଯୁଗର ଅୟ ଆରମ୍ଭ କରିଥିଲା।ଆଜିର ଦିନରେ କେରଳର ପ୍ରସିଦ୍ଧ ଜନନେତା ଭି. କେ.କୃଷ୍ଣ ମେନନଙ୍କ ଜନ୍ମ ହୋଇଥିବା ବେଳେ,ଭାରତର ତୃତୀୟ ରାଷ୍ଟ୍ରପତି ଡଃ ଜାକିର ହୁସେନଙ୍କ ୧୯୬୯ ମସିହାରେ ଆଜିର ଦିନରେ ପରଲୋକ ହୋଇଥିଲା।ଆଜିର ଦିନଟିରେ ଆମେ ତାଙ୍କର ସ୍ମୃତିକୁ ନମନ କରେ,ଯେଉଁଥିରେ ଜାତିର ମୂଲ୍ୟବୋଧ ଅବିକଳ ମହଜୁଦ୍ ରହିଛି।ସେହିପରି ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ନର୍ଗିସ୍ ଦତ୍ତଙ୍କ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ଆଜି ପାଳିତ ହୁଏ।
ଓଡ଼ିଶା ପ୍ରସଙ୍ଗରେ ମଇ ୩ ତାରିଖ ଏକ ଦୁଃଖଦ ସ୍ମୃତି ବହନ କରେ।୨୦୧୯ ମସିହାରେ ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫଣି’ ଓଡ଼ିଶାର ମାଟିରେ ଧ୍ୱଂସର ଛାୟା ପକାଇଥିଲା ଓ ଓଡ଼ିଶା ଉପକୂଳରେ ବ୍ୟାପକ ଧନଜୀବନ ହାନି କରିଥିଲା।ଏହା ଆମକୁ ପ୍ରକୃତିର ପ୍ରକୋପ ସହ ମୁକାବିଲା କରିବାର ଧୈର୍ଯ୍ୟ ଓ ସଂକଳ୍ପ ଶିଖାଇଥିଲା।କିନ୍ତୁ,ଏହି ଦିନ ଆମକୁ ମଧ୍ୟ ବିପର୍ଯ୍ୟୟର କଠୋର ସତ୍ୟକୁ ସ୍ମରଣ କରାଏ।ସେଥିରୁ ଆମେ ସହନଶୀଳତା ଓ ପୁନରୁତ୍ଥାନ ସମ୍ପର୍କରେ ଶିକ୍ଷା ଲାଭ କରିଥିଲୁ।ସମୟ ଆମକୁ ସତ୍ୟତା ଓ ଦୃଢତାର ପଥେ ଆଗକୁ ବଢ଼ିବାର ଆହ୍ୱାନ କରେ।ଜ୍ଞାନର ଦିଗନ୍ତ ବିସ୍ତାରିତ।ଆଜିର ପ୍ରତିଟି ମୁହୂର୍ତ୍ତ ଅତୀତରୁ ଶିକ୍ଷା କରି ଭବିଷ୍ୟତ ଗଢ଼ିବାର ଏକ ସୁଯୋଗ।ତେବେ ଆସନ୍ତୁ,ଆମେ ସମସ୍ତେ ସତ୍ୟ ଓ ନ୍ୟାୟର ପଥରେ ଅଗ୍ରସର ହେବା ପାଇଁ ଆଜି ନୂଆ ସଂକଳ୍ପ ନେବା।
ଡ଼ା. ଦେବୀ ପ୍ରସାଦ ମିଶ୍ର,
✉️ debisirscience@gmail.com
/ debiprasadmishra085@gmail.com

