ମାଲପଡ଼ାରେ ସରକାରୀ ସମ୍ପତ୍ତି ଜବରଦଖଲ ଅଭିଯୋଗ!
ଗୋଷ୍ଠୀ କେନ୍ଦ୍ର ପାଲଟିଛି ବ୍ୟକ୍ତିଗତ ଗୋଦାମ! ଭିତରେ ଗଚ୍ଛିତ ସିମେଣ୍ଟ, ସାର ଓ ଧାନ ବସ୍ତା; ପ୍ରଶାସନର ନିରବତାକୁ ନେଇ ଉଠିଲା ପ୍ରଶ୍ନ
କଳାହାଣ୍ଡି ଜିଲ୍ଳା କେସିଙ୍ଗା ବ୍ଲକ ମାଲପଡା ଅନ୍ତୋଗତ ସରକାରୀ ସମ୍ପତ୍ତିର ସୁରକ୍ଷା ଓ ଗ୍ରାମବାସୀଙ୍କ ସାମୂହିକ ହିତ ପାଇଁ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଏବେ ବ୍ୟକ୍ତିଗତ କାରବାରର ସାମଗ୍ରୀ ରଖିବା ସ୍ଥାନ ପାଲଟିଥିବା ନେଇ ଅଭିଯୋଗ ଉଠିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ମାଲପଡ଼ା ଗ୍ରାମରେ ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମବାସୀଙ୍କ ସାମୂହିକ ବ୍ୟବହାର ଓ ସାଧାରଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ କେନ୍ଦ୍ରକୁ ଜଣେ ବ୍ୟକ୍ତି ନିଜସ୍ୱ କାରବାର ପାଇଁ ବ୍ୟବହାର କରୁଛନ୍ତି। କେନ୍ଦ୍ରର ଘର ଭିତରେ ସିମେଣ୍ଟ ବସ୍ତା, କୃଷି କାର୍ଯ୍ୟରେ ବ୍ୟବହୃତ ସାର ଓ ଧାନ ବସ୍ତା ରଖାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନଟି ସାଧାରଣ ଲୋକଙ୍କ ସୁବିଧା ଓ ଗୋଷ୍ଠୀଗତ କାର୍ଯ୍ୟ ପାଇଁ ନିର୍ମାଣ ହୋଇଛି, ସେଠାରେ ବ୍ୟକ୍ତିଗତ ସାମଗ୍ରୀ ଗଚ୍ଛିତ ରଖାଯିବା ଦ୍ୱାରା ଏହାର ମୂଳ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ସରକାରୀ ସମ୍ପତ୍ତିର ବ୍ୟବହାର ଓ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିବ।
ରାଜସ୍ୱ ରେକର୍ଡରେ ଜମି କିସମ ଗୋଚର!
ଏହି ଘଟଣାକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଉପଲବ୍ଧ ରାଜସ୍ୱ ତଥ୍ୟ ଅନୁଯାୟୀ, ମାଲପଡ଼ା ଗ୍ରାମର ଖାତା ନମ୍ବର ୧୧୪ ଓ ପ୍ଲଟ୍ ନମ୍ବର ୧୦୬ର ଜମି କିସମ ‘ଗୋଚର’ ବୋଲି ଦର୍ଶାଯାଇଛି। ତେବେ ଉକ୍ତ ଜମି ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇଥିବା ଜମି ଏକା କି ନୁହେଁ, ତାହା ସ୍ପଷ୍ଟ ହେବା ଆବଶ୍ୟକ।
ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ରାଜସ୍ୱ ରେକର୍ଡ, ଜମିର ସୀମା ନିର୍ଦ୍ଧାରଣ, ପ୍ଲଟ୍ ନମ୍ବର ଓ ବାସ୍ତବ ସ୍ଥିତିର ମିଳାମିଶା କରି ତଦନ୍ତ କରାଯିବା ଜରୁରୀ। ଏହା ସହିତ ଗୋଷ୍ଠୀ କେନ୍ଦ୍ର କେଉଁ ଯୋଜନାରେ ନିର୍ମାଣ ହୋଇଥିଲା, ଏହାର ଦାୟିତ୍ୱ କେଉଁ ବିଭାଗ ନିକଟରେ ରହିଛି ଏବଂ ବର୍ତ୍ତମାନ ଏହାର ବ୍ୟବହାର କିଏ କରୁଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ଆବଶ୍ୟକ।
ସାଧାରଣ ଲୋକଙ୍କ ପାଇଁ ନିର୍ମିତ କେନ୍ଦ୍ର ବ୍ୟକ୍ତିଗତ ବ୍ୟବହାରରେ କାହିଁକି?
