ଦେଶିଆ ଭାଷା ଆଦିବାସୀଙ୍କ ମୌଳିକ ଭାଷା, ସଂରକ୍ଷଣ ପାଇଁ ସରକାରୀ ଉଦ୍ୟମ ଜରୁରୀ
ସାହିତ୍ୟ ଅକାଦେମି ଓ ଦେଶିଆ କୁଟୁମ୍ର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ
ନବରଙ୍ଗପୁର:(୧୧/୧୦)(ରବି ନାରାୟଣ ମହାନ୍ତି)ଦେଶିଆ ଭାଷା ହେଉଛି ଆଦିବାସୀ ସମାଜର ଏକ ମୌଳିକ ଭାଷା। ଅନ୍ୟ ଭାଷାଗୁଡ଼ିକ ପରି ଏହା ମଧ୍ୟ ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାର ଅଧିକାରୀ। ଶହ ଶହ ବର୍ଷ ଧରି ମୌଖିକ ପରମ୍ପରାରେ ଏହାର ଭାଷା, ସାହିତ୍ୟ ଓ ସଂସ୍କୃତି ଅକ୍ଷୁଣ୍ଣ ରହିଆସିଛି। ଏହାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମନ୍ୱିତ ଉଦ୍ୟମ ହେବା ଆବଶ୍ୟକ ବୋଲି ନବରଙ୍ଗପୁରଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।ସାହିତ୍ୟ ଅକାଦେମି ଓ ଦେଶିଆ କୁଟୁମ୍, ଧୋଡ୍ରାର ମିଳିତ ଆନୁକୂଲ୍ୟରେ ରବିବାର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ‘ଦଣ୍ଡକାରଣ୍ୟ ଅଞ୍ଚଳର ଦେଶିଆ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର ଓ ମାତୃଭାଷାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଦେଶିଆ ଭାଷାର ମୌଳିକତା, ମୌଖିକ ସାହିତ୍ୟର ପରମ୍ପରା ଏବଂ ଏହାର ସାହିତ୍ୟିକ ଓ ସାଂସ୍କୃତିକ ବିଭବ ସମ୍ପର୍କରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟା ଡଃ ପ୍ରୀତିଧାରା ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଲୋଚକ ଭାବେ ଦେଶିଆ ଭାଷାର ବିଶିଷ୍ଟ କବି ଗଣେଶ ଚନ୍ଦ୍ର ବିଷୋୟୀ, ଦୂରଦର୍ଶନ ଓ ଆକାଶବାଣୀର ଜିଲ୍ଲା ପ୍ରତିନିଧି ତଥା ଗବେଷିକା ପ୍ରଭାତୀ ବିଷୋୟୀ, ଶିକ୍ଷାବିତ୍ ଓ ଗବେଷକ ସୁଭାଷ ଚନ୍ଦ୍ର ମିଶ୍ର ଏବଂ ବିଶିଷ୍ଟ ଗବେଷକ ଡଃ ରାଜେନ୍ଦ୍ର ପାଢ଼ୀ ଯୋଗଦେଇ ଦେଶିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ କହିଥିଲେ ଯେ ଦେଶିଆ ଭାଷାର ସମୃଦ୍ଧି କେବଳ ଏହାର ଶବ୍ଦଭଣ୍ଡାରରେ ସୀମିତ ନୁହେଁ; ଏହାର ଲୋକକଥା, ଲୋକଗୀତ, ପରମ୍ପରା, ଜୀବନଧାରା ଓ ସାମୂହିକ ସ୍ମୃତିରେ ମଧ୍ୟ ଏହାର ସାରସ୍ୱତ ବିଭବ ପ୍ରତିଫଳିତ ହୋଇଥାଏ। ଦୀର୍ଘକାଳ ଧରି ମୌଖିକ ପରମ୍ପରାରେ ସଂରକ୍ଷିତ ଏହି ସାହିତ୍ୟକୁ ସଂଗ୍ରହ, ଲିପିବଦ୍ଧ ଓ ପ୍ରକାଶନ କରିବା ସହ ନୂତନ ପିଢ଼ି ମଧ୍ୟରେ ଏହାର ପ୍ରସାର ଜରୁରୀ। ଏଥିପାଇଁ ସରକାରୀ ଅନୁଷ୍ଠାନ, ସାହିତ୍ୟ ସଂଗଠନ, ଗବେଷକ ଓ ସ୍ଥାନୀୟ ସମାଜ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ।ଦେଶିଆ କୁଟୁମ୍ର ସଭାପତି ତଥା ବିଶିଷ୍ଟ ଗବେଷକ ସାଇମନ ବିଡ଼ିକା ସଭାପତିତ୍ୱ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂଗଠନର ସମ୍ପାଦକ ତଥା ଯୁବ ଗବେଷକ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ଦେଶିଆ କବିତା ପାଠୋତ୍ସବରେ ରଞ୍ଜନ ମହୁରିଆ ସଭାପତିତ୍ୱ କରିଥିଲେ। ସ୍ୱର୍ଣ୍ଣଲତା ପଟ୍ଟନାୟକ ଓ ସୁଶୋଭିତା ମେରିଲିନ୍ ତୁରୁକ୍ କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଭିନ୍ନ କବି ନିଜ ମାତୃଭାଷାରେ କବିତା ପାଠ କରି ଦେଶିଆ ଭାଷାର ସୃଜନଶୀଳତା ଓ ସାହିତ୍ୟିକ ସମ୍ଭାବନାକୁ ପ୍ରକାଶ କରିଥିଲେ। ଚନ୍ଦ୍ରଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଜୟନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

