ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା:ଅକ୍ଟୋବର ୧୯ ତାରିଖ: ଇତିହାସର ଦର୍ପଣରେ ଜ୍ଞାନନିଷ୍ଠା,ବିଜ୍ଞାନ,ସାହସ, ନେତୃତ୍ୱ,ସ୍ୱାଧୀନତା ସଂଗ୍ରାମ,ମାନବିକତା,ତ୍ୟାଗ, ଜନସେବା,କରୁଣା ଓ ସମର୍ପଣ ଶିକ୍ଷାର ସମାହାର

ଆଜିର ଦିବସର ଅନୁଚିନ୍ତା:ଅକ୍ଟୋବର ୧୯ ତାରିଖ: ଇତିହାସର ଦର୍ପଣରେ ଜ୍ଞାନନିଷ୍ଠା,ବିଜ୍ଞାନ,ସାହସ, ନେତୃତ୍ୱ,ସ୍ୱାଧୀନତା ସଂଗ୍ରାମ,ମାନବିକତା,ତ୍ୟାଗ, ଜନସେବା,କରୁଣା ଓ ସମର୍ପଣ ଶିକ୍ଷାର ସମାହାର 

ଡା.ଦେବୀ ପ୍ରସାଦ ମିଶ୍ର,

ସମୟର ରଥଚକ ଅବିରତ ଗତିଶୀଳ।ପ୍ରତ୍ୟେକ ଦିନ ଇତିହାସର ପୃଷ୍ଠାରେ ଯୋଡ଼ିଦିଏ ନୂତନ ଅଧ୍ୟାୟ, ନୂତନ ଅନୁଭବ ଓ ନୂତନ ପ୍ରେରଣା।ଅକ୍ଟୋବର ୧୯ ତାରିଖ ମଧ୍ୟ ବିଶ୍ୱ ଇତିହାସ,ବିଜ୍ଞାନ,ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶାର ରାଜନୈତିକ ଜୀବନର କେତେକ ସ୍ମରଣୀୟ ଘଟଣାକୁ ନେଇ ଆମ ସମ୍ମୁଖରେ ଉପସ୍ଥିତ ହୁଏ।

ବିଶ୍ୱ କ୍ଷେତ୍ରରେ ବିଶ୍ୱ ଇତିହାସର ଶିକ୍ଷା ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ ୧୮୧୨ ମସିହା ଅକ୍ଟୋବର ୧୯ରେ ନେପୋଲିଅନ୍ ବୋନାପାର୍ଟଙ୍କ ସେନା ମସ୍କୋ ଛାଡ଼ି ପଛକୁ ଫେରିବା ଆରମ୍ଭ କରିଥିଲା।ରୁଷିଆ ଅଭିଯାନର ଏହି ପର୍ଯ୍ୟାୟ ତାଙ୍କ ସାମରିକ ଅଭିଯାନର ଦୁର୍ବଳତାକୁ ପ୍ରକାଶ କରିଥିଲା। ଏହା ଇତିହାସରୁ ମିଳୁଥିବା ଏକ ଶିକ୍ଷା ହେଉଛି ଅତ୍ୟଧିକ ଆତ୍ମବିଶ୍ୱାସ,ଅସଂଯତ ଆକାଂକ୍ଷା ଓ ପରିସ୍ଥିତିର ଭୁଲ ମୂଲ୍ୟାୟନ ବଡ଼ ପରାଜୟର କାରଣ ହୋଇପାରେ।୨୦୦୩ ମସିହା ଅକ୍ଟୋବର ୧୯ରେ ଭାଟିକାନ୍ ଠାରେ ପୋପ୍ ଜନ୍ ପଲ୍ ଦ୍ୱିତୀୟ ମଦର ଟେରେସାଙ୍କୁ ‘ଧନ୍ୟ’ ଘୋଷଣା କରିଥିଲେ।ଗରିବ, ଅସହାୟ ଓ ରୋଗାକ୍ରାନ୍ତ ଲୋକଙ୍କ ସେବାରେ ତାଙ୍କର ଜୀବନବ୍ୟାପୀ ସମର୍ପଣ ବିଶ୍ୱମାନବତା ପାଇଁ ଏକ ଅମୂଲ୍ୟ ପ୍ରେରଣା।

ଭାରତ କ୍ଷେତ୍ରରେ ବିଜ୍ଞାନର ଆକାଶରେ ଭାରତୀୟ ପ୍ରତିଭା ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ ୧୯୧୦ ମସିହା ଅକ୍ଟୋବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱବିଖ୍ୟାତ ଭାରତୀୟ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ସୁବ୍ରମଣ୍ୟମ ଚନ୍ଦ୍ରଶେଖର।ତାରାମାନଙ୍କର ଗଠନ,ବିକାଶ ଓ ଅନ୍ତିମ ଅବସ୍ଥା ସମ୍ପର୍କିତ ତାଙ୍କର ଗବେଷଣା ବିଜ୍ଞାନ ଜଗତରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା।ତାଙ୍କ ନାମରେ ପରିଚିତ ‘ଚନ୍ଦ୍ରଶେଖର ସୀମା’ ତାରାମାନଙ୍କର ବିକାଶ ବୁଝିବାରେ ଗୁରୁତ୍ୱପୂର୍ଣ୍ଣ।ଏହି ଗବେଷଣା ପାଇଁ ସେ ୧୯୮୩ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ।ଚିକିତ୍ସା ବିଜ୍ଞାନ ଇତିହାସରେ ମଧ୍ୟ ଅକ୍ଟୋବର ୧୯ ଏକ ସ୍ମରଣୀୟ ତାରିଖ।୧୯୪୩ ମସିହାର ଏହି ଦିନ ଆଲବର୍ଟ ଶାଟ୍ଜ୍‌ ଓ ତାଙ୍କ ଗବେଷଣା ଦଳ ଷ୍ଟ୍ରେପ୍ଟୋମାଇସିନ୍ ନାମକ ଆଣ୍ଟିବାୟୋଟିକ୍‌କୁ ପୃଥକ୍ କରିଥିଲେ।ଯକ୍ଷ୍ମା ରୋଗର ଚିକିତ୍ସାରେ ଏହା ଏକ ଐତିହାସିକ ପଦକ୍ଷେପ ଥିଲା।ଏହି ଆବିଷ୍କାର ପଛରେ ଥିବା ଗବେଷଣା ଓ ସହଯୋଗ ଆମକୁ ବୈଜ୍ଞାନିକ ସାଧନାର ମହତ୍ତ୍ୱ ବୁଝାଏ।

