ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଅବ୍ୟବସ୍ଥା, ଅବହେଳା ଓ ପ୍ରଶାସନିକ ପୁନର୍ଗଠନ ନାମରେ କଳାହାଣ୍ଡିର ସ୍ୱାର୍ଥକୁ ଉପେକ୍ଷା; ଡବଲ ଇଞ୍ଜିନ ସରକାର ଦାୟୀ — ଅବିନାଶ ଠାକୁର

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଅବ୍ୟବସ୍ଥା, ଅବହେଳା ଓ ପ୍ରଶାସନିକ ପୁନର୍ଗଠନ ନାମରେ କଳାହାଣ୍ଡିର ସ୍ୱାର୍ଥକୁ ଉପେକ୍ଷା; ଡବଲ ଇଞ୍ଜିନ ସରକାର ଦାୟୀ — ଅବିନାଶ ଠାକୁର

କଳାହାଣ୍ଡିକୁ କେନ୍ଦ୍ରୀୟ ସଂସ୍ଥାରୁ ଧୀରେ ଧୀରେ ଦୂରେଇ ନେବାର ଷଡ଼ଯନ୍ତ୍ର ବନ୍ଦ ହେଉ — ଡବଲ ଇଞ୍ଜିନ ସରକାରଙ୍କ ନିରବତା ଦୁର୍ଭାଗ୍ୟଜନକ-ଯୁବ ବିଜେଡି 
ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ ନବରଙ୍ଗପୁର ଡାକ ମଣ୍ଡଳରେ ସାମିଲ ପ୍ରସ୍ତାବ ବାତିଲ କରାଯାଉ; ଦୂରଦର୍ଶନ ଓ ଆକାଶବାଣୀର ଖାଲି ପଦବୀ ପୂରଣ ସହ ସ୍ଥାନୀୟ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେଉ — ନଚେତ୍ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଯୁବ ଜନତା ଦଳ

ଭବାନୀପାଟଣା, ୬ ନଭେମ୍ବର ୨୦୨୬: କଳାହାଣ୍ଡି ଜିଲ୍ଲାର ସ୍ୱାର୍ଥ, ଆଞ୍ଚଳିକ ଅସ୍ମିତା, ସାଂସ୍କୃତିକ ପରିଚୟ ଓ ଜନସାଧାରଣଙ୍କ ସୁବିଧାକୁ ଅଣଦେଖା କରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ ଚାଲିଥିବା ଅବହେଳା, ପରିଚାଳନାଗତ ଅବ୍ୟବସ୍ଥା ଓ ପ୍ରଶାସନିକ ପୁନର୍ଗଠନ ନାମରେ ନିଆଯାଉଥିବା ଏକପାଖିଆ ନିଷ୍ପତ୍ତିକୁ ନେଇ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଏହି ସମସ୍ତ ପରିସ୍ଥିତି ପାଇଁ କେନ୍ଦ୍ରରେ ଓଡ଼ିଶାର ଶାସନରେ ଥିବା ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସ୍ଥାନୀୟ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଅଭିଯୋଗ କରିଛନ୍ତି।

ଶ୍ରୀ ଠାକୁର କହିଛନ୍ତି ଯେ, ଗୋଟିଏ ପଟେ କଳାହାଣ୍ଡିର ଡାକ ପ୍ରଶାସନିକ ବ୍ୟବସ୍ଥାକୁ ସଙ୍କୁଚିତ କରି ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ ଅନ୍ୟ ଡାକ ମଣ୍ଡଳ ଅଧୀନକୁ ନେବାକୁ ଉଦ୍ୟମ ହେଉଛି, ଅନ୍ୟପଟେ ଭବାନୀପାଟଣାର ଦୂରଦର୍ଶନ ଓ ଆକାଶବାଣୀ କେନ୍ଦ୍ର ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଅଭାବରୁ ନିଜର ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିପାରୁନାହିଁ। ଏହା କେବଳ ଦୁଇଟି ପୃଥକ୍ ପ୍ରଶାସନିକ ସମସ୍ୟା ନୁହେଁ, ବରଂ କଳାହାଣ୍ଡି ପ୍ରତି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅବହେଳା ଓ ଡବଲ ଇଞ୍ଜିନ ସରକାରଙ୍କ ଆଞ୍ଚଳିକ ସ୍ୱାର୍ଥର ସୁରକ୍ଷାରେ ବିଫଳତାର ପ୍ରତିଫଳନ। ଏହି ଘଟଣାରେ କଳାହାଣ୍ଡିର ଦୁଇ ଦୁଇଟି ବିଜେପି ସାସଂଦ ଥାଇ ମଧ୍ୟ କାହିଁକି ସ୍ବର ଉତ୍ତୋଳନ କରୁନାହାନ୍ତି ବୋଲି ଯୁବ ବିଜେଡି ପ୍ରଶ୍ନ କରିଛି । 

ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଡାକ ବିଭାଗ ପକ୍ଷରୁ ୧୨ ଅକ୍ଟୋବର ୨୦୨୬ରେ ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ସଂଖ୍ୟା Q-13/37/2026-PE-I-DOP ଅନୁଯାୟୀ ଓଡ଼ିଶାର ଡାକ ପ୍ରଶାସନିକ ବ୍ୟବସ୍ଥାର ପୁନର୍ଗଠନ କରାଯାଉଛି। ଏହି ପ୍ରକ୍ରିୟାରେ ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ ଜୟପୁର ମୁଖ୍ୟାଳୟ ଥିବା ନୂତନ ନବରଙ୍ଗପୁର ଡାକ ମଣ୍ଡଳ ଅଧୀନକୁ ନେବାର ପ୍ରସ୍ତାବ ସାମ୍ନାକୁ ଆସିଛି। ଧର୍ମଗଡ଼ ଓ ଜୟପାଟଣା ଅଞ୍ଚଳଗୁଡ଼ିକର ଭୌଗୋଳିକ ସ୍ଥିତି, ଯାତାୟାତ ବ୍ୟବସ୍ଥା, ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ଓ ପ୍ରଶାସନିକ ସମନ୍ୱୟକୁ ଅଣଦେଖା କରି ଅନ୍ୟ ଡାକ ମଣ୍ଡଳରେ ସାମିଲ କରିବା ଆଦୌ ଯୁକ୍ତି ସଙ୍ଗତ ନୁହେଁ । ଏହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକ, ବରିଷ୍ଠ ନାଗରିକ, ପେନସନଭୋଗୀ, ଡାକ ସଞ୍ଚୟ ଯୋଜନାର ହିତାଧିକାରୀ ଓ ଡାକ କର୍ମଚାରୀମାନେ ଭବିଷ୍ୟତରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ବୋଲି କଳାହାଣ୍ଡି ଯୁବ ବିଜେଡି କହିଛି । ଏହି ନିଷ୍ପତ୍ତି ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି, ଡାକ କର୍ମଚାରୀ ଓ ସାଧାରଣ ଜନତାଙ୍କ ମତାମତ ନିଆଯାଇଛି କି ବୋଲି ଯୁବ ବିଜେଡି ସଭାପତି ଶ୍ରୀ ଠାକୁର ପ୍ରଶ୍ନ କରିଛନ୍ତି।

