ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ନଗଣ୍ୟ ହେଲେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଏହା ନାନାବିଧ ଉଦ୍ୟମ କରିଚାଲିଛି। ଗତ ୮ ବର୍ଷ ଭିତରେ ଭାରତର ବନାଞ୍ଚଳ ୨୦,୦୦୦ ବର୍ଗ କିଲୋମିଟର ବୃଦ୍ଧି ପାଇବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ରବିବାର ବିଶ୍ବ ପରିବେଶ ଦିବସରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ‘ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ମୃତ୍ତିକାକୁ ଜୀବନ୍ତ ରଖିବା ପାଇଁ ଭାରତ ନିରନ୍ତର କାର୍ଯ୍ୟ କରିଚାଲିଛି। ସରକାର ମୃତ୍ତିକା ସଂରକ୍ଷଣ ପାଇଁ ୫ଟି ଜିନିଷ ଉପରେ ଗୁରୁତ୍ବ ଦେଉଛନ୍ତି। ସେଗୁଡ଼ିକ ହେଉଛି: ୧. ମୃତ୍ତିକାକୁ ରାସାୟନିକ-ମୁକ୍ତ କରିବା, ୨. ମୃତ୍ତିକାରେ ରହୁଥିବା ଜୀବମାନଙ୍କୁ ସୁରକ୍ଷିତ ରଖିବା, ୩. ମୃତ୍ତିକାର ଆର୍ଦ୍ରତା ରକ୍ଷା କରିବା ଏବଂ ମୃତ୍ତିକାରେ ଜଳର ଉପଲବ୍ଧତା ବୃଦ୍ଧି କରିବା, ୪. ଭୂତଳଜଳର ଅଭାବ ଯୋଗୁ ମୃତ୍ତିକାର ଯେଉଁ କ୍ଷତି ହେଉଛି ତା’ର ନିରାକରଣ କରିବା ଏବଂ ୫. ଜଙ୍ଗଲ ହ୍ରାସ ଯୋଗୁ ଯେଉଁ ନିରବଚ୍ଛିନ୍ନ ମୃତ୍ତିକା କ୍ଷୟ ଘଟୁଛି ତାହାକୁ ରୋକିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବୃହତ୍ ଆଧୁନିକ ଦେଶଗୁଡ଼ିକ ପୃଥିବୀର ସମ୍ପଦଗୁଡ଼ିକୁ କେବଳ ଅଧିକରୁ ଅଧିକ ଶୋଷଣ କରୁନାହାନ୍ତି, ସେମାନେ ବାୟୁମଣ୍ଡଳକୁ ସର୍ବାଧିକ ଅଙ୍ଗାରକାମ୍ଳ ବିମୋଚନ କରୁଛନ୍ତି। ସିଡିଆର୍‌ଆଇ ତଥା ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ଗଠନ କରିବାରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଭାରତ ୨୦୭୦ ସୁଦ୍ଧା ନିଟ୍-ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ଗତବର୍ଷ ସଂକଳ୍ପ ନେଇଥିବା ସେ କହିଛନ୍ତି। ‘ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ’ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଥିଲେ। କୃଷକଙ୍କ ମାନସିକତା ପରିବର୍ତ୍ତନରେ ଏହା ସାହାଯ୍ୟ କରିବ। ମୃତ୍ତିକାର ସ୍ବାସ୍ଥ୍ୟ ବିଷୟରେ କୃଷକମାନେ ‌ସଚେତନ ନ ଥିବା ବେଳେ ମାଟି ପରୀକ୍ଷା କରି ସେମାନଙ୍କୁ ମୃତ୍ତିକା ‌ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରବାକୁ ବୃହତ୍ ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ 

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ହେ ବିଘ୍ନେଶ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

Leave a Comment

error: Content is protected !!