ନବରଂଗପୁର ଠାରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରଦାନର ସିଧା ପ୍ରସାରଣ ଓ ସମାବେଶ କାର୍ଯ୍ୟକ୍ରମ
ନବରଙ୍ଗପୁର:( ତା ୨୮.୮.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ନବରଂଗପୁର ସହର ସ୍ଥିତ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରଦାନର ସିଧା ପ୍ରସାରଣ ଓ ସମାବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡା ଠାରେ ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ରେ ମାନବ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ କୁ ଏହି ଜିଲ୍ଲା ସ୍ତରୀୟ ଉତ୍ସବ ରେ ଅତିଥି ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ।ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟରେ ଆଜି ୧ କୋଟି ରୁ ଉର୍ଦ୍ଧ୍ବ ମହିଳା ହିତାଧିକାରୀଙ୍କୁ ତାଙ୍କ ଜମାଖାତାରେ ସୁଭଦ୍ରା ଯୋଜନାର ୫ମକିସ୍ତି ମୋଟ ୫ ହଜାର କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଗଲା।ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ଅଭିନବ ଯୋଜନା ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ଥିତି କୁ ସୁଦୃଢ଼ କରିବାରେ ସହାୟକ ହେଉଛି ଏବଂ ଏହା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରୋତ୍ସାହନ କରୁଛି ବୋଲି ମତବ୍ୟକ୍ତ କରିଥିଲେ।ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ପ୍ରଚଳନ ପୂର୍ବକ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଏବଂ ଏହି ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ନିଜକୁ ଆର୍ଥିକ ଦିଗରେ ସୁରକ୍ଷିତ କରିଛନ୍ତି ବୋଲି କହିଥିଲେ। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଆଜି ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ୩୦୫୬୯୬ ଜଣ ମହିଳା ହିତାଧିକାରୀଙ୍କୁ ପ୍ରତ୍ୟେକ ବ୍ୟାଙ୍କ୍ ଜମାଖାତା ରେ ୫ମ କିସ୍ତି ୫୦୦୦ ଟଙ୍କା ଜମା ହୋଇ ମୋଟ ୧୫୨ କୋଟି ୮୪ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି।ସୂଚନା ଯୋଗ୍ୟ ଯେ ସୁଭଦ୍ରା ଯୋଜନାର ପ୍ରତ୍ୟେକ ମହିଳା ହିତାଧିକାରୀଙ୍କ ଜମାଖାତା କୁ ଏ ପର୍ଯ୍ୟନ୍ତ ୪ ଟି କିସ୍ତି ରେ ମୋଟ ୨୦,୦୦୦ ଟଙ୍କା ଜମା ହୋଇ ଯାଇଛି। କାର୍ଯ୍ୟକ୍ରମରେ ଅତିଥିଗଣ ଜିଲ୍ଲାରେ ସୁଭଦ୍ରା ଯୋଜନା ଦ୍ୱାରା ଆର୍ଥିକ ଅଭିବୃଦ୍ଧି କରିଥିବା ୩ ଜଣ ହିତାଧିକାରୀ ହେମଲତା ମଲ୍ଲିକ,ବାଲି ହରିଜନ ଏବଂ ମାଣିକ ଖୋରାଙ୍କୁ ସମ୍ମାନିତ କରିଥିଲେ। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଆଇନଜିବି କିଶୋରୀ ପଟ୍ଟନାୟକ, “ଶୋଭା” ଅନୁଷ୍ଠାନ କର୍ମକର୍ତ୍ତା,ମହିଳା ଓ ଶିଶୁ ବିକାଶ କାର୍ଯ୍ୟଲୟ ଅଧିକାରୀ ଏବଂ କର୍ମଚାରୀ,ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟା, ସୁପରଭାଇଯର, ସି ଡି ପି ଓ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରମା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ସଭା ପରିଚାଳନା କରିଥିଲେ ଏବଂ ଚନ୍ଦନା ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