ଭବାନୀପାଟଣା ଦୂରଦର୍ଶନ ଓ ଆକାଶବାଣୀ କେନ୍ଦ୍ର ଅବହେଳିତ

ସେହିପରି ଭବାନୀପାଟଣାସ୍ଥିତ ଦୂରଦର୍ଶନ କେନ୍ଦ୍ରରେ ଷ୍ଟେସନ୍ ଡାଇରେକ୍ଟର ଓ ଆସୋସିଏଟ୍ ଇଞ୍ଜିନିୟରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ ଏହାର ପରିଚାଳନା ଭୁବନେଶ୍ୱରରୁ ହେଉଥିବା ସୂଚନା ମିଳୁଛି। ଏହି କେନ୍ଦ୍ରର ନିଜସ୍ୱ କାର୍ଯ୍ୟକ୍ରମ ଉତ୍ପାଦନ ପ୍ରାୟତଃ ଶୂନ ହୋଇପଡ଼ିଥିବା ଅଭିଯୋଗ ହେଉଛି। କଳାହାଣ୍ଡିର ସମୃଦ୍ଧ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ, ଘୁମୁରା, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସମ୍ଭାବନା, କୃଷି, ଶିକ୍ଷା ଓ ଆଦିବାସୀ ସମାଜର ଜୀବନଧାରାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଦୂରଦର୍ଶନର ଯେଉଁ ଭୂମିକା ରହିବା କଥା, ତାହା ଆଜି ସୀମିତ ହୋଇପଡ଼ିଛି। ବିଶେଷକରି କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ଓ ଦୁର୍ଗାପୂଜା ଭଳି ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଉତ୍ସବର ଦୂରଦର୍ଶନରେ ଉପଯୁକ୍ତ ପ୍ରସାରଣ ନହେବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ଘଟଣା । ଏହି ଉତ୍ସବଗୁଡ଼ିକ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ କଳାହାଣ୍ଡିର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ। ଚଳିତ ବର୍ଷ ଗାଡ଼ି ଖଣ୍ଡିକ ପାଇଁ ପ୍ରସାରଣରେ ବ୍ୟତିକ୍ରମ ହେବା ଭଳି କର୍ତ୍ତବ୍ୟରେ ଅବହେଳା ସାମ୍ନାକୁ ଆସିଛି ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି। 

ଅନ୍ୟପକ୍ଷରେ ଭବାନୀପାଟଣା ଆକାଶବାଣୀ କେନ୍ଦ୍ରରେ ମଧ୍ୟ ଷ୍ଟେସନ୍ ଡାଇରେକ୍ଟର ପଦବୀ ଖାଲି ଥିବା ସୂଚନା ମିଳୁଛି। ଗ୍ରାମାଞ୍ଚଳର ଚାଷୀ, ଶ୍ରମିକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ଆକାଶବାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ମାଧ୍ୟମ। ଏପରି ସ୍ଥିତିରେ ଆବଶ୍ୟକ ଅଧିକାରୀ ଓ ମାନବସମ୍ବଳର ଅଭାବ ଏହି କେନ୍ଦ୍ରର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରୁଛି।

ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର କେବଳ ନିର୍ବାଚନୀ ସ୍ଲୋଗାନ ଓ ବିକାଶର ପ୍ରଚାରରେ ସୀମିତ ରହିଲେ ଚଳିବ ନାହିଁ। କଳାହାଣ୍ଡିର ଲୋକଙ୍କ ସ୍ୱାର୍ଥର ସୁରକ୍ଷା, କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ସୁଦୃଢ଼ୀକରଣ ଓ ଆଞ୍ଚଳିକ ଅସ୍ମିତାର ସୁରକ୍ଷା କରିବା ମଧ୍ୟ ସରକାରଙ୍କ ଦାୟିତ୍ୱ। କେନ୍ଦ୍ରରେ ଓ ରାଜ୍ୟରେ ଏକା ଦଳର ସରକାର ଥିବା ସତ୍ତ୍ୱେ କଳାହାଣ୍ଡିର ଡାକ ପ୍ରଶାସନକୁ ସଙ୍କୁଚିତ କରିବାର ପ୍ରସ୍ତାବ ଆସିବା ଏବଂ ଦୂରଦର୍ଶନ ଓ ଆକାଶବାଣୀ ଭଳି ସଂସ୍ଥାଗୁଡ଼ିକରେ ଖାଲି ପଦବୀ ପୂରଣ ଓ ସ୍ଥାନୀୟ କାର୍ଯ୍ୟକ୍ରମ ପ୍ରସାରଣ ନହେବା ସରକାରଙ୍କ ଆଞ୍ଚଳିକ ଉନ୍ନତି ପ୍ରତି ଆନ୍ତରିକତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ:- 

