ଇନ୍ଦିରା ନଗର ଉ ପ୍ରା ବିଦ୍ୟାଳୟରେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ରାୟଗଡ ରାୟଗଡ ପୌରାଞ୍ଚଳର ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପଦୋନ୍ନତି ପ୍ରାପ୍ତ ତିନିଜଣ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରୁ ତିନି ଜଣ ବୈଷୟିକ ଶିକ୍ଷକ ଲେବୁଲ ତିନି ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଛନ୍ତି । ଏଥିରେ ରାୟଗଡ ବ୍ଲକ ଏବିଇଓ ବଳରାମ ହୁଇକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ନିଳାଞ୍ଚଳ ମିଶ୍ର ପଦୋନ୍ନତି ପାଇ ସରକାରୀ ପୂର୍ବତନ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେହିପରି ପ୍ରଭାତ ରଞ୍ଜନ ସେନାପତି କୋଲନରା ବ୍ଲକ ତାଣ୍ଡିପୁର ଓ ରାଜେଶ ସ୍ୱାଲସିଂ ରାୟଗଡ ବ୍ଲକର କାଞ୍ଚାମୋହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ୨୦୨୧ ମସିହାରୁ ଏମାନେ ଇନ୍ଦିରାନଗର ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ସେମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନ ଓ ନିଷ୍ଠା ନିମନ୍ତେ
ନୂତନ ଭାବେ ପଦୋନ୍ନତି ପାଇ ଆସିଥିବା ପ୍ରଧାନ ଶିକ୍ଷକ ସରୋଜ କୁମାର ପତ୍ରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ, ଛାତ୍ର ଛାତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ବୃନ୍ଦ ଭୁୟସୀ ପ୍ରଶଂସା କରିବା ସହ ବରେଣ୍ୟ ଅତିଥିଙ୍କ ଦ୍ୱାରା ବିଦାୟୀ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପଦୋନ୍ନତି ଯୋଗୁଁ ସିଆରସିସି ଦାୟୀତ୍ଵ ମୁକ୍ତ ସଦାନନ୍ଦ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନୂତନ ଦାୟୀତ୍ଵ ଗ୍ରହଣ କରିଥିବା ସିଆରସିସି ପୁରନ୍ଦର ପାଣି ଓ ନୂତନ ଭାବେ ବିଦ୍ୟାଳୟରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ସରୋଜ ପତ୍ରୀ ଓ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦାସଙ୍କୁ ସ୍ୱାଗତ କରାଯାଇଥିଲା । ଉପରୋକ୍ତ ବିଦାୟୀ ଶିକ୍ଷକଙ୍କ କାର୍ଯ୍ୟକାଳ ସମୟରେ ବିଦ୍ୟାଳୟର ଅନେକ ଉନ୍ନତି ସାଧିତ ହେବା ସହ ଶିକ୍ଷା ଓ ଶିକ୍ଷାୟତନ ର ବିଶେଷ ପରିବର୍ତ୍ତନ ହୋଇଥିବା ସମସ୍ତ ଶିକ୍ଷୟିତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ନୂତନ ଦାୟୀତ୍ୱରେ ଅଧିକ ସଫଳତା କାମନା କରିଥିଲେ । ବିଦାୟ କାଳୀନ ପରିବେଶ ଅତୀବ ଦୁଃଖପୁର୍ଣ୍ଣ ଥିଲା । ଛାତ୍ର ଛାତ୍ରୀ କାନ୍ଦି କାନ୍ଦି ସେମାନଙ୍କୁ ବିଦାୟ ଦେଉଥିବା ଦେଖାଗଲା ।କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସରୋଜ ପତ୍ରୀ ସମେତ ପ୍ରମିଳା ପଣ୍ଡା, ବାସନ୍ତୀ ମିଶ୍ର, ସୋନାଲିଶା ସାମଲ, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ, ଅଦିତି ସେଠି ପ୍ରମୁଖ ସହଯୋଗ କରିଥିଲେ ।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