ଗୋଷ୍ଠୀ କେନ୍ଦ୍ର ହେଉଛି ଗ୍ରାମବାସୀଙ୍କ ସାମୂହିକ ସମ୍ପତ୍ତି। ଏଠାରେ ଗ୍ରାମସଭା, ବୈଠକ, ସାମାଜିକ ଓ ଅନ୍ୟାନ୍ୟ ସାଧାରଣ କାର୍ଯ୍ୟକ୍ରମ ହେବା କଥା। କିନ୍ତୁ ଯଦି ଏହାକୁ ବ୍ୟକ୍ତିଗତ ଗୋଦାମ ଭାବେ ବ୍ୟବହାର କରାଯାଉଛି, ତେବେ ସାଧାରଣ ଲୋକଙ୍କ ଅଧିକାର କ୍ଷୁଣ୍ଣ ହେବା ସ୍ୱାଭାବିକ।
ଏଭଳି ସ୍ଥିତିରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ, ବ୍ଲକ୍ ପ୍ରଶାସନ ଓ ରାଜସ୍ୱ ବିଭାଗର ଦାୟିତ୍ୱ କ’ଣ? ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ନିୟମିତ ତଦାରଖ ହେଉଛି କି ନାହିଁ, ତାହା ମଧ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି।
ପ୍ରଶାସନର ହସ୍ତକ୍ଷେପ ଦାବି
ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଗୋଷ୍ଠୀ କେନ୍ଦ୍ରର ବାସ୍ତବ ସ୍ଥିତି ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଯଦି ସରକାରୀ ଜମି କିମ୍ବା ଗୋଷ୍ଠୀ କେନ୍ଦ୍ରକୁ ବେଆଇନ ଭାବେ ଦଖଲ କରି ବ୍ୟକ୍ତିଗତ କାରବାରରେ ବ୍ୟବହାର କରାଯାଇଥିବା ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ଜବରଦଖଲ ହଟାଇବାକୁ ଦାବି ହେଉଛି।
ଏଥିସହିତ ଜିଲ୍ଲାପାଳ, କେସିଙ୍ଗା ତହସିଲଦାର, ବିଡିଓ ଓ ସମ୍ପୃକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ତଦନ୍ତ କରିବାକୁ ଦାବି ଉଠିଛି।
ଏବେ ବଡ଼ ପ୍ରଶ୍ନ ହେଉଛି—ମାଲପଡ଼ାର ଏହି ଗୋଷ୍ଠୀ କେନ୍ଦ୍ର କାହାର ସ୍ୱାର୍ଥରେ ବ୍ୟବହାର ହେଉଛି? ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ କେବେ ଜାଗ୍ରତ ହେବ? ଗ୍ରାମବାସୀଙ୍କ ସାମୂହିକ ସମ୍ପତ୍ତିକୁ ପୁଣି ସାଧାରଣ ବ୍ୟବହାର ପାଇଁ କେବେ ଉପଲବ୍ଧ କରାଯିବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏବେ ମାଲପଡ଼ାବାସୀ ପ୍ରଶାସନଠାରୁ ଅପେକ୍ଷା କରିଛନ୍ତି।
କଳାହାଣ୍ଡି ଲଡୁଗାଁରେ ଚାଞ୍ଚଲ୍ୟ ଚାଷ ଜମିରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ଜଘନ୍ୟ ହତ୍ୟା ସନ୍ଦେହ
ଲଡ଼ୁଗାଁରେ ଚାଞ୍ଚଲ୍ୟ! ଚାଷ ଜମିରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ଜଘନ୍ୟ ହତ୍ୟା ସନ୍ଦେହ
କୋକସରା, ୦୫/୧୧ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଲଡ଼ୁଗାଁ-ସୁପାଡ଼ ରାସ୍ତାରେ ଥିବା ବିୟର ବାର୍ ନିକଟସ୍ଥ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି। ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇ ଯାଇଥିବା ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଜମି ମାଲିକ ନିଜ ଚାଷ ଜମିକୁ ବୁଲିବାକୁ ଯାଇଥିବା ସମୟରେ ମୁଣ୍ଡବିହୀନ ମୃତଦେହ ଦେଖି ଭୟଭୀତ ହୋଇପଡ଼ିଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ଜଣାଇବା ସହ କୋକସରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏସ୍ଆଇ ରଶ୍ମି ରଞ୍ଜନ ବାଗ ମଧ୍ୟ ପହଞ୍ଚିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଅନ୍ଧାର ଯୋଗୁଁ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇପାରି ନ ଥିଲା ଜଣାପଡ଼ିଛି। ମୃତଦେହ ନିକଟରେ ମୁଣ୍ଡ ମଧ୍ୟ ନ ଥିବା ସୂଚନା ମିଳିଛି। ଏହି ଜଘନ୍ୟ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ ଜାରି ରଖିଛି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