୧. ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ ନବରଙ୍ଗପୁର ଡାକ ମଣ୍ଡଳରେ ସାମିଲ କରିବା ପ୍ରସ୍ତାବକୁ ତୁରନ୍ତ ସ୍ଥଗିତ ରଖାଯାଉ ଏବଂ ପୂର୍ବପରି କଳାହାଣ୍ଡି ଡାକ ମଣ୍ଡଳ ଅଧୀନରେ ରଖାଯାଉ।

୨. ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ରରେ ଖାଲି ଥିବା ଷ୍ଟେସନ୍ ଡାଇରେକ୍ଟର, ଆସୋସିଏଟ୍ ଇଞ୍ଜିନିୟରଙ୍କ ସମେତ ଆବଶ୍ୟକିୟ ସମସ୍ତ ପଦବୀ ତୁରନ୍ତ ପୂରଣ କରାଯାଉ।

୩. ଭବାନୀପାଟଣା ଆକାଶବାଣୀ କେନ୍ଦ୍ରରେ ଖାଲି ଥିବା ଷ୍ଟେସନ୍ ଡାଇରେକ୍ଟର ପଦବୀ ପୂରଣ ସହ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯାଉ।

୪. ଦୂରଦର୍ଶନ କେନ୍ଦ୍ରରେ ନିୟମିତ ଭାବେ ସ୍ଥାନୀୟ କାର୍ଯ୍ୟକ୍ରମ ଉତ୍ପାଦନ ଆରମ୍ଭ କରାଯାଇ କଳାହାଣ୍ଡିର ଲୋକକଳା, ଲୋକସଂସ୍କୃତି, ଐତିହ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନସମସ୍ୟାକୁ ପ୍ରାଥମିକତା ଦିଆଯାଉ।

୫. ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଦୁର୍ଗାପୂଜା ଓ ଅନ୍ୟାନ୍ୟ ପ୍ରମୁଖ ଆଞ୍ଚଳିକ ଉତ୍ସବର ରେକର୍ଡିଂ ଓ ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ।

୬. ସ୍ଥାନୀୟ କଳାକାର, ସାହିତ୍ୟିକ, ସାମ୍ବାଦିକ, ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କୁ ନେଇ ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରାଯାଉ।

“କଳାହାଣ୍ଡିର ଲୋକଙ୍କ ସ୍ୱାର୍ଥ, ସଂସ୍କୃତି ଓ ଆଞ୍ଚଳିକ ପରିଚୟ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଆମେ ନୂତନ ଡାକ ମଣ୍ଡଳ ଗଠନର ବିରୋଧୀ ନୁହେଁ, କିନ୍ତୁ କଳାହାଣ୍ଡିର ସ୍ୱାର୍ଥକୁ ବଳି ଦେଇ କୌଣସି ପ୍ରଶାସନିକ ପୁନର୍ଗଠନକୁ ଗ୍ରହଣ କରିବୁ ନାହିଁ। ସେହିପରି ଦୂରଦର୍ଶନ ଓ ଆକାଶବାଣୀ ଭଳି ସରକାରୀ ସଂସ୍ଥାଗୁଡ଼ିକୁ ନାମକୁ ମାତ୍ର ରଖିବା ପରିବର୍ତ୍ତେ ସକ୍ରିୟ ଓ ଜନମୁଖୀ କରାଯାଉ। ଡବଲ ଇଞ୍ଜିନ ସରକାର ଯଦି ତୁରନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ କଳାହାଣ୍ଡିର ସ୍ୱାର୍ଥର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବ ଏବଂ ଜନଆନ୍ଦୋଳନ ଗଢ଼ି ତୋଳିବ।” ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି।”

ଏହି ପ୍ରସଙ୍ଗରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ, ଡାକ ବିଭାଗ, ପ୍ରସାର ଭାରତୀ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ପ୍ରେସମିଟ୍‌ରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

 

Related posts

ତିରିଙ୍ଗ ରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ, ଯୋଗଦେଲେ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବ୍ୟକ୍ତା ପିତାମ୍ବର ଆଚାର୍ଯ୍

masiha

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

masiha

Leave a Comment

error: Content is protected !!