ରାଇରଙ୍ଗପୁର ବ୍ଳକର ହାଳଦା ପଞ୍ଚାୟତର ସିଜୁକଳା ପ୍ରାଥମିକ ବିଦ୍ୟାଳୟରେ ଅର୍ଦ୍ଧରାତ୍ରିରେ ଖସିଲା ଶ୍ରେଣୀଗୃହ ସ୍ଲାବ , ଅଳ୍ପକେ ବର୍ତ୍ତିଲେ ୪୦ ଆଦିବାସୀ ଛାତ୍ରଛାତ୍ରୀ; ଉଚ୍ଚସ୍ତରୀୟ ତଦନ୍ତ ଦାବି
ରାଇରଙ୍ଗପୁର: – ଅକ୍ଷୟ ବିଶ୍ବାଳ ୮/୦୯ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାଳଦା ଗ୍ରାମପଞ୍ଚାୟତର ସିଜୁକଳା ପ୍ରାଥମିକ ବିଦ୍ୟାଳୟରେ ବିଗତ ଗୁରୁବାର ରାତ୍ରୀରେ ଏକ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟର ଏକ ଶ୍ରେଣୀଗୃହର ସ୍ଲାବ ଅର୍ଦ୍ଧରାତ୍ରିରେ ହଠାତ୍ ଖସିପଡ଼ିଥିବା ଜଣାପଡ଼ିଛି।
ଘଟଣା ସମୟରେ ପ୍ରାୟ ୪୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ନିକଟସ୍ଥ ଅନ୍ୟ ଏକ କ୍ଲାସରୁମ୍ରେ ଶୋଇଥିଲେ। ଫଳରେ ବଡ଼ ଧରଣର ଅଘଟଣରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ରକ୍ଷା ପାଇଥିବା କୁହାଯାଉଛି।
ଘଟଣା ପରେ ସ୍ଥାନୀୟ ସ୍ତରର କିଛି ଅଧିକାରୀ ଓ ରାଇରଙ୍ଗପୁର ଥାନା ଅଧିକାରୀ ବିଦ୍ୟାଳୟକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ତେବେ ଘଟଣା ପରେ ଏପର୍ଯ୍ୟନ୍ତ ଜିଲ୍ଲା କିମ୍ବା ଉପଖଣ୍ଡ ସ୍ତରର ବରିଷ୍ଠ ଅଧିକାରୀ, ଆଦିବାସୀ କଲ୍ୟାଣ ବିଭାଗ, ପିଏ ଆଇଟିଡିଏର ଅଧିକାରୀ କିମ୍ବା ସମ୍ପୃକ୍ତ ଜନପ୍ରତିନିଧିମାନେ ବିଦ୍ୟାଳୟ ଓ ଛାତ୍ରାବାସ ପରିଦର୍ଶନ କରିନଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏଭଳି ସମ୍ବେଦନଶୀଳ ଘଟଣା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ବିଦ୍ୟାଳୟ ଭିତ୍ତିଭୂମିର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ, ନିର୍ମାଣକାର୍ଯ୍ୟର ଗୁଣବତ୍ତା ଓ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏହି ଘଟଣା ସମ୍ପର୍କରେ ଖବରକାଗଜରୁ ସୂଚନା ପାଇ ପୂର୍ବତନ ବହଳଦା ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ସିଜୁକଳା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଅବସ୍ଥା ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟିତ୍ୱ ନିର୍ଦ୍ଧାରଣ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ସ୍ଥାନୀୟ ଲୋକଙ୍କ ମତରେ, ଏହି ଘଟଣାକୁ କେବଳ ଏକ ଦୁର୍ଘଟଣା ଭାବେ ନଦେଖି ବିଦ୍ୟାଳୟର ଭିତ୍ତିଭୂମି, ନିର୍ମାଣ ମାନଦଣ୍ଡ ଓ ଛାତ୍ରାବାସର ସୁରକ୍ଷା ବ୍ୟବସ୍ଥାର ସମଗ୍ର ଯାଞ୍ଚ କରାଯିବା ଆବଶ୍ୟକ, ଏବଂ ଅବିଳମ୍ବେ ନୁତନ ଛାତ୍ରାବାସ ଗୣହ ନିର୍ମାଣ କରିବାର ଆବଶ୍ୟକତା ରହୁଛି।