ଭାରତ କ୍ଷେତ୍ରରେ ଭାରତର ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ 

ଆଜିର ଦିନରେ ଜନ୍ମିତ ମାତଙ୍ଗିନୀ ହାଜରା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ମହିଳା ଯୋଦ୍ଧା।‘ଭାରତ ଛାଡ଼’ ଆନ୍ଦୋଳନ ସମୟରେ ୧୯୪୨ ମସିହା ସେପ୍ଟେମ୍ବର ୨୯ ତାରିଖରେ ତମଲୁକଠାରେ ଜାତୀୟ ପତାକା ଧରି ଅଗ୍ରସର ହେଉଥିବାବେଳେ ସେ ବ୍ରିଟିଶ ପୁଲିସର ଗୁଳିରେ ଶହୀଦ ହୋଇଥିଲେ।ତାଙ୍କ ଜୀବନ ନିର୍ଭୀକ ଦେଶପ୍ରେମ ଓ ଆତ୍ମତ୍ୟାଗର ଅମର ଉଦାହରଣ।

ଓଡ଼ିଶାର ରାଜନୈତିକ ଇତିହାସରେ ୧୯୫୬ ମସିହା ଅକ୍ଟୋବର ୧୯ ଏକ ଗୁରୁତ୍ୱପୂର୍ଣ୍ଣ ଦିନ।ସେହିଦିନ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱର ଅବସାନ ଘଟିଥିଲା ଏବଂ ଡ.ହରେକୃଷ୍ଣ ମହତାବ ପୁନର୍ବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।ତାଙ୍କର ରାଜନୈତିକ ଅନୁଭବ,ପ୍ରଶାସନିକ ଦକ୍ଷତା ଓ ରାଜ୍ୟ ଗଠନରେ ଅବଦାନ ଓଡ଼ିଶାର ଇତିହାସରେ ସ୍ମରଣୀୟ।

ଆଜିର ଅନୁଚିନ୍ତା ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ ଅକ୍ଟୋବର ୧୯ ତାରିଖରେ ଚନ୍ଦ୍ରଶେଖରଙ୍କଠାରୁ ଆମେ ଗବେଷଣା ଓ ଜ୍ଞାନନିଷ୍ଠା,ମାତଙ୍ଗିନୀ ହାଜରାଙ୍କଠାରୁ ସାହସ ଓ ତ୍ୟାଗ,ହରେକୃଷ୍ଣ ମହତାବଙ୍କ ଜୀବନରୁ ଜନସେବା ଓ ନେତୃତ୍ୱ ଏବଂ ମଦର ଟେରେସାଙ୍କଠାରୁ କରୁଣା ଓ ସମର୍ପଣର ଶିକ୍ଷା ଗ୍ରହଣ କରିପାରିବା।ଜ୍ଞାନରେ ଉନ୍ନତି,କର୍ମରେ ସତ୍ୟନିଷ୍ଠା ଓ ଜୀବନରେ ମାନବିକତା—ଏହି ତିନୋଟି ଆଦର୍ଶକୁ ଆପଣାଇବା ହିଁ ହେଉ ଆଜିର ଦିବସର ସାର୍ଥକ ସଂକଳ୍ପ।

ଡା.ଦେବୀ ପ୍ରସାଦ ମିଶ୍ର,

Related posts

ଆଜିର ଦିବସର ଅନୁଚିନ୍ତା : ମେ ୧୪ ତାରିଖ : ଜ୍ଞାନ,ବିଜ୍ଞାନ ଏବଂ ବୀରତ୍ଵର ସମନ୍ଵୟ

ଆଜି ଦିବସର ଅନୁଚିନ୍ତା : ଜାନୁୟାରୀ ୨୭ : ମାନବତା,ଶାନ୍ତି,ସହିଷ୍ଣୁତା ଓ ସାଂସ୍କୃତିକ ଗରିମାର ଅପୂର୍ବ ନିଦର୍ଶନ 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଜୁଲାଇ ୧ ତାରିଖ : ଜାତୀୟ ଡାକ୍ତର,ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଏବଂ ଜିଏସ୍ ଟି,ରାଷ୍ଟ୍ରୀୟ ଡାକ କର୍ମଚାରୀ ଦିବସ 

Leave a Comment

error: Content is protected !!