ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି କାମୁଡ଼ାରେ ମୃତ୍ୟୁ: ଶବ ଆଣିବାକୁ ଅସହାୟ ପରିବାର ପାଇଁ ଦେବଦୂତ ସାଜିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ମହୁମାଛି କାମୁଡ଼ାରେ ମୃତ୍ୟୁ: ଶବ ଆଣିବାକୁ ଅସହାୟ ପରିବାର ପାଇଁ ଦେବଦୂତ ସାଜିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଧର୍ମଗଡ଼ :ଧର୍ମଗଡ଼ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମହୁମାଛି କାମୁଡ଼ାରେ ପ୍ରାଣ ହରାଇଥିବା ଜଣେ ଅସହାୟ ଗରିବ ବ୍ୟକ୍ତିଙ୍କ ଶବ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଦେବଦୂତ ସାଜିଛନ୍ତି ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ତାଙ୍କର ଏଭଳି ମହତ୍ତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି।

ସୂଚନା ଅନୁଯାୟୀ, ଧର୍ମଗଡ଼ ଥାନା ଅନ୍ତର୍ଗତ ଥନଟ ଗ୍ରାମର ଦେଵସିଂ ବାଗ (୪୦) ନାମକ ଜଣେ ବ୍ୟକ୍ତି ଗୋଲାମୁଣ୍ଡା ବ୍ଲକର ଟେମେରି ଗାଁକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଆସିଥିଲେ। ସେଠାରେ ହଠାତ ତାଙ୍କୁ ମହୁମାଛି କାମୁଡ଼ିବାରୁ ସେ ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଛତିଶଗଡ଼ ରାଜ୍ୟ ରାୟପୁର ସହରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଥିଲା।

ମୃତ ବ୍ୟକ୍ତିଙ୍କ ପରିବାର ଅତ୍ୟନ୍ତ ଗରିବ ଏବଂ ଅସହାୟ ହୋଇଥିବାରୁ, ରାୟପୁର ଭଳି ଦୂର ସହରରୁ ମୃତ ଶବ ଗାଁକୁ ଆଣିବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ସାମର୍ଥ୍ୟ ନଥିଲା। ଏନେଇ ପରିବାର ଓ ସ୍ଥାନୀୟ ଲୋକେ ସୋସିଆଲ ମେଡିଆ ମାଧ୍ୟମରେ ଶବ ଆଣିବାକୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଧର୍ମଗଡ଼ର ସମାଜସେବୀ ଉମାକାନ୍ତ ସୁନାନୀ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳିପାରିନଥିଲା। ସବୁ ଆଡୁ ନିରାଶ ହେବା ପରେ ଶେଷରେ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଦୁଃଖଦ ଖବର ଜାଣିବା ପରେ ଶ୍ରୀ ମହାନନ୍ଦ ତୁରନ୍ତ ନିଜ ସଂସ୍ଥା ତରଫରୁ ଶବ ଆଣିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ସେହି ଆମ୍ବୁଲାନ୍ସ ସାହାଯ୍ୟରେ ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କ ମରଶରୀର ନିଜ ଗାଁ ଥନଟରେ ପହଞ୍ଚିଛି। ମୃତ ବ୍ୟକ୍ତିଙ୍କ ପରିବାରରେ ତାଙ୍କ ସ୍ତ୍ରୀଙ୍କ ସମେତ ଦୁଇ ଗୋଟି ପୁଅ, ଗୋଟିଏ ଝିଅ ଏବଂ ବୃଦ୍ଧ ବାପା ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏଭଳି ବିପତ୍ତି ସମୟରେ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବଢ଼ାଇଥିବା ସହାୟତାର ହାତ ପାଇଁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ….

 

Related posts

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

masiha

ରାଜନଗର ପଂଚାୟତ ସମିତି ର ଓସ୍ତିଆ ଗ୍ରାମ ପଂଚାୟତ ରେ ଗଡ଼ିଲା ବିକାଶ ବାହାନ ରଥ 

masiha

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!