କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି (IC) ଓ ସ୍ଥାନୀୟ ଅଭିଯୋଗ କମିଟି (LC) ସଦସ୍ୟମାନଙ୍କ ପାଇଁ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭବାନୀପାଟଣା, ୨୭.୧୦.୨୦୨୬: ମହିଳାମାନଙ୍କ ପାଇଁ ନିରାପଦ, ସମ୍ମାନଜନକ ଓ ଯୌନ eଉତ୍ପୀଡ଼ନମୁକ୍ତ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଅଭିଯୋଗ କମିଟି (LC), ଆଭ୍ୟନ୍ତରୀଣ ଅଭିଯୋଗ କମିଟି (IC)ର ସଦସ୍ୟ ଏବଂ ନୋଡାଲ ଅଧିକାରୀମାନଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ ଗୁରିଆ, ଉପ-ଆରକ୍ଷୀ ଅଧୀକ୍ଷକ (ସାଇବର ଅପରାଧ) ଅଲକାନନ୍ଦ ସାହୁ, ଜିଲ୍ଳା ସଂ ସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଉପନିର୍ଦ୍ଦେଶକ (ଯୋଜନା) ଶ୍ରୀକାନ୍ତ ଦଳେଇ, ସମାଜ କଲ୍ୟାଣ ଅଧିକାରିଣୀ ନିୟତିବାଳା ସୋରେନ ଏବଂ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ମହିଳା ପର୍ଯ୍ୟବେକ୍ଷିକା, LC ସଦସ୍ୟ, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଘରୋଇ ସଂସ୍ଥାର IC ସଦସ୍ୟ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ତାଲିମଦାତା ସ୍ୱର୍ଣ୍ଣଲତା ମହାନ୍ତି କର୍ମଶାଳାରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିବାରଣ, ନିଷେଧ ଓ ପ୍ରତିକାର ଆଇନ, ୨୦୧୩ (POSH Act) ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଏଥିରେ ଆଇନର ଉଦ୍ଦେଶ୍ୟ, ପରିସର ଓ ପ୍ରମୁଖ ବ୍ୟବସ୍ଥା, IC ଓ LCର ଗଠନ, ନୋଡାଲ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ଅଭିଯୋଗ ଦାଖଲ ଏବଂ ତାହାର ତଦନ୍ତ ଓ ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରାଯାଇଥିଲା।ଏଥିସହ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ, ଲିଙ୍ଗଗତ ସମ୍ବେଦନଶୀଳତାର ବିକାଶ, ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଅଭିଯୋଗର ଗୋପନୀୟତା ଓ ନିରପେକ୍ଷତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ତାଲିମ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀ ଓ କମିଟି ସଦସ୍ୟମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ POSH ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଅଭିଯୋଗର ଉପଯୁକ୍ତ ପରିଚାଳନା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ହାସଲ କରିଥିଲେ।
ଜିଲ୍ଲା ମହିଳା ହବ୍ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବାବେଳେ ମହିଳା ହବ୍, କଳାହାଣ୍ଡିର କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

